ଅଧାରେ ଅଟକିଲା ଚାଷୀଙ୍କ ଦିଲ୍ଲୀ ଚାଲ ଅଭିଯାନ

ଅଧାରେ ଅଟକିଲା ଚାଷୀଙ୍କ ଦିଲ୍ଲୀ ଚାଲ ଅଭିଯାନ । ସୀମାରେ ଚାଷୀ-ପୋଲିସ ପ୍ରବଳ ମୁହାଁମୁହିଁ । ଚାଷୀଙ୍କ ଉପରେ ବଳ ପ୍ରୟୋଗ କଲା ଅର୍ଦ୍ଧସାମରିକ ବଳ । ତୃତୀୟ ଥର ନିରାଶ ହେଲେ ଚାଷୀ । ୮ ମାସରୁ ଉର୍ଦ୍ଧ ସମୟ ଧରି ଶମ୍ଭୁ ଓ ଖନୌରୀ ବର୍ଡରରେ ଧାରଣା ଦେଇଥିବା ଚାଷୀ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ୬ ଡିସେମ୍ୱରରୁ ଏହାରି ମଧ୍ୟରେ ୩ ଥର ପ୍ରୟାସ କରି ବିଫଳ ହୋଇ ସୀମାରୁ ଫେରୁଛନ୍ତି ଚାଷୀ ସଂଗଠନ । ଚାଷୀଙ୍କ ୧୦୧ଟି ଗ୍ରୁପ ଦିଲ୍ଲୀ ସୀମା ଆଡକୁ ଅଗ୍ରସର ହେଲା ବେଳେ ପୁଣି ବିରୋଧର ସମ୍ମୁଖୀନ ହୋଇଛନ୍ତି । କେଉଁ ପଟରୁ ମଧ୍ୟ ଯେମିତି ଦିଲ୍ଲୀକୁ ପ୍ରବେଶ କରି ନପାରିବେ ସେଥିପାଇଁ ଚାରିଆଡେ ବାରିକେଡ ବ୍ୟବସ୍ଥା କରାଯାଇଥିଲା । ପୋଲିସ ସହ ପ୍ରଥମେ ପ୍ରବଳ ବଚସା ହେଲା ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚାଷୀଙ୍କ ଉପରେ ପାଣି ମାଡ଼ ସହ ଡ୍ରୋନରେ ଲୁହବୁହା ଗ୍ୟାସ ବ୍ୟବହାର କରିଛି ପୋଲିସ। ଏହା ଦ୍ୱାରା ଅନେକ ଚାଷୀ ଆହତ ହୋଇଛନ୍ତି । ଫଳରେ କିଷାନ ମଜଦୂର ନେତା ସରୱନ ସିଂ ପନ୍ଧେର  ସୀମାରୁ ଚାଷୀ ସଂଗଠନଙ୍କୁ ଫେରେଇ ଆଣିବା ନିଷ୍ପତ୍ତି ନେଇଛନ୍ତି ।

ସେପଟେ ହରିୟାଣା ସରକାର କୈାଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି । ୧୪ ତାରିଖ ସକାଳ ୬ରୁ ୧୭ ଡିସେମ୍ୱର ରାତି ୧୧.୫୯ ପର୍ଯ୍ୟନ୍ତ ଅମ୍ୱାଲା ଅଞ୍ଚଳର ୧୨ଟି ଗାଁରେ ଇଣ୍ଟରନେଟ ସେବା ବ୍ୟାନ କରିଛନ୍ତି। ହରିୟାଣା ସରକାରଙ୍କର ଚାଷୀଙ୍କ ପ୍ରତି ଆଭିମୁଖ୍ୟକୁ ନେଇ ପୁଣି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । କୃଷି ନୀତିକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ସହ ଦାବି ସର୍ମ୍ପରେ ଆଲୋଚନା ଅପେକ୍ଷାରେ ଏ ମଧ୍ୟରେ ୩୦୭ ଦିନ ହୋଇଗଲାଣି। ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ଅନେକ ଚାଷୀ ପାଗର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପ୍ରଦର୍ଶନ ଜାରି ରଖିଛନ୍ତି ।

ଚାଷୀ ସଂଗଠନମାନଙ୍କ ପକ୍ଷରୁ ୧୨ଟି ଦାବି ମୁଖ୍ୟତଃ ରଖାଯାଇଛି। ସ୍ୱାମୀନାଥନ କମିଟି ସୁପାରିସ ମୁତାବକ ସିଟୁ ପ୍ଲସ ଏଫଏଲ ହିସାବରେ ସର୍ବ ନିମ୍ନ ସହାୟକ ମୂଲ୍ୟ ଦେବା, ଏମଏସପିକୁ ଆଇନର ଗ୍ୟାରେଣ୍ଟି, ଋଣ ଛାଡ଼,ଲଖିମପୁର ଖେରି ହିଂସା ପିଡ଼ିତଙ୍କୁ ନ୍ୟାୟ,ପୂର୍ବ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀ ପରିବାରକୁ କ୍ଷତିପୁରଣ ଭଳି ଅନେକ ପ୍ରସଙ୍ଗକୁ ନେଇ ଶମ୍ଭୁ ଓ ଖନୌରୀ ବର୍ଡରରେ ଗତ ଫେବୃଆରୀରୁ ଧାରଣା ଦେଇଛନ୍ତି ଚାଷୀ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା ଓ ଦାବି ପୁରଣକୁ କେନ୍ଦ୍ର କରି ଚାଷୀ ନେତା ଜଗଜୀତ ସିଂ ଦଲ୍ଲେୱାଲ ୧୯ ଦିନ ଧରି ଅନଶନରେ ବସିଛନ୍ତି । 

ସେପଟେ ଆଲୋଚନା ମାଧ୍ୟମରେ ଆନ୍ଦୋଳନରତ ଚାଷୀଙ୍କୁ ବୁଝାଇ ରାଜପଥରୁ ଉଠାଇବାକୁ ସୁପ୍ରିମକୋର୍ଟ କହିଛନ୍ତି । କୃଷକଙ୍କ ଉପରେ ବଳ ପ୍ରୟୋଗ ନକରି ଆଲୋଚନାରେ ସମସ୍ୟା ସମାଧାନ ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେପ୍ଟେମ୍ୱର ମାସରେ ସୁପ୍ରିମକୋର୍ଟ ଚାଷୀଙ୍କ ସହ କଥା ହେବା ପାଇଁ ଏହି କମିଟି ଗଢିଥିଲେ ।

ସଂଯୁକ୍ତା କୃଷକ ମୋର୍ଚ୍ଚା ପକ୍ଷରୁ ୧୩ ମାସର ଆନ୍ଦୋଳନ ପରେ ମୋଦି ସରକାରଙ୍କୁ ନଇଁବାକୁ ପଡ଼ିଥିଲା । ଆଉ ଶେଷରେ ୩ କୃଷି ଆଇନ ଫେରେଇ ନେଇଥିଲେ ସରକାର । ସେହି ସମୟରେ ରଖାଯାଇତିବା ଅନେକ ଦାବି ସମ୍ପର୍କରେ ସରକାର କିଛି ପଦକ୍ଷେପ ନନେବାରୁ ଫେବୃଆରୀ ୧୩ ତାରିଖରୁ ଅଣରାଜନୈତିକ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କିଷାନ ମଜଦୂର ମୋର୍ଚ୍ଚା ସହ ଜଡ଼ିତ କୃଷକମାନେ ପଞ୍ଜାବ ଓ ହରିୟାଣା ମଧ୍ୟରେ ଥିବା ଶମ୍ଭୁ ଓ ଖନୌରୀ ସୀମାରେ ଧାରଣା ଦେଇଛନ୍ତି । ତେବେ ଏ ଆନ୍ଦୋଳନର ଗତି କୁଆଡେ ମୁହାଁଉଛି ଓ ସରକାର ଆଲୋଚନା ପାଇଁ ରାଜି ହେବେ କି ଉଭୟ ପକ୍ଷ ଜିଦରେ ଅଟଳ ରହିବେ ।ତାହା ସମୟ କହିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *