ଅଙ୍କିତାଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି

Spread the love

ଝାଡ଼ଖଣ୍ଡ ଡୁମକାର ଝିଅ ଅଙ୍କିତାଙ୍କର ପ୍ରକୃତ ବୟସ କେତେ। ସେ ନାବାଳିକା ନା ସାବାଳିକା। ଏକ ତରଫା ପ୍ରେମ ନିବେଦନ କରି ବିଫଳ ପରେ ଶାହାରୁଖ ହୁସେନ ପେଟ୍ରୋଲ ଢାଳି ଅଙ୍କିତାଙ୍କୁ ଜାଳି ଦେଇଥିଲା। ଅଭିଯୁକ୍ତ ଶାହାରୁଖକୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ବିଭିନ୍ନ ହିନ୍ଦୁ ସଂଗଠନ ଦାବିକୁ ଶାଣିତ କରୁଥିଲା ବେଳେ ଡୁମକା ଡିଏସପି ନୁର ମୁସ୍ତଫାଙ୍କ ଭୂମିକାକୁ ସନ୍ଦେହର ସ୍କାନରରେ ଦେଖାଯାଇଛି। ଆଉ ଏହାକୁ ନେଇ ଝାଡ଼ଖଣ୍ଡ ରାଜନୀତି ବି ତେଜିବାରେ ଲାଗିଛି।

ଏକ ତରଫା ପ୍ରେମର କରୁଣ ପରିଣତି। ଡୁମକାର ଯୁକ୍ତ ଦୁଇ ଛାତ୍ରୀ ଅଙ୍କିତା ସିଂ ଶୋଇଥିଲା ବେଳେ ଝରକା ପଟେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲା ଅଭିଯୁକ୍ତ ଶାହାରୁଖ ହୁସେନ୍। ମରଣ ସହ ୫ ଦିନ ଯୁଝିବା ପରେ ସବୁଦିନ ଲାଗି ଆଖି ବୁଜିଦେଇଛନ୍ତି ଅଙ୍କିତା। କାରଣ ନିଆଁରେ ୯୫ ପ୍ରତିଶତ ପୋଡ଼ି ଯାଇଥିଲା। ଶାହାରୁଖକୁ ପୁଲିସ ଗିରଫ କରିଛି। ତେବେ ଏହି ଘଟଣାକୁ ନେଇ ତଦନ୍ତ ଦିଗହରା ହେଉଥିବା କଥା ଜଳଜଳ କରି ଦିଶୁଛି ବୋଲି ମୃତକଙ୍କ ପରିବାର, ବିଭିନ୍ନ ହିନ୍ଦୁ ସଂଗଠନ ସମେତ ବିଜେପି ଦଳ ଆରୋପ ଲଦିଛି। ଅଙ୍କିତାଙ୍କ ବାପାଙ୍କ କହିବା କଥା, ତାଙ୍କ ଝିଅର ବୟସ ୧୬ ବର୍ଷ। ହସ୍ପିଟାଲ ଶଯ୍ୟାରେ ସଙ୍କଟାପନ୍ନ ଅବସ୍ଥାରେ ପୁଲିସକୁ ଦେଇଥିବା ବୟାନ ଓ ବୟସ ବାବଦରେ ହୁଏତ ପୁଲିସ ଠିକରେ ଶୁଣିପାରିନି। ଅଙ୍କିତାକୁ ସାବାଳିକା ଦର୍ଶାଇବାକୁ ଅପପ୍ରୟାସ ହେଉଛି। ପୁଲିସ ଅଙ୍କିତାଙ୍କର ଆଧାର କାର୍ଡ ଓ ଦଶମ ଶ୍ରେଣୀ ସାର୍ଟିଫିକେଟ ନେଇଛି। ବୟସକୁ ନେଇ ଥିବା ତୃଟି ସୁଧାରିବ ପୁଲିସ୍।

ସେପଟେ ଡୁମକା ପବ୍ଲିକ ରିଲେସନ ଅଫିସର ବି ସ୍ପଷ୍ଟ କରିଛନ୍ତି କି, ଅଙ୍କିତାଙ୍କର ବୟସ ୧୯ ନୁହେଁ। ତାଙ୍କର ବୟସ ୧୬ ବର୍ଷ। ପୁଲିସ ରେକର୍ଡରେ ୧୯ ବର୍ଷ ଯାହା ଦର୍ଶାଯାଇଥଲା, ତାହା ଭୁଲ୍‌ ବୋଲି ଝାଡ଼ଖଣ୍ଡ ଶିଶୁ ବିକାଶ କମିଟି ସ୍ପଷ୍ଟ କରିଛି। ଏପରିକି ଚାଇଲଡ ଓ୍ୱେଲଫେୟାର କମିଟି ଏସପିଙ୍କୁ ସୁପାରିଶ କରିଛି କି, ଏହି ମାମଲାରେ ପୋକ୍ସୋ ଆକ୍ଟର ଧାରା ବି ଲାଗୁ। ସିଡବ୍ଲୁସି ଅଧ୍ୟକ୍ଷ ଅମରେନ୍ଦ୍ର କୁମାର କହିଛନ୍ତି କି, ସାର୍ଟିଫିକେଟରୁ ଜଣାପଡ଼ିଛି କି, ଅଙ୍କିତାଙ୍କ ବୟସ ୧୫ ବର୍ଷ ୯ ମାସ। ଗଣମାଧ୍ୟମରୁ ଜାଣିବାକୁ ପାଇଲୁ କି, ଅଙ୍କିତା ନିଜର ବୟସ ୧୯ ବର୍ଷ ବୋଲି ପୁଲିସକୁ ବୟାନ ଦେଇଥିଲା। ତେବେ କେଉଁଠି ଦ୍ୱନ୍ଦ୍ୱ ରହିଲା କହିବା ମୁସ୍କିଲ। କାରଣ ଅଙ୍କିତାଙ୍କର ଜମାନବନ୍ଦୀ ମାଜିଷ୍ଟ୍ରେଟଙ୍କ ଆଗରେ ନିଆଯାଇଥିଲା। ସଂପୃକ୍ତ ମାଜିଷ୍ଟ୍ରେଟ୍ ହିଁ କହିପାରିବେ, ସେତେବେଳେ ପୀଡ଼ିତା କଅଣ କହିଥିଲା।

ସେପଟେ ସୋରେନ ସରକାରଙ୍କୁ ଏହି ମାମଲାରେ ନିରନ୍ତର ଘେରିବାରେ ଲାଗିଛି ବିଜେପି। ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ କହିଛନ୍ତି କି, ଏହି ଘଟଣା ପରେ ମାନବତା, ସମାଜ ଓ ଝାଡ଼ଖଣ୍ଡ ଲଜ୍ଜିତ ହୋଇଛି। ଲଭ୍‌ ଜିହାଦ୍ ଜରିଆରେ ଡେମୋଗ୍ରାଫି ବଦଳାଇବାକୁ ଚାହୁଁଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି କି, ଅଙ୍କିତାଙ୍କୁ ଜାଳିଥିବା ଦୁର୍ବୃତ୍ତ କୌଣସିମତେ କ୍ଷମା ପାଇବାର ହକଦାର ନୁହେଁ। ସମାଜରେ ଅନେକ କ୍ରୁରତା ଓ ହିଂସା ଭିତରୁ ଏହା ଅତି ଜଘନ୍ୟ ଥିଲା। ଆଇନ ଅନୁସାରେ ଉଚିତ୍ ପଦକ୍ଷେପ ନିଆଯିବ। ଯେତେ ଜଲଦି ଅଭିଯୁକ୍ତକୁ ସଜା ମିଳିବ, ତା ଉପରେ ସରକାର କାମ କରୁଛନ୍ତି। ଅଙ୍କିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ବି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ମାମଲାର ଶୁଣାଣୀ ଫାଷ୍ଟଟ୍ରାକ୍ କୋର୍ଟରେ ହେବ। ଏଡିଜି ରାଙ୍କର ଅଧିକାରୀଙ୍କୁ ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିଜିଙ୍କୁ ସିଏମଓ ନିର୍ଦେଶ ଦେଇଛି।

ଅଙ୍କିତା ହତ୍ୟା ମାମଲାରେ ଅଭିଯୁକ୍ତ ଶାହାରୁଖକୁ ପେଟ୍ରୋଲ ଦେଇଥିବା ଅନ୍ୟତମ ଅଭିଯୁକ୍ତ ନଇମ୍ ଅନସାରୀକୁ ବି ପୁଲିସ ବାନ୍ଧିଛି। ଡିଏସପି ନୁର୍ ମୁସ୍ତଫାଙ୍କୁ ତଦନ୍ତରୁ ହଟାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *