ଭଡ଼ା ଦେଉନାହାନ୍ତି କି। ତା ହେଲେ ଘରୁ ଉଛେଦ ବେଳେ ସୁରକ୍ଷା ଲୋଡ଼ିବାକୁ କୋର୍ଟ ଯାଇପାରିବେନି। ଏଭଳି ବିସ୍ତୃତ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି କେରଳ ହାଇକୋର୍ଟ। ଜଣେ ଭଡ଼ାଟିଆ। ନିୟମିତ ଭଡ଼ା ଦେଉନାହାନ୍ତି। ଆଉ ତାଙ୍କୁ ଘରୁ କାଢ଼ିବାକୁ ଘର ମାଲିକ ବାହାରିବାରୁ ଉଛେଦ ବେଳେ ସୁରକ୍ଷା ଲୋଡ଼ି କୋର୍ଟର ଦ୍ୱାରସ୍ଥ ହେଉଥିବା ଭଡ଼ାଟିଆଙ୍କୁ ଏଣିକି କୌଣସି ଆଶ୍ୱସ୍ତି ମିଳିବନି ବୋଲି ରୋକଠୋକ ଶୁଣାଇଦେଇଛନ୍ତି ହାଇକୋର୍ଟ। କେରଳ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଜଷ୍ଟିସ ସି.ଜୟଚନ୍ଦ୍ରନ୍ ଏଭଳି ନିର୍ଦେଶ ଦେଇଛନ୍ତି। ବିଚାରପତି କହିଛନ୍ତି, ଜଣେ ଜମି ମାଲିକ ଯେତେବେଳେ ଜଣଙ୍କୁ ଭଡ଼ା ସୂତ୍ରରେ ଘରେ ରହିବାକୁ ଦେଇଥାଏ। ତାଙ୍କୁ ନିୟମିତ ଭଡ଼ା ଦେବା ଭଡ଼ାଟିଆଙ୍କ ଦାୟିତ୍ୱ। କିନ୍ତୁ ଘରୁ ଉଛେଦ ବେଳେ ସେଥିରୁ ମୁକୁଳିବାକୁ କୋର୍ଟର ଦ୍ୱାରସ୍ଥ ହେଉଛନ୍ତି ଭଡ଼ାଟିଆ। ସିଧା ଅର୍ଥରେ କହିବାକୁ ଗଲେ, ଘର ମାଲିକଙ୍କ ସହ ଅଶାନ୍ତ ପରିବେଶ ସୃଷ୍ଟି ଲାଗି କୋର୍ଟ ସୁରକ୍ଷା ଲୋଡ଼ି ଧାଉଁଥିବା ଭଡ଼ାଟିଆ ମକଦ୍ଦମା ପ୍ରବୃତ୍ତିର ଲୋକ ବୋଲି ବିବେଚନା କରିଛନ୍ତି କେରଳ ହାଇକୋର୍ଟ। ଘର ମାଲିକ ଭଡ଼ାଟିଆଙ୍କଠୁ ଭଡ଼ା ଆଦାୟ କରିବା ଆଇନଗତ ଯୁକ୍ତିଯୁକ୍ତ। ସଠିକ ସମୟରେ ଭଡ଼ାଟିଆ ଭଡ଼ା ଦେବାକୁ ନେଇ ସେହି ଅନୁପାତରେ ସେତିକି ଦାୟିତ୍ୱସମ୍ପନ୍ନ ରହିବା ଉଚିତ୍। କିନ୍ତୁ ଭଡ଼ାଟିଆଙ୍କୁ ଘରୁ ବେଦଖଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ଅନୁମତି ଦେବାର ଅର୍ଥ କେବଳ ଦମନକାରୀ ହେବନି। ବରଂ ଘର ମାଲିକଙ୍କୁ ହଇରାଣ ହରକତ ସଦୃଶ ସାଜିବ। ବିନା ଭଡ଼ାରେ ରହୁଥିବା ଭଡ଼ାଟିଆଙ୍କ ଉତ୍ପାତ ସହିବାକୁ ଘର ମାଲିକ ବାଧ୍ୟ ହେବେ ବୋଲି ବିବେଚନା କରାଯିବ। ଯଦି ଭଡ଼ାଟିଆ କୋର୍ଟର ଦ୍ୱାରସ୍ଥ ହେଉଛନ୍ତି। ସେ ବି ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ବିନା ବେଦଖଲରୁ ସୁରକ୍ଷା ପାଇବାକୁ ନ୍ୟାୟସଙ୍ଗତ ବୋଲି ଦାବି କରିବା ଯଥାର୍ଥ ନୁହେଁ। ଯଦି ଏମିତି କୋର୍ଟ ଭଡ଼ାଟିଆଙ୍କୁ ସୁରକ୍ଷା ଦେବେ, ତା ହେଲେ ଏହା ଅଦାଲତ ପ୍ରକ୍ରିୟାର ଦୁରୁପଯୋଗ ବୋଲି ଧାରଣା ସୃଷ୍ଟି ହେବ। ଅନୁଚିତ ଉପଯୋଗ ଓ ବିକୃତି ବୋଲି ସର୍ବସାଧାରଣରେ ଧାରଣା ସୃଷ୍ଟି ହେବ ବୋଲି କହିଛନ୍ତି ବିଚାରପତି। ଘର ମାଲିକଙ୍କଠୁ ଅନୁଚିତ ଲାଭ ଉଠାଇବାକୁ କୋର୍ଟର ଦ୍ୱାରସ୍ଥ ହୋଇ ଭଡ଼ାଟିଆଙ୍କ ଏଭଳି ଭେଳିକି ବୋଲି ଭାବିବାକୁ ବାଧ୍ୟ ହେବେ ଲୋକେ। ନ୍ୟାୟର ବିଫଳତାକୁ ରୋକିବାକୁ ଏଭଳି ଅପିଲକୁ ନିରସ୍ତ୍ର କରାଯିବା ଜରୁରୀ ବୋଲି ମତ ଦେଇଛନ୍ତି ବିଚାରପତି ସି.ଜୟଚନ୍ଦ୍ରନ। ଜମି ମାଲିକଙ୍କୁ ହଇରାଣ କରିବା ଭଳି ମନ୍ଦ ଉଦ୍ଦେଶ୍ୟରଖି ଜୋରଜବରଦସ୍ତି ଘର ମାଡ଼ିବସିବାର ଅଭିସନ୍ଧି ରହୁଛି ବୋଲି କୋର୍ଟ ହୃଦବୋଧ କରିଛନ୍ତି। ଏଭଳି ଭଡ଼ା ନ ଦେବା ପଛର ଯୁକ୍ତିଯୁକ୍ତ କାରଣ ଦର୍ଶାଇବେ ସତ୍ୟପାଠରେ। ଯଦି ଭଡ଼ା ନିୟମିତ ଦେଉଥିବେ, ତା ହେଲେ ଯାଇ ଘରୁ ଉଛେଦ ଉପରେ ସାମୟିକ ରୋକ୍ ଲଗାଇପାରିବେ କୋର୍ଟ । କିନ୍ତୁ ଯଦି ସତ୍ୟପାଠରେ କୁହାଯିବ, ଭଡ଼ା ନିୟମିତ ଦେଉନଥିଲେ। କୋର୍ଟ ଏହାକୁ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବେ। ଭଡ଼ା ବାବଦକୁ ହୋଇଥିବା ଚୁକ୍ତିନାମା ଅନୁସାରେ ଯଦି ଭଡ଼ା ଦିଆଯାଇନଥିବ। ଚୁକ୍ତିର ଖିଲାଫ କରୁଥିବ। ତା ହେଲେ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଆଉ ସନ୍ତୋଷଜନକ ଉତ୍ତର ପାଇବା ପରେ ହିଁ ଅର୍ଡର ଦେବେ ଯେ, ବକେୟା ପାଉଣା ସମୟସୀମାରେ ଦେବାକୁ ପଡ଼ିବ। ଆଉ ଭଡ଼ାଟିଆ ଅଣ୍ଡରଟେକିଂ ବି ଦେବେ ଯେ, ସେ ନିୟମିତ ଭଡ଼ା ଦେବେ। କିନ୍ତୁ ଯଦି ଭଡ଼ା ଟଙ୍କା ଜମା କରିବାରେ ଅସମର୍ଥ ହେବେ, ଇଞ୍ଜକ୍ସନର ଅନ୍ତରୀଣ ନିର୍ଦେଶାନାମାକୁ ସମାପ୍ତ କରିଦିଆଯିବ। ପ୍ରାଥମିକ ଭାବେ କୋର୍ଟ ଅଧିକା ସମୟ ଦେଇପାରିବେ ଭଡ଼ାଟିଆଙ୍କୁ ବକେୟା ପାଉଣା ପ୍ରଦାନ କରିବାକୁ। ସମୟସୀମା ଭିତରେ ଭଡ଼ା ଦେଇଦେଲେ, ଇଞ୍ଜକ୍ସନ ଅର୍ଡର ପୁଣି ସର୍ତ୍ତମୂଳକ ଭାବେ କାଏମ ରହିବ। ସର୍ତ୍ତ ରହିବ ଯେ, ଭବିଷ୍ୟତରେ ନିୟମିତ ଭଡ଼ା ଦେବେ ଭଡ଼ାଟିଆ। ଯଦି ଭଡ଼ାଟିଆ ବକେୟା ଭଡ଼ା ଜମା କରନ୍ତି ଓ ସାଙ୍ଗରେ ମାମଲା ଚାଲିବା ଯାଏ ଆଗକୁ ବି ଭଡ଼ା ଦେଇଚାଲିବେ ବୋଲି କଥା ଦେବେ। ତାହେଲେ ଯାଇ ଘରୁ ଉଛେଦ ଉପରେ ଅନ୍ତରୀଣ ନିଷେଧାଦେଶ ଜାରି କରିହେବ। ଏହି ନିଷେଧାନାମା ମାମଲା ସମାପ୍ତ ଯାଏ ଲାଗୁ ରହିବ। ଏହା ସହ ବିଚାରପତି କହିଛନ୍ତି, ଯଦି ବ୍ୟକ୍ତିଗତ ତଥ୍ୟ ଓ ପରିସ୍ଥିତିର ଆବଶ୍ୟକତା ଅନୁସାରେ ନ୍ୟାୟାଳୟ ଏଭଳି ମାମଲାରେ ଅଲଗା ରାୟ ବି ଦେଇପାରିବେ। ଜମି ମାଲିକ ଓ ଭଡ଼ାଟିଆଙ୍କ ଭିତରେ ଝଗଡା କିଛି ନୂଆ ନୁହେଁ। କିନ୍ତୁ କେଉଁ ପରିସ୍ଥିତିରେ ବିବାଦ ଉପୁଜିଛି, ତାହାର ଅନୁଶୀଳନ ବିଭିନ୍ନ ମାମଲାରେ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗିରେ କରିଛନ୍ତି ହାଇକୋର୍ଟରୁ ନେଇ ସୁପ୍ରିମକୋର୍ଟ।
Naxatra News is now on Whatsapp
Join and get latest news update delivered to you via whatsapp
Join Now