ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ କ୍ଷୋଭ- କେବେ ଟଙ୍କା ଫେରାଇବେ ସରକାର ?

ବର୍ଷେ ହୋଇଗଲା। ହେଲେ ଟଙ୍କାଟିଏ ପାଇଲୁନି। ଏଭଳି ବାଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ। କ୍ଷମତାରେ ବସିବାର ୨୪ ଘଣ୍ଟା ଭିତରେ ଜମାକାରୀଙ୍କୁ ଟଙ୍କା ଫେରାଯିବ ବୋଲି କହିଥିଲା ବିଜେପି। କ୍ଷମତାକୁ ତ ଆସିଲା। ହେଲେ ନିଜ କଥା ରଖିଲାନି। ଟଙ୍କା ଫେରସ୍ତର ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ମୋହନ ସରକାର ବୋଲି ବର୍ଷିଛନ୍ତି ଜମାକାରୀ। ସରକାରଙ୍କ ଏ କି ପ୍ରକାର ମାନସିକତା ବୋଲି କ୍ଷୋଭ ଝାଡ଼ିଛନ୍ତି କ୍ଷତିଗ୍ରସ୍ତ ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସ ଓ ଉପଦେଷ୍ଟା ରବି ଦାସ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ୨ଥର ସାମ୍ୱାଦିକ ସମ୍ମିଳନୀ କରି ଛୋଟ ବଡ଼ ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତର ପ୍ରତିଶୃତି ଦେଇଥିଲେ। ପୂର୍ବ ସରକାର ଚିଟଫଣ୍ଡ କାଗଜପତ୍ର ହେରଫେର କରିଥିବା ଅଭିଯୋଗ କରି କାଗଜ ମିଳିଲେ ଟଙ୍କା ବଣ୍ଟା ହେବ ବୋଲି କହିଥିଲେ ମନମୋହନ। ଏଯାଏଁ କଅଣ କାଗଜ ମିଳିନି। ଖୋଦ୍ ମୁଖ୍ୟମନ୍ତ୍ରୀ ବି ନିଜେ ଚିଟଫଣ୍ଡ ଠକେଇର ଶୀକାର ହୋଇଥିବା କହିଥିଲେ। ସେଥିଲାଗି ଏବେ ଟଙ୍କା ଫେରସ୍ତର ବାଟ ପୂର୍ବଭଳି ଜଟିଳ ନୁହେଁ ବୋଲି ବି କହିଥିଲେ ମୁଖ୍ୟମନ୍ତ୍ରୀ। ତା ହେଲେ ସରକାର କ୍ଷତିଗ୍ରସ୍ତ ଜମାକାରୀଙ୍କ ଲୁହ ପୋଛିବା ବଦଳରେ ଏଭଳି ଖେଳ କାହିଁକି ଖେଳୁଛନ୍ତି ବୋଲି ପଚାରିଛି ମିଳିତ ମଞ୍ଚ। ସରକାର ଏ ଦିଗରେ ଚ୍ୱରିତ କାର୍ଯ୍ୟାନୁଷ୍ଠାନ ନ ନେଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ ଓ ଯୁଗ୍ମ ସମ୍ପାଦିକା ଅନୁରାଧା ସୁବୁଦ୍ଧି। ଏହି ମହାଠକେଇ ବିରୁଦ୍ଧରେ ୨୦୧୩ ମେ ମାସରୁ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଆନ୍ଦୋଳନ କରି ଆସୁଛି। ଜମାକାରୀ ଚିହ୍ନଟ, ଟଙ୍କା ଫେରସ୍ତ, ଅସାଧୁ ସଂସ୍ଥା ବିରୁଦ୍ଧରେ ଆଇନଗତ ଆକ୍ସନ ଆଦି ଅନେକ ଦାବି କରିଆସୁଛି ଆର୍ଥିକ ସଂସ୍ଥାଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ। କ୍ଷମତାରେ ବସିଛି ବିଜେପି। ନିର୍ବାଚନ ବେଳେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସେମାନଙ୍କ ଅର୍ଥ ଫେରସ୍ତର ପ୍ରତିଶୃତି ଦେଇଥିଲା ଦଳ। କିନ୍ତୁ ବର୍ଷେ ପୁରିବାକୁ ଯାଉଛି ସରକାରଙ୍କୁ। ଜମାକାରୀ ନିଜର ହକ୍ ପାଇଲେନି। ଯାହାକୁ ନେଇ ପୁଣି ମୁଣ୍ଡ ଟେକିଛି ସବୁଠୁ ବଡ଼ ଆର୍ଥିକ କେଳେଙ୍କାରୀର ଫର୍ଦ୍ଦ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *