ସମବାୟ ବିଭାଗ କାର୍ଯ୍ୟାବଳୀ ସମୀକ୍ଷା

Spread the love

ଭୁବନେଶ୍ୱର : ଚାଷୀଙ୍କ ଶସ୍ୟବୀମା ଆସନ୍ତା ତିନି ବର୍ଷ ପାଇଁ ସଂପୂର୍ଣ୍ଣ ମାଗଣା ହେବ । ରାଜ୍ୟ ସରକାର ୨୦୨୩ ଖରିଫ୍ ରୁ ୨୦୨୫-୨୬ ରବି ପର୍ଯ୍ୟନ୍ତ ଚାଷୀଙ୍କ ପ୍ରିମିୟମ ବାବଦ ଖର୍ଚ୍ଚ ବହନ କରିବେ ବୋଲି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି ।

ବିଭାଗୀୟ ସଫଳତା ସମ୍ବନ୍ଧରେ ସୂଚନା ଦେଇ ସମବାୟ ମନ୍ତ୍ରୀ  କହିଛନ୍ତି ଚାଷୀଙ୍କ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ସାରା ଦେଶରେ ଅନନ୍ୟ । ସମବାୟ ବିଭାଗର ବିଭିନ୍ନ ଉପଲବ୍ଧି ମଧ୍ୟରୁ ରାଜ୍ୟର ଚାଷୀମାନଙ୍କୁ କୃଷିଋଣ ଯୋଗାଣ ଅନ୍ୟତମ । ଆମ ରାଜ୍ୟରେ ତ୍ରିସ୍ତରୀୟ ସ୍ୱଳ୍ପମିଆଦୀ ସମବାୟ ଋଣ ବ୍ୟବସ୍ଥା ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ୧୭ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ ଓ ୨୭୧୦ ଗୋଟି ପ୍ରାଥମିକ କୃଷି ଋଣ ସମବାୟ ସମିତି(ପାକ୍‌ସ)ମାନେ ଚାଷୀମାନଙ୍କୁ ତାଙ୍କର ଆବଶ୍ୟକତା ମୁତାବକ ଯଥାସମୟରେ ଏବଂ ସହଜ ସୁବିଧା କିମ୍ବା ବିଧା ସୁଧରେ ଚାଷ ଋଣ ଯୋଗାଇ ଦେଉଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି, ଯାହାଫଳରେ କି ୨୦୨୨-୨୩ ବର୍ଷରେ ରାଜ୍ୟରେ ୭ ଲକ୍ଷରୁ ଉର୍ଦ୍ଧ୍ୱ ଅତିରିକ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଗୁଡିକୁ ମୋଟ ୧୬୬୮୩.୫୭ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଛି । ୨୦୦୦-୦୧ ବର୍ଷରେ ୬.୪୦ ଲକ୍ଷ ଚାଷୀଙ୍କୁ ଦିଆଯାଇଥିବା ୪୩୮.୩୬ କୋଟି ଟଙ୍କା ଋଣ ତୁଳନାରେ ଏହି ଅଭିବୃଦ୍ଧି ବିଭାଗର ସଫଳତାକୁ ସୂଚିତ କରୁଛି । ଏତଦ୍ ବ୍ୟତୀତ ରାଜ୍ୟରେ ପାକ୍‌ସମାନେ ଚାଷୀଙ୍କୁ ପ୍ରାମାଣିକ ବିହନ ଓ ସାର ଯୋଗାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ପାକ୍‌ସମାନଙ୍କ ଦ୍ୱାରା ସେବା ପ୍ରଦାନକୁ ଆହୁରି ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ୨୨୯୫ ଗୋଟି ପାକ୍‌ସର କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ ବ୍ୟବସ୍ଥାରେ କମ୍ପ୍ୟୁଟରୀକରଣ କରାଯାଇଛି ଯାହାକି ସାରା ଦେଶରେ ପ୍ରଥମ ଅଟେ । ତୃଣମୂଳ ସ୍ତରରେ ସ୍ୱଳ୍ପମିଆଦୀ ଋଣ ସେବା ବ୍ୟବସ୍ଥାର ସଂପ୍ରସାରଣ ପାଇଁ ୧୪୫୧ ଗୋଟି ନୂତନ ପାକ୍‌ସ ସଂଗଠିତ କରାଯାଇଛି ।

କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟର ଅନଲାଇନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ୬୬ ଗୋଟି ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ପ୍ଲାଟଫର୍ମରେ ସ୍ଥାନିତ କରାଯାଇଛି । ଇ-ନାମ ପ୍ଲାଟଫର୍ମରେ ଏଫପିଓମାନଙ୍କୁ ପଞ୍ଜିକରଣ କରାଯାଇଛି ଏବଂ ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଗ୍ରହଣ କରିଛି । ଆନ୍ତ-ମଣ୍ଡି ବାଣିଜ୍ୟ କାରବାରର ପରିମାଣରେ ପ୍ରଭୂତ ବୃଦ୍ଧି ଘଟି ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି ।

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ମୋଟ ୫୧ଟି ଗୋଦାମରୁ ୪୪ଟି ଗୋଦାମରେ ଓୟେରହାଉସିଂ ଡେଭଲପମେଂଟ ଆଣ୍ଡ ସଲ୍ୟୁସନ ଆକ୍ଟର ବ୍ୟବସ୍ଥା ଲାଗୁ କରାଯାଇଛି ଓ ଡବ୍ଲ୍ୟୂଡିଆରଏ ଅଧୀନରେ ପଞ୍ଜିକୃତ କରାହୋଇଛି ।

ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟଜନିତ ଫସଲ ହାନିରୁ ସୁରକ୍ଷା ଦେବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏବଂ ୨୦୨୧-୨୨ ବର୍ଷ ପାଇଁ ୩୧.୯୩ ଲକ୍ଷ ଚାଷୀଙ୍କୁ ୧୧୬୬.୦୨ ଗୋଟି ଟଙ୍କାର ବୀମାଅର୍ଥ ପ୍ରଦାନ କରାଯାଇଛି । ୨୦୨୩-୨୪ ବର୍ଷରୁ ଏହି ଯୋଜନାରେ ଉନ୍ନତିକରଣ ପୂର୍ବକ ଅଧିକ ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି ।

୨୦୨୩-୨୪ ବର୍ଷ ପାଇଁ ବିଭିନ୍ନ ଯୋଜନାର ରୂପାନ୍ତକରଣ ପୂର୍ବକ ସମସ୍ତ ମାର୍କେଟ ୟାର୍ଡ, ମ୍ୟୁନିସିପାଲିଟି, ମାର୍କେଟ ଓ କୃଷକ ବଜାରମାନଙ୍କୁ ଇ-ନାମ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା, ଜଟଣୀଠାରେ କ୍ୟାପିଟାଲ ରିଜିୟନ ଏଗ୍ରିକଲଚରାଲ ମାର୍କେଟ ସ୍ଥାପନ, କୃଷିଜାତ ଦ୍ରବ୍ୟର ଆନ୍ତଃରାଜ୍ୟ ବାଣିଜ୍ୟକୁ ପ୍ରୋତ୍ସାହନ, ରାଜ୍ୟରେ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ସମବାୟ କୃଷିଋଣ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତିକରଣ, ପାକ୍‌ସ ଭିତିଭୂମିର ବିକାଶ ସହ ମାଇକ୍ରୋ ଏଟିଏମ ସ୍ଥାପନ ପୂର୍ବକ ଏନପିସିଆଇ ଅନୁମୋଦିତ ଦେୟ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ଅନେକ ସମ୍ମାନ ଓ ପୁରସ୍କାର ହାସଲ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ । ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ଚଡ୍ଡା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *