ପୁଣି ଚର୍ଚ୍ଚାରେ ଲୁମେକ୍ସ ଠକେଇ ;କେବେ ମିଳିବ ପୀଡିତାଙ୍କୁ ନ୍ୟାୟ ?

ବହୁ ଚର୍ଚ୍ଚିତ ଲୁମେକ୍ସ ଠକେଇ ମାମଲାରେ ଅଭିଯୁକ୍ତଙ୍କ ବଦଳରେ ଖୋଦ୍ ପୁଲିସ କେମିତି ଆଇନ ସହ ଲୁଚକାଳି ଖେଳ ଖେଳୁଥିଲା, ସେ କଥା ସାମ୍ନାକୁ ଆସିଛି। ଲୋକ ଦେଖାଣିଆ ଭାବେ ଅଭିଯୁକ୍ତଙ୍କ ଘରେ ରେଡ୍ ବି କଲା। ବ୍ରହ୍ମପୁରରୁ ଭୁବନେଶ୍ୱର ଆଣିଲା ବି। କିନ୍ତୁ ଗିରଫ ବୋଲି ଦର୍ଶାଇଲାନି। ପାଲଟା ଫୋର୍ଟି ଓ୍ୱାନ୍ ନୋଟିସରେ ଛାଡ଼ିଦେଲା। ଆଉ ପରେ ଅଭିଯୁକ୍ତ ଫେରାର୍ ବୋଲି ଭେଳିକି ରଚିବାରେ ଲାଗିଛି ଏଯାଏଁ। ସରକାରଙ୍କ ହସ୍ତକ୍ଷେପ ପରେ କେବଳ ମୁଖ୍ୟ କିଙ୍ଗପିନ୍ ଦମ୍ପତ୍ତି ରାଜୀବ ଦାସ, ସୋନିଆ ତ୍ରିପାଠୀ ଗିରଫ ହେଲେ।  ହେଲେ ଅଭିଯୋଗକାରିଣୀଙ୍କ ସ୍ୱାମୀଙ୍କୁ ମିଛ ମାମଲାରେ ବାନ୍ଧି ଫରଓ୍ୱାର୍ଡ କରିଦେଲା। ଆଉ ଏ ସବୁର ପ୍ରମାଣ ଆରଟିଆଇ ତଥ୍ୟ ଜଳଜଳ କରି ଦେଉଛି।

୨୦.୧୧. ୨୦୨୧। ଭୋର୍ ୪ଟାରେ ଇନଫୋସିଟି ପୁଲିସ ଗୋଷାଣୀ ନୂଆଗାଁ ଥାନାର ସହାୟତାରେ ରେଡ୍ କରିଥିଲା ଲୁମେକ୍ସ ଠକେଇର ଅଭିଯୁକ୍ତଙ୍କ ଘରେ। ସାରଥୀ ରୋୟାଲ ଫ୍ଲାଟରେ ଥିବା ଅଭିଯୁକ୍ତ ହିମାଂଶୁ ଶେଖର ପାଣିଗ୍ରାହୀଙ୍କ ଘରେ ଠକେଇ ଅଭିଯୋଗରେ କରିଥିଲା ଚଢ଼ାଉ। ଅଭିଯୁକ୍ତ ହିମାଂଶଙ୍କୁ ବି ସାଙ୍ଗରେ ନେଇ ଭୁବନେଶ୍ୱର ଫେରିଥିଲା ଇନଫୋସିଟି ପୁଲିସ। ଆରଟିଆଇ ତଥ୍ୟ କହୁଛି ଯେ, ୫ଟା୨୫ରେ ଗୋଷାଣୀନୂଆଗାଁ ଥାନାକୁ ହିମାଂଶୁଙ୍କୁ ଧରି ଆଣିଥିଲା ଓ ସକାଳ ୬ଟାରେ ଅଭିଯୁକ୍ତ ହିମାଂଶୁଙ୍କୁ ଧରି ବ୍ରହ୍ମପୁର ଛାଡ଼ିଥିଲା ଇନଫୋସିଟି ପୁଲିସ। ସେପଟେ ଏସିପି ଜୋନ୍-୬, ଭୁବନେଶ୍ୱରରୁ ମିଳିଥିବା ତଥ୍ୟ ଅନୁସାରେ ଇନଫୋସିଟି ଥାନାରେ ରୁଜୁ ମାମଲାରେ 41A ନୋଟିସ ପ୍ରଯୁଜ୍ୟ ନୁହେଁ। ରାଜୀବ ଓ ସୋନିଆ ଉଭୟ ହାଜତରେ। କିନ୍ତୁ ବାକି ସମସ୍ତ ଅଭିଯୁକ୍ତ ଫେରାର୍ ବୋଲି ଦର୍ଶାଇଛି କମିଶନରେଟ ପୁଲିସ। କଥା ଉଠୁଛି, ଯେଉଁ ଅଭିଯୁକ୍ତ ହିମାଂଶୁ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରୁ ନିଜେ ଇନଫୋସିଟି ପୁଲିସ ଧରି ଆସିଥିଲା ଆଉ ଏଭଳି ଅଭିଯୁକ୍ତଙ୍କୁ 41A ନୋଟିସରେ ଛାଡ଼ିହେବନି ବୋଲି ନିଜେ ଏସିପି ଅଫିସ ସ୍ୱୀକାର କଲେ। ତା ହେଲେ ସେଭଳି ଅଭିଯୁକ୍ତଙ୍କୁ ପୁଣି କେମିତି ତତ୍କାଳୀନ ଇନଫୋସଟି ଆଇଆଇସି ସମିତା ମିଶ୍ର 41A ନୋଟିସ ବଳରେ ଛାଡ଼ିଦେଇଥିଲେ। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ ବଦଳରେ କାହିଁକି ସମିତା ମିଶ୍ର ସମସ୍ତ ଆଇନକୁ ଆଖି ବୁଜିଦେଲେ। ସଦ୍ୟ ଇନଫୋସିଟି ଥାନାରୁ ମିଳିଥିବା ତଥ୍ୟ ବି କହୁଛି ଯେ,  ସେ ଦିନ ଏତଲା ଭିତ୍ତିରେ ଦୁଇ ଅଭିଯୁକ୍ତ ହିମାଂଶୁ ପାଣିଗ୍ରାହୀ ଓ ବିମଳ କିଶୋର ପାଢ଼ୀଙ୍କୁ ଧରିବାକୁ ନଭେମ୍ୱର ୧୯,୨୦୨୧ରେ ଇନଫୋସିଟି ଥାନାରୁ ୨ ଏସଆଇ ଓ ନନ୍ଦନକାନନ ଥାନାରୁ ଜଣେ ଏସଆଇ ଏହି ରେଡରେ ଯାଇଥିଲେ ବ୍ରହ୍ମପୁର। 420, 406, 465, 467, 294, 506 ଦଫାରେ ଏତଲା ରୁଜୁ ହୋଇଥିଲା। ଅର୍ଥାତ୍ ଠକେଇ, ଜୀବନରେ ମାରିଦେବାକୁ ଧମକ ଭଳି ସଙ୍ଗୀନ ଦଫା ଲାଗିଥିଲା। ନଭେମ୍ୱର ୨୦ରେ ଦୁ଼୍ଇ ଅଭିଯୁକ୍ତ 41A ନୋଟିସ ମୁତାବକ ଥାନାରେ ହାଜର ହୋଇଥିଲେ। ଏସିପି ଜୋନ୍-୬ଙ୍କ ନିର୍ଦେଶରେ ଏହି ରେଡ୍ ହୋଇଥିଲା। ଆଉ ୨୦ରେ ହିଁ ଉଭୟଙ୍କୁ ସିଆରପିସିର 41A ନୋଟିସରେ ଛାଡ଼ିଦିଆଗଲା। ତେବେ କାହା ଚାପରେ ପୁଲିସ ଅଭିଯୁକ୍ତଙ୍କୁ ଛାଡ଼ିଲା ବୋଲି ଚର୍ଚ୍ଚା ଭିତରେ ତତ୍କାଳୀନ ଡିସିପି ଉମାଶଙ୍କର ଦାସଙ୍କ ନାଁ ଉଠିଥିଲା। କିନ୍ତୁ ଉମାଶଙ୍କରଙ୍କ କୌଣସି ସଂପୃକ୍ତି ନାହିଁ ବୋଲି ଇନଫୋସିଟି ପୁଲିସ ଦେଇଥିବା ଆରଟିଆଇ ତଥ୍ୟରେ ସ୍ପଷ୍ଟ କରିଛି। ଏହି ଠକେଇ ମାମଲାର ସମୀକ୍ଷା ଲାଗି ତତ୍କାଳୀନ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଓ ଅତିରିକ୍ତ ଡିସିପି ତପନ କୁମାର ଦାସଙ୍କୁ ତଦାରଖ ଲାଗି ଦାୟିତ୍ୱ ଦେଇଥିଲେ ଡିସିପି।.. ତେବେ ତପନ ଦାସ, ସମିତା ମିଶ୍ର କି ପ୍ରକାଶ ପାଲ୍। ଏ ସମସ୍ତ ଅଧିକାରୀ ଅଭିଯୁକ୍ତଙ୍କ ପଛରେ ପଡ଼ିବା ବଦଳରେ ପୀଡିତା ନିଶାରାଣୀ ମହାପାତ୍ର ଓ ତାଙ୍କ ସ୍ୱାମୀ ପ୍ରଜ୍ଞାପ୍ରକାଶ ନାୟକଙ୍କ ପଛରେ ପଡ଼ିଯାଇଥିଲେ। ଗୋଟିଏ ପଟେ ଲୁମେକ୍ସ ଠକେଇ ଅଭିଯୁକ୍ତଙ୍କୁ ଥାନାରୁ 41A ନୋଟିସରେ ଛାଡ଼ିଦେଇଥିଲା ବେଳେ ଅନ୍ୟପଟେ ଅଭିଯୋଗକାରିଣୀଙ୍କ ସ୍ୱାମୀ ପ୍ରଜ୍ଞାପ୍ରକାଶଙ୍କୁ ବେଆଇନ ଅଟକ ରଖି ପଛରେ ହାଇକୋର୍ଟଙ୍କ ଡରରେ ଗିରଫ କରି କୋର୍ଟ ଚାଲାଣ କରିଛୁ ବୋଲି ଦର୍ଶାଇଥିଲା। ଏବେ ଅଭିଯୁକ୍ତ ଫେରାର୍ କହି ନୂଆ ଖେଳ ଖେଳୁଛି ପୁଲିସ। ମୁଖ୍ୟ ଅଭିଯୁକ୍ତ ରାଜୀବ ଦାସ ଓ ତାଙ୍କ ପତ୍ନୀ ସୋନିଆ ତ୍ରିପାଠୀ ବି ବନ୍ଧା ହୋଇନଥାଆନ୍ତେ। ଯଦି ପୀଡ଼ିତା ନ୍ୟାୟ ଲାଗି ସଂଘର୍ଷର ବାଟ ଭୟରେ ଛାଡ଼ିଦେଇଥାଆନ୍ତେ। ସେଥିଲାଗି ତ ୧୭ ମାସ ହେଲା ଅଭିଯୁକ୍ତଙ୍କୁ ପାଉନଥିବାର ଭେଳିକି ରଚିଥିଲା କମିଶନରେଟ ପୁଲିସ। ସବୁତକ ଟଙ୍କା ଚଳୁ କରିଦେଇଥିବା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବାର ଅଭିଯୋଗ ଉଠିଥିଲା। ସମସ୍ତ ପ୍ରମାଣ ନଷ୍ଟ ଲାଗି ଅଭିଯୁକ୍ତଙ୍କୁ ଯଥେଷ୍ଟ ସମୟ ବି ଦିଆଯାଇଥିଲା। ସେଥିଲାଗି ତ ଦାବି ହେଉଛି। ଉପଯୁକ୍ତ ତଦନ୍ତ କରି ଏଭଳି ଆଇନ ସହ ଖେଳ ଖେଳିଥିବା ସମସ୍ତ ଦୋଷୀ ପୁଲିସ ଅଫିସରଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ। କୋର୍ଟଙ୍କ ନିର୍ଦେଶର ଅନୁପାଳନ କରି କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହେବା ଜରୁରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *