ରୋଡ୍ ରୋମିଓଙ୍କ ଉତ୍ପାତର ଶୀକାର ହେଲେ କୋଷ୍ଟଗାର୍ଡ ଡିଆଇଜି ଓ ତାଙ୍କ ପତ୍ନୀ

ସପିଂ ସାରି ଫେରୁଥିବା ବେଳେ ରୋଡ୍ ରୋମିଓଙ୍କ ଉତ୍ପାତର ଶୀକାର ହେଲେ କୋଷ୍ଟଗାର୍ଡ ଡିଆଇଜି ଓ ତାଙ୍କ ପତ୍ନୀ। ସାଇଡମରାକୁ କେନ୍ଦ୍ର କରି କଳିଙ୍ଗ ଷ୍ଟାଡିଅମ ନିକଟରେ ହାତାହାତି ପରିସ୍ଥିତି ସୃଷ୍ଟି ହେଲା। ନୂଆପଲ୍ଲୀ ଥାନାରେ ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ। ସେପଟେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଘଟଣାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ଦ୍ୱିତୀୟ ବୈଠକ ସରିଛି। ଗୃହ ସଚିବ ଓ ଡିଜି ଯୋଗଦେଇଛନ୍ତି। ତଦନ୍ତର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଉପସ୍ଥାପିତ କରିଛି କ୍ରାଇମବ୍ରାଞ୍ଚ।

ଗୁରୁବାର ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମ ନିକଟରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାଶ ଓ ତାଙ୍କ ପତ୍ନୀଙ୍କୁ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର ମାମଲାରେ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ୟୁ-ଟର୍ଣ୍ଣ ନେବା ସମୟରେ ସାଇଡମରାକୁ କେନ୍ଦ୍ର କରି ଦୁଇ ରୋଡ୍ ରୋମିଓଙ୍କ ସହ ହାତାହାତି ଯାଏ କଥା ଯାଇଥିଲା। ଡିଆଇଜି ଏ ସମ୍ପର୍କରେ ନୂଆପଲ୍ଲୀ ଥାନାରେ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ପୁଲିସ କମିଶନର ବି ରାତିଅଧରେ ଥାନାକୁ ଯାଇ ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଘଟଣା ବାବଦରେ ପଚାରି ବୁଝିଥିଲେ। ସପିଂ ସାରି ଫେରୁଥିବା ବେଳେ ରୋଡ୍ ରୋମିଓଙ୍କ ଦ୍ୱାରା ଦୁର୍ବ୍ୟବହାରର ଶୀକାର ହୋଇଥିଲେ ଡିଆଇଜି। ସିସିଟିଭି ଆଧାରରେ ଦୁ଼୍ଇ ଅଭିଯୁକ୍ତଙ୍କୁ ଗିରଫ ସହ ସେମାନଙ୍କ ଗାଡ଼ି ଜବତ କରିଛି ପୁଲିସ। ଉଭୟ ଅଭିଯୁକ୍ତ ସୁବାଶିଷ ଓ ବିକାଶ ମହାନ୍ତି ନିଶାଗ୍ରସ୍ତ ଥିଲେ। ଜଣେ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ର ଓ ଅନ୍ୟ ଜଣେ ପ୍ରାଇଭେଟ୍ ଚାକିରୀଆ।

ସେପଟେ କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ପୁଲିସର ନିର୍ଯ୍ୟାତନା ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିଲା ଦ୍ୱିତୀୟ ବୈଠକ। ସତ୍ୟପାଠ ଯାଞ୍ଚ ପରେ ସମନ ହେବ ବୋଲି କହିଛନ୍ତି କମିଶନଙ୍କ ସଚିବ। ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କଠୁ ତଥ୍ୟ ଲୋଡ଼ିଥିଲେ କମିଶନ।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଅଧିକାରୀଙ୍କ ବୟାନ ଏଯାଏଁ ରେକର୍ଡ ହୋଇନି। ବୈଠକରେ ଗୃହ ସଚିବ ଓ ଡିଜି ଉପସ୍ଥିତ ଥିଲେ। ଦୁଇ ତଦନ୍ତକାରୀ ଅଧିକାରୀ ବି ସାମିଲ୍ ଥିଲେ। ନିକଟରେ ନିଲମ୍ୱିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ କରି ଗୁଜରାଟ ଗାନ୍ଧୀନଗରରୁ ଫେରିଛି ପୁଲିସ। ଦୀନକୃଷ୍ଣଙ୍କ ବ୍ରେନମ୍ୟାପିଂ ଓ ନାର୍କୋ ଆନାଲିସିସ ଟେଷ୍ଟ ବି ହୋଇଛି।

ସାଇଡ୍‌ମରାକୁ କେନ୍ଦ୍ର କରି ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କ ସହ ରୋଡ୍‌ ରୋମିଓଙ୍କ ଛକାପଞ୍ଝା, ଭରତପୁର ଥାନାକୁ ଯାଇ ନ୍ୟାୟ ପାଇବା ବଦଳରେ ସାରା ରାତି ପୁଲିସର ନିର୍ଯାତନାର ଶୀକାର ହେବା ଘଟଣା ସାରା ଦେଶରେ ହଇଚଇ ଖେଳାଇଦେଇଥିଲା। ଏବେ ରୋଡ୍ ରୋମିଓଙ୍କ ଦ୍ୱାରା ଦୁର୍ବ୍ୟବହାରର ଶୀକାର ହେଲେ କୋଷ୍ଟଗାର୍ଡ ଡିଆଇଜି ଓ ତାଙ୍କ ପତ୍ନୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *