ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ବିଜେପିରୁ ବହିଷ୍କୃତ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗାରଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିବା ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲଗାଇଲେ ସୁପ୍ରିମକୋର୍ଟ। ଏହା ସହ କୁଲଦୀପଙ୍କୁ ବି ନୋଟିସ୍ ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଏହି ନିଷ୍ପତ୍ତିର ପୁନର୍ବିଚାର ଲାଗି ସୁପ୍ରିମକୋର୍ଟ ଯାଇଥିଲା ସିବିଆଇ। କୁଲଦୀପଙ୍କ ଆଜୀବନ କାରାଦଣ୍ଡର ସଜ୍ଜାକୁ ନିଲମ୍ୱିତ କରି କିଛି ସର୍ତ୍ତ ସହ ହାଇକୋର୍ଟ ଜାମିନ୍ ଦେଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ଜର୍ଜ ମସିହାଙ୍କୁ ନେଇ ତିନି ସଦସ୍ୟ ବିଶିଷ୍ଟ ଅବକାଶକାଳୀନ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ସିଜେଆଇ କହିଛନ୍ତି, ହାଇକୋର୍ଟର ଯେଉଁ ବିଚାରପତି ଏଭଳି ରାୟ ଶୁଣାଇଥିଲେ, ସେ ବହୁତ୍ ଭଲ ବିଚାରପତି। ଅବଶ୍ୟ ଭୁଲ୍ କାହା ପାଖରେ ବି ହୋଇପାରେ। ପୋକ୍ସୋ ଆଧାରରେ ଯଦି କନଷ୍ଟେବଳ ଲୋକସେବକ ହୋଇପାରନ୍ତି। ତାହେଲେ ଏଥିରୁ ବିଧାୟକଙ୍କୁ କେମିତି ବାଦ୍ ଦିଆଯିବ। ଏହା ହିଁ ଚିନ୍ତାର ବିଷୟ। ସିବିଆଇ ଯୁକ୍ତି ବାଢ଼ିଥିଲା ଯେ, ଅପରାଧ ସମୟରେ ବିଧାୟକ ଭଳି ସାମ୍ୱିଧାନିକ ପଦରେ ଥିଲେ କୁଲଦୀପ। କିନ୍ତୁ ତାଙ୍କୁ ଜନସେବକ ଭାବେ ବିବେଚନା ନ କରି ଓ ପୋକ୍ସୋ ଆଧାରରେ ମାମଲା ଚାଲିବା ଯୋଗ୍ୟ ନୁହେଁ କହି ତାଙ୍କୁ ଜାମିନ୍ ଦେଇ ହାଇକୋର୍ଟ ଭୁଲ କରିଛନ୍ତି। ପୀଡିତା ନାବାଳିକା ଥିଲେ, ଅପରାଧ ଥିଲା ନୃଶଂସ। ସଲିସିଟର ଜେନେରାଲ କହିଥିଲେ, ସେଙ୍ଗାର ଅଭିଯୁକ୍ତ ନଥିଲେ, ବରଂ ନିଃସନ୍ଦେହରେ ଦୋଷୀ ଥିଲେ। ଗଲା ୨୩ ତାରିଖରେ କୁଲଦୀପଙ୍କୁ ସର୍ତ୍ତମୂଳକ ଜାମିନ ଦେଇ ହାଇକୋର୍ଟ କହିଥିଲେ, କୁଲଦୀପ ପୂର୍ବରୁ ହିଁ ୩ ବର୍ଷ ୫ ମାସ ହେଲା ଜେଲରେ ସଜ୍ଜା କାଟିସାରିଛନ୍ତି। ପୁଲିସ କଷ୍ଟଡ଼ିରେ ପୀଡ଼ିତାଙ୍କ ବାପାଙ୍କ ମୃତ୍ୟୁ ମାମଲାରେ ସେଙ୍ଗାରଙ୍କୁ ୧୦ ବର୍ଷ ସଜ୍ଜା କାଟିବା ମାମଲାରେ କୌଣସି ଆଶ୍ୱସ୍ତି ମିଳିନି। ରବିବାର ପୀଡ଼ିତା କହିଥିଲେ, ସୁପ୍ରିମକୋର୍ଟ ଉପରେ ତାଙ୍କର ଭରସା ଅଛି। ଏହା ସହ ସାଂଘାତିକ ଆରୋପ ଲଦିଥିଲେ ଯେ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଓ ସିବିଆଇର ଯାଞ୍ଚ ଅଧିକାରୀ ଲାଞ୍ଚ ନେଇଛନ୍ତି। ତାଙ୍କ ସ୍ୱାମୀଙ୍କ ଚାକିରୀ ଛଡ଼ାଇନେଲେ। ତାଙ୍କ ପିଲା ଓ ସାକ୍ଷୀଙ୍କ ଜୀବନ ବିପଦରେ ପଡ଼ିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସୁରକ୍ଷା ମାଗିଥିଲେ। ପୀଡ଼ିତାଙ୍କ ସମର୍ଥନରେ ମହିଳା କଂଗ୍ରେସ କର୍ମୀ ସୁପ୍ରିମକୋର୍ଟ ବାହାରେ ପ୍ରଦର୍ଶନ କରିଥିଲେ। ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା। ପୀଡ଼ିତାଙ୍କ ଭଉଣୀ କହିଥିଲେ, ତାଙ୍କ ପରିବାରକୁ ଛାରଖାର କରିଦେଲେ। ଦୁଷ୍କର୍ମ, ହତ୍ୟା ଓ ଧମକ ଦେଇଥିବା ତତ୍ତ୍ୱଙ୍କୁ କେମିତି କୋର୍ଟ ଛାଡ଼ିଦେଲେ। ପୀଡ଼ିତାଙ୍କୁ ନ୍ୟାୟ ମିଳିବା ଦରକାର। ସେମାନେ କେବଳ ପୀଡ଼ିତାଙ୍କୁ ନୈତିକ ସମର୍ଥନ ଓ ସାହାସ ଦେବାକୁ ଆସିଥିଲା ବେଳେ ସ୍ୱରକୁ ଦମନ କରାଯାଉଛି ବୋଲି କହିଛି କଂଗ୍ରେସ।
ସେପଟେ କୁଲଦୀପ ସେଙ୍ଗାରଙ୍କ ଝିଅ ଐଶ୍ୱର୍ଯ୍ୟା କହିଥିଲେ, ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କ ପରିବାରର ସମ୍ପୂର୍ଣ୍ଣ ଭରସା ଅଛି। ଧୈର୍ଯ୍ୟ ନ ହରାଇବାକୁ କୁଲଦୀପଙ୍କ ସମର୍ଥକଙ୍କୁ ଆହ୍ୱାନ କରିଥିଲେ। ଉନ୍ନାଓ ଲୋକେ ଏହାକୁ ନେଇ କୌଣସି ପ୍ରକାର ଆନ୍ଦୋଳନ ନ କରିବାକୁ ଅପିଲ୍ କରିଥିଲେ। ଶୁଣାଣୀ ପୂର୍ବରୁ ନିଜ ଓକିଲଙ୍କ ସହ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ଐଶ୍ୱର୍ଯ୍ୟା।
କୁଲଦୀପ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡକୁ ସସପେଣ୍ଡ ସହ ସର୍ତ୍ତମୂଳକ ଜାମିନ ଆଦେଶ ଉପରେ ଲାଗିଲା ସୁପ୍ରିମ ରୋକ୍। ୨୦୧୭ରେ ଉନ୍ନାଓ ରେପ୍ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ପୀଡ଼ିତା ଓ ତାଙ୍କ ପରିବାର ଧାରଣା ଦେଇଥିଲେ। ଦିଲ୍ଲୀ ହାଇକୋର୍ଟ ସମ୍ମୁଖରୁ ନେଇ ଜନ୍ତରମନ୍ତର ପର୍ଯ୍ୟନ୍ତ, ଆନ୍ଦୋଳନ କରିଥିଲେ ମହିଳା ସଂଘ।
Naxatra News is now on Whatsapp
Join and get latest news update delivered to you via whatsapp
Join Now