ଅଚାନକ ଆସୁଛି ହୃଦଘାତ। ଆଉ କ୍ଷଣିକରେ ନେଇଯାଉଛି ଜୀବନ। କୋମଳମତି ପିଲାଙ୍କୁ ହାର୍ଟଆଟାକ। ଗୁଜରାଟର ଅହମଦାବାଦରେ ୮ ବର୍ଷୀୟ ଝିଅର ସ୍କୁଲ କ୍ୟାମ୍ପସରେ ହାର୍ଟ-ଆଟାକରୁ ମୃତ୍ୟୁ ଖବର ପୁଣି ସମସ୍ତଙ୍କୁ ବିଚଳିତ କରିଛି। ସ୍କୁଲରେ ଥିଲା। ଅଚାନକ ଛାତିରେ ଯନ୍ତ୍ରଣା ହେବାରୁ ଚୌକିରେ ବସିପଡ଼ିଲା। ଆଉ ତା ପରେ କିଛି ସେକେଣ୍ଡ ଭିତରେ ତଳେ ପଡ଼ିଯାଇଥିଲା। କେହି କିଛି ବୁଝିବା ଆଗରୁ ହୃଦଘାତର ଶୀକାର ହୋଇସାରିଥିଲା କୁନି ଝିଅଟି। ମୃତ୍ୟୁବରଣ କରିଥିବା ଝିଅଟିର ନାଁ ଗାର୍ଗି ରାଣପରା। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଝିଅଟିକୁ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ହସ୍ପିଟାଲ ନେବାକୁ ଆମ୍ୱୁଲାନ୍ସ ଡକାଯାଇଥିଲା। କିନ୍ତୁ ଆମ୍ୱୁଲାନ୍ସ ବିଳମ୍ୱ ହେଉଥିବା ଦେଖି ଜଣେ କର୍ମଚାରୀଙ୍କ କାରରେ ହସ୍ପିଟାଲ ନିଆଯାଇଥିଲା। ଗାର୍ଗିଙ୍କ ବାପା ମାଆ ମୁମ୍ୱାଇରେ ରୁହନ୍ତି। ଅହମଦାବାଦରେ ନିଜ ଜେଜେବାପା-ଜେଜେମାଆଙ୍କ ପାଖରେ ରହି ପଢ଼ୁଥିଲା। ଘଟଣା ପରେ ପୁଲିସ ସ୍କୁଲର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। କ୍ରାଇମବ୍ରାଞ୍ଚ ଟିମ୍ ବି ସ୍କୁଲରେ ପହଞ୍ଚି ଯାଞ୍ଚ କରିଛି।
ଜାନୁଆରୀ ୯ ତାରିଖରେ କର୍ଣ୍ଣାଟକର ଏକ ସ୍କୁଲରେ ଅନୁରୂପ ଘଟଣା ଘଟିଥିଲା। ଚାମରାଜନଗର ଜିଲ୍ଲାର ସେଣ୍ଟ ଫ୍ରାନ୍ସିସ ସ୍କୁଲର ୮ ବର୍ଷୀୟ ଛାତ୍ରୀ ତେଜସ୍ୱିନୀଙ୍କୁ କ୍ଲାସରୁମରେ ଆସିଥିଲା ଅଚାନକ ହାର୍ଟ-ଆଟାକ। ଶିକ୍ଷକଙ୍କୁ ନିଜର ଖାତା ଦେଖାଇବାକୁ ନିଜ ଆସନରୁ ଉଠି ପୁଣି ଅଚାନକ ବେହୋସ ହୋଇଯାଇଥିଲା ତେଜସ୍ୱିନୀ। ନିଜକୁ ସମ୍ଭାଳିବାକୁ କାନ୍ଥରେ ଭରା ବି ଦେଇଥିଲା। କିନ୍ତୁ ତଳେ ପଡ଼ିଯାଇଥିଲା। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପିଲାଙ୍କ ଦୁର୍ବଳ ହୃଦୟ ପଛରେ କଅଣ କାରଣ ରହିଛି। କାରଣ ହୃଦଘାତ ବିଶେଷ କରି ବୟସ୍କଙ୍କୁ ଦେଖାଯାଏ। କିନ୍ତୁ ପିଲାଙ୍କୁ ବି ହୃଦ୍ଘାତ ବେମାର ବିରଳ ବୋଲି ବିବେଚନା କରାଯାଏ। ତେବେ ପିଲାଙ୍କୁ ହାର୍ଟ-ଆଟାକ ପଛରେ ଅନେକ ସମ୍ଭାବ୍ୟ କାରଣ ରହିଛି ବୋଲି ବିଶେଷଜ୍ଞ କୁହନ୍ତି। କିଛି ପିଲାଙ୍କ ଜନ୍ମରୁ ହୃଦୟରେ ସମସ୍ୟା ଥାଏ। ଯାହାକି ସମୟ ଅନୁସାରେ ଜଣାନପଡ଼ିଲେ ଏହା ଗମ୍ଭୀର ସ୍ଥିତିକୁ ମୁହାଁଇଥାଏ। ଆଉ କେଉଁଠି ଜେନେଟିକ୍ ସ୍ଥିତି ଲାଗି ଉପୁଜିଥାଏ। କେଉଁଠି ହୃଦୟର ମାଂସପେଶୀ ମୋଟା ହୋଇଯାଏ। ଆଉ ରକ୍ତ ପ୍ରବାହରେ ଏହା ବାଧକ ସାଜିଥାଏ। ଯାହାକୁ ହାଇପରଟ୍ରାଫିକ କାର୍ଡିଓମାୟୋପ୍ୟାଥି କୁହାଯାଏ। ଏହା ବ୍ୟତୀତ ଶରୀରରେ ସୋଡିୟମ, ପୋଟାସିୟମ ଓ କ୍ୟାଲସିୟମର ସନ୍ତୁଳନ ନ ରହିଲେ ଏହାର ଖରାପ ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ। ଏହାକୁ ଇଲେକଟ୍ରୋଲାଇଟ୍ ଅସନ୍ତୁଳନ କୁହାଯାଏ। ପିଲାଙ୍କ ପଢ଼ା ତଥା ଅନ୍ୟ ଶାରୀରିକ ଗତିବିଧିରେ ଅତ୍ୟଧିକ ଚାପ ହାର୍ଟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ସଠିକ ସମୟରେ ରୋଗ ଚିହ୍ନଟ ନ ହେଲେ, ସ୍ୱାସ୍ଥ୍ୟ ପ୍ରତି ବିପଦ ବଢିଥାଏ। ଯଦି ପିଲା ଜଲଦି ଥକି ଯାଉଛନ୍ତି, ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି। ତା ହେଲେ ଅବିଳମ୍ୱେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ସେଥିଲାଗି ପିଲାଙ୍କ ନିୟମିତ ଚେକଅପ୍ ଜରୁରୀ। ବ୍ୟାୟାମ ଓ ଖେଳକୁଦର ସମୟ ଉପରେ ଧ୍ୟାନ ଦେବା ଜରୁରୀ। ପୋଷକ ତତ୍ତ୍ୱ ଖାଦ୍ୟ ଦେବା ସହ ଜଙ୍କ ଫୁଡ୍ ରୁ ଦୂରେଇ ରହିବା ଦରକାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now