ଓସ୍କାର ଦୌଡ଼ରେ ସାମିଲ ହେଲା ଲାପତା ଲେଡିଜ୍

ଓସ୍କାର ଦୌଡ଼ରେ ସାମିଲ ହେଲା ଲାପତା ଲେଡିଜ୍। କିରଣ ରାଓଙ୍କ ନିର୍ଦେଶିତ ଲାପତା ଲେଡିଜକୁ ଅଫିସିଆଲ ଏଣ୍ଟ୍ରି ମିଳିଛି ଓସ୍କାରରେ। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆର ଏକ କମିଟି ୨୯ଟି ଫିଲ୍ମ ଭିତରୁ ଲାପତା ଲେଡିଜକୁ ୨୦୨୫ ପାଇଁ ଅଫିସିଆଲି ଏଣ୍ଟ୍ରି ଭାବେ ଚୟନ କରିଛି। ନିଜର ନିଆରା କାହାଣୀ ଓ ସାମାଜିକ ସନ୍ଦେଶ ଲାଗି ଚର୍ଚ୍ଚାରେ ଥିଲା ଲାପତା ଲେଡିଜ୍।

ମାର୍ଚ୍ଚରେ ରିଲିଜ୍ ହୋଇଥିଲା ଲାପତା ଲେଡିଜ୍। ସାମୂହିକ ବିବାହ ଉତ୍ସବରେ ସାମିଲ୍ ହୋଇ ଘରକୁ ଟ୍ରେନରେ ଫେରୁଥିବା ବେଳେ କିଭଳି ନବବଧୂ ଭୁଲବଶତଃ ଅଦଳବଦଳ ହୋଇଯାଇଥିଲେ। ଏଭଳି ଏକ ନିଆରା କାହାଣୀକୁ ନେଇ କିରଣ ରାଓଙ୍କ ନିର୍ଦେଶିତ ଫିଲ୍ମ ଲାପତା ଲେଡିଜ୍ ରିଲିଜ୍ ପରେ ଦର୍ଶକ ଓ କ୍ରିଟିକ୍ସଙ୍କର ବେଶ୍ ପସନ୍ଦ ସାଜିଥିଲା। ସମାଜରେ ମହିଳାଙ୍କ ପରିଚୟକୁ ନେଇ ମଜାଦାର କମେଡ଼ି ସହ ସାମାଜିକ ବାର୍ତ୍ତା ଦେବାର ଅଭିନବ ପ୍ରୟାସ ଦେଖିବାକୁ ମିଳିଥିଲା ଫିଲ୍ମରେ। ଆଉ ଦର୍ଶକୀୟ ଆଦୃତି ପାଇଥିବା ଲାପତା ଲେଡିଜ୍ ଶେଷରେ ଓସ୍କାର ଦୌଡ଼ରେ ସାମିଲ୍ ହୋଇଛି। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆର ଏକ କମିଟି ୨୯ଟି ଫିଲ୍ମ ଭିତରୁ ଲାପତା ଲେଡିଜକୁ ଓସ୍କାର ଲାଗି ୨୦୨୫ ପାଇଁ ଅଫିସିଆଲି ଏଣ୍ଟ୍ରି ଭାବେ ଚୟନ କରିଛି। ୨୯ଟି ଫିଲ୍ମ ଭିତରେ ଆନିମଲ, ଆଟମ ଭଳି ଫିଲ୍ମ ବି ସାମିଲ୍ ଥିଲା। ଫିଲ୍ମର ଅସାଧାରଣ କଥା, କାହାଣୀ କହିବାର ଶୈଳୀକୁ ଭୁରି ଭୂରି ପ୍ରଶଂସା କରିଛି ଫେଡେରେସନ। ଫିଲ୍ମର ପୁରା ଟିମ୍ ବି ଓସ୍କାର ଏଣ୍ଟ୍ରିରେ ଆତ୍ମହରା ହୋଇପଡ଼ିଛି।

ଲାପତା ଲେଡିଜର ପ୍ରଥମ ସ୍କ୍ରିନିଂ ଗଲା ବର୍ଷ ଟୋରଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ହୋଇଥିଲା। ଫିଲ୍ମଟି ବେଶ୍ ପ୍ରଶଂସା ଗୋଟାଇଥିଲା। କିରଣ ରାଓଙ୍କ ଏହି ଫିଲ୍ମକୁ ୨୦୨୪ରେ ସୀମିତ ସ୍କ୍ରିନସରେ ରିଲିଜ୍ କରାଯାଇଥିଲା। ୫ କୋଟି ଟଙ୍କାରୁ କମ୍ ବଜେଟରୁ ଏହି ଫିଲ୍ମ ଓ୍ୱାର୍ଲଡଓ୍ୱାଇଡ୍ ୨୫ କୋଟି ଟଙ୍କାରୁ ଅଧିକ ଗ୍ରସ୍ କଲେକ୍ସନ କରିଛି। ନିତାଂଶୀ ଗୋଏଲ, ପ୍ରତିଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ, ଛାୟା କଦମ ଓ ରବି କିଶନଙ୍କ ଅଭିନୟକୁ ଜବରଦସ୍ତ ପ୍ରଶଂସା କରାଯାଇଥିଲା। ଏମିତିରେ ମହିଳାଙ୍କ ଉପରେ ସମ୍ୱେଦନଶୀଳ ଫିଲ୍ମ ତିଆରି କରିବା ଓ ନିର୍ଦେଶନା ଦେବାରେ କିରଣ ମାହିର୍। ରବି କିଶନ କହିଛନ୍ତି, ଜୀବନର ସବୁଠୁ ବିଶେଷ ମୂହୂର୍ତ୍ତ। ସ୍ୱପ୍ନ ପୂରଣ ହେବା ଭଳି ଲାଗୁଛି। ଏହି ଫିଲ୍ମ ଭାରତର ପ୍ରତିବିମ୍ୱ ଅଟେ। କାରଣ ମହିଳା ସଶକ୍ତିକରଣକୁ ଏହା ଦର୍ଶାଇଛି।

ଲାପତା ଲେଡିଜ୍ ଫିଲ୍ମ ଅମିର ଖାନ ପ୍ରଡକ୍ସନ ବ୍ୟାନରରେ ତିଆରି ହୋଇଛି। କିରଣ ରାଓ ଏହି ଫିଲ୍ମର ସହ ପ୍ରଯୋଜକ ବି ଅଟନ୍ତି। ୨୦୦୧ରେ ଅମିର ଖାନ୍ ପ୍ରଡ଼କ୍ସନରେ ପ୍ରଥମ ଫିଲ୍ମ ଲଗାନ୍ କୁ ବି ଓସ୍କାରରେ ଏଣ୍ଟ୍ରି ମିଳିଥିଲା। ଏହା ପରେ ତାରେ ଜମିନ୍ ପର୍ ଓ ପିପଲି ଲାଇଭ ଫିଲ୍ମକୁ ବି ଓସ୍କାର ପାଇଁ ପଠାଯାଇଥିଲା। ଲଗାନ ଓସ୍କାରରେ ସର୍ଟଲିଷ୍ଟ ହେବାରେ ସଫଳ ହୋଇଥିଲା ବେଳେ ବାକି ଦୁଇଟି ଫିଲ୍ମ ସର୍ଟଲିଷ୍ଟ ହୋଇପାରିନଥିଲା। ଏହାକୁ ମିଶାଉଇ ଚତୁର୍ଥ ଥର ଅମିର ଖାନ୍ ପ୍ରଡ଼କ୍ସନର ଫିଲ୍ମ ଭାରତର ଅଫିସିଆଲ ଏଣ୍ଟ୍ରି ସାଜି ଓସ୍କାର ରେସରେ ସାମିଲ୍ ହେବାକୁ ଯାଉଛି। ଏବେ ଅପେକ୍ଷା, ଲାପତା ଲେଡିଜ୍‌ ଓସ୍କାର ଦୌଡ଼ରେ କେଉଁଯାଏ ଯାଇପାରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *