LUMEX RESOURCES FRAUD POLITICS (କୁଆଡ଼େ ଗଲେ ଠକ ଦମ୍ପତ୍ତି)

Spread the love

22/03/2023

() ଲୁମେକ୍ସ ସଂସ୍ଥାର ମହାଠକାମୀକୁ ନେଇ ବିଧାନସଭାରେ ପ୍ରସଙ୍ଗ ଉଠିବା ପରେ ଏବେ ଏହାକୁ ନେଇ ହାଟରେ ବାଟରେ ସବୁଠି ଚର୍ଚ୍ଚା। ଅଭିଯୁକ୍ତ ଦମ୍ପତ୍ତି ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କୁ ବାନ୍ଧିବାକୁ ପୁଲିସର ହାତ ଯାଉନି କାହିଁକି। ହାଇକୋର୍ଟଙ୍କ ନିର୍ଦେଶକୁ ଅନୁପାଳନ କରିବାକୁ କାହିଁକି ପଛାଉଛି ପୁଲିସ। ଗୃହ ଭିତରେ ଏହାକୁ ନେଇ ବିରୋଧୀଙ୍କ ଯେତିକି ଉଦବେଗ, ଗୃହ ବାହାରେ ବି ପୁଲିସର ପାରିଲାପଣିଆକୁ ନେଇ ସେତିକି ପ୍ରଶ୍ନ। ଆଉ ଶାସକ ଦଳର ଦମ୍ଭୋକ୍ତି, ଆଇନ ଅଛି। ଆକ୍ସନ ନିଶ୍ଚିତ।

ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କିଛି ଏଭଳି ଢଙ୍ଗରେ ଉତ୍ତର ରଖିଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସବଳ ଥିବାରୁ ଓଡ଼ିଶା ଆଜି ଆଗରେ। ଆଇନଶୃଙ୍ଖଳା ଠିକ୍ ନଥିଲେ ପୁଞ୍ଜିନିବେଶ ହୁଅନ୍ତାନି। ପୁଲିସ ବ୍ୟବସ୍ଥାରେ ସ୍ୱଛତା ଓ ଗୁଣାତ୍ମକ ସେବା ଆଣିବାକୁ ଲୋକଙ୍କ ମତାମତ ନିଆଯାଉଛି। ଲୋକ ଭଲ ବୋଲି ଫିଡବ୍ୟାକ୍ ଦେଉଛନ୍ତି। ପୁଲିସ ପ୍ରତି ଲୋକଙ୍କ ବିଶ୍ୱସନୀୟତା ଯେତେ ବୃଦ୍ଧି ପାଇବ, ତାହା ହିଁ ମୁଖ୍ୟମନ୍ତ୍ରୀଙ୍କ ଏହି ଦମ୍ଭୋକ୍ତି ପଛର ବଡ଼ ଆଧାର। ହେଲେ ଲୁମେକ୍ସ ଓ ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଅଭିଯୁକ୍ତ ଦମ୍ପତ୍ତି ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କ କ୍ଷେତ୍ରରେ ପୁଲିସର ସ୍ଥାଣୁତା କେଉଁଠି ନା କେଉଁଠି ମୁଖ୍ୟମନ୍ତ୍ରୀଙ୍କ କଥାକୁ ଗୌଣ କରିଦେଉନି ତ। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଅନୁପାଳନ କରିପାରୁନି ପୁଲିସ। ନିଶାରାଣୀଙ୍କୁ ନ୍ୟାୟ ଦେଇପାରୁନି ପୁଲିସ। ବିଧାନସଭାରେ ବିରୋଧୀ ଏହି ମହାଠକେଇ ବାବଦରେ ସ୍ୱର ଉଠାଇଲା ବେଳକୁ ଅଫିସର ଗ୍ୟାଲେରୀରେ ଥିବା ପୁଲିସର ଉଚ୍ଚପଦସ୍ଥ ଅଧିକାରୀଙ୍କ କାନରେ ବି ଏ କଥା ବାଜିଛି। କମିଶନରେଟ ପୁଲିସର ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ସମ୍ପର୍କୀୟ ହେତୁ ଅଭିଯୁକ୍ତ ବନ୍ଧା ହେଉନି ବୋଲି ଅଭିଯୋଗକାରିଣୀଙ୍କ ଅଭିଯୋଗରେ ସତ୍ୟତା ଥିଲେ, ସାଙ୍ଘାତିକ। ସେପଟେ ଗୃହ ବାହାରେ ବି କଂଗ୍ରେସ ରାଜୀବ ଦାସଙ୍କ ଏଭଳି କାରନାମାକୁ ନେଇ ସରକାରଙ୍କୁ ପ୍ରଶ୍ନବାଣ କରିଛି। ଏହି ମାମଲାରେ ବରିଷ୍ଠ ଆଇପିଏସଙ୍କ ସମ୍ପର୍କୀୟ ବୋଲି ଜାଣିଶୁଣି ଘଣ୍ଟ ଘୋଡ଼ାଉଛନ୍ତି ସରକାର। କିଏ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି, ଜଳଜଳ କରି ଦିଶୁଛି।

ସେପଟେ ଆଇନରୁ ଉର୍ଦ୍ଧ୍ୱରେ କେହି ନୁହଁନ୍ତି। ଯେତେ ପ୍ରଭାବଶାଳୀର ସମ୍ପର୍କୀୟ ହୋଇଥାଆନ୍ତୁ ନାଁ କାହିଁକି, ଦୋଷୀଙ୍କୁ ମୁଖ୍ୟମନ୍ତ୍ରୀ କେବେ ବରଦାସ୍ତ କରନ୍ତିନି। ଦୋଷୀ ଦଣ୍ଡ ପାଇବ ବୋଲି ଦମ୍ଭ ଦେଖାଇଛି ଶାସକ ଦଳ ନେତା ଧୃବ ସାହୁ

ସ୍ୱଛତା ଓ ନିର୍ମଳ ଭାବମୂର୍ତ୍ତି ହେଉଛି ମୁଖ୍ୟମନ୍ତ୍ରୀଙ୍କ ସଫଳତାର ମୁଖ୍ୟ ଚାବିକାଠି। ଲୋକଙ୍କ ବିଶ୍ୱାସ ଓ ଆସ୍ଥା କ୍ରମାଗତ ତାଙ୍କ ପ୍ରତି ବଢ଼ିଚାଲିଥିବା କଥା ବି ସତ। କିନ୍ତୁ ସେହି ଚାବିକାଠିକୁ କିଛି ପୁଲିସ ଅଧିକାରୀ ମଳିନ କରିବାକୁ ଚେଷ୍ଟା କରୁନାହାନ୍ତି ତ। ନ୍ୟାୟ ଓ ସେବା ପାଇଁ ଶୃଙ୍ଖଳା ଓ ସଂସ୍କାର ଉପରେ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ପଛରେ କେହି ଏମିତି କିଛି ଫନ୍ଦି କରୁଛନ୍ତି କି। ଯାହା ଦ୍ୱାରା ନିବେଶକ ନିଶାରାଣୀ ଅବା ପ୍ରଜ୍ଞାପ୍ରକାଶ ଆଜି ନ୍ୟାୟ ଲାଗି ବାର ଦୁଆର ହେବାକୁ ପଡ଼ିବା ସାର ହେଉଛି।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍..।

Leave a Reply

Your email address will not be published. Required fields are marked *