ଆରମ୍ଭ ହେଲା ନବରଙ୍ଗପୁରର ସାଂସ୍କୃତିକ ଲୋକମହୋତ୍ସବ ମଣ୍ଡେଇ। କଳା ଓ ସଂସ୍କୃତି ଜରିଆରେ ପ୍ରତିଭାର ଅନ୍ୱେଷଣର ଏହି ମହୋତ୍ସବ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି। ପାରମ୍ପରିକ ବାଦ୍ୟ, ସଙ୍ଗୀତ ଓ ସ୍ଥାନୀୟ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟର ତାଳେ ତାଳେ ମଣ୍ଡେଇର ପ୍ରଥମ ସଂଧ୍ୟା ଥିଲା ବେଶ୍ ଚିତ୍ତାକର୍ଷକ। ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ମାଆଙ୍କ ଆଜ୍ଞାମାଳ ନେଇ ସହର ପରିକ୍ରମା ହୋଇଥିଲା। ମଣ୍ଡେଇ ପଡ଼ିଆରେ ଶୋଭାଯାତ୍ରା ପହଞ୍ଚିବା ପରେ ଆଦିବାସୀଙ୍କ ପ୍ରତୀକ ଭିମା ଭିମାଣୀଙ୍କ ମୂର୍ତ୍ତିକୁ ମଣ୍ଡେଇ ମଞ୍ଚରେ ସ୍ଥାପନା କରି ବିଧିବଦ୍ଧ ଆରମ୍ଭ ହୋଇଥିଲା ସାଂସ୍କୃତିକ ଯାତ୍ରା।
ପ୍ରଥମ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ଲାବଣୀ, ଦୁଲଦୁଲି, ଗୁଣ୍ଡି ସହ ଓଡ଼ିଶାର ସୁପ୍ରସିଦ୍ଧ ଗାୟିକା ବର୍ଣ୍ଣାଳୀ ହୋତାଙ୍କ କଣ୍ଠର ଯାଦୁକରି ସମସ୍ତଙ୍କୁ ବାନ୍ଧି ରଖିଥିଲା। ମଣ୍ଡେଇର ଅନ୍ୟତମ ଆକର୍ଷଣ ପଲ୍ଲିଶ୍ରୀ ମେଳାରେ ଲାଗିଥିବା ୩୬୦ରୁ ଉର୍ଦ୍ଧ୍ୱ ଷ୍ଟଲରେ ଲାଗିଥିଲା ପ୍ରବଳ ଭିଡ଼। ଏହା ସାଙ୍ଗକୁ ମିନାବଜାରର ଭରପୁର ଆନନ୍ଦ ଉଠାଇଥିଲେ ଦର୍ଶକ ଓ ପର୍ଯ୍ୟଟକ। ତେବେ ଏତେ ବଡ଼ ମହୋତ୍ସବର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମର ପ୍ରମୁଖ ଭୂମିକା ଥିବା ସତ୍ତ୍ୱେ କଭରେଜ୍ ଲାଗି ସାମ୍ୱାଦିକଙ୍କ ଲାଗି ଅବ୍ୟବସ୍ଥା ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ଏହାକୁ ତୁଟାଇଥିଲେ।
ଚାରି ଦିନ ଧରି ମଣ୍ଡେଇକୁ ଉପଭୋଗ କରିବାକୁ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍କଣ୍ଠା ବାରି ହୋଇପଡ଼ୁଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now