ପୁଅର ଶବ ସହ ୪ ଦିନ ଥିଲେ ଦୃଷ୍ଟିବାଧିତ ବାପା ମାଆ

୪ଦିନ ହେଲା ପୁଅର ଶବ ସାଙ୍ଗରେ ଥିଲେ। ହେଲେ ଜାଣିପାରୁନଥିଲେ ଯେ, ପୁଅ ଆଉ ଜୀବନରେ ନାହିଁ। କାରଣ ବାପା ମାଆ ଉଭୟ ଦୃଷ୍ଟିହୀନ ଥିଲେ। ହାଇଦ୍ରାବାଦରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଶବର ଦୁର୍ଗନ୍ଧ ଆସିବା ପରେ ପଡୋଶୀ ପୁଲିସକୁ ସୂଚନା ଦେବା ପରେ ଏ କଥା ଜଣାପଡ଼ିଥିଲା। ପୁଅ ୪ ଦିନ ହେଲା ମଲାଣି। କିନ୍ତୁ ବୟସ୍କ ଦୃଷ୍ଟିହୀନ ଅଭିଭାବକ ଏ ବାବଦରେ ଅଗୋଚର ଥିଲେ। ଏଭଳି ହୃଦୟବିଦାରକ ଘଟଣା ସମସ୍ତଙ୍କୁ ଚକିତ କରିଛି। ୬୦ ବର୍ଷୀୟ ରମଣ ଓ ୬୫ ବର୍ଷୀୟ କେ.ଶାନ୍ତା ଚେତାଶୂନ୍ୟ ଅବସ୍ଥାରେ ଘରେ ପଡ଼ିଥିଲେ। ସେମାନଙ୍କ ମୁହଁରୁ ଫେଣ ବାହାରୁଥିଲା। ପୁଲିସ ଶବ ଜବତ କରିବା ସହ ଅନ୍ଧ ଦମ୍ପତ୍ତିଙ୍କୁ ପୁଅର ମୃତ୍ୟୁ ବାବଦରେ ସୂଚନା ଦେଇ ହସ୍ପିଟାଲ ନେଇଥିଲା। ନାଗୋଲ ବ୍ଲାଇଣ୍ଡ କଲୋନୀରେ ଏଭଳି ଘଟଣା ଘଟିଛି। ମୃତ ସାନ ପୁଅର ନାଁ ହେଉଛି ପ୍ରମୋଦ। ପ୍ରମୋଦଙ୍କ ଗଳିତ ଶବକୁ ଉଦ୍ଧାର କରି ବ୍ୟବଛେଦ ଲାଗି ପଠାଇଥିଲା ପୁଲିସ। ୪ ଦିନ ଆଗରୁ ନିଜ ବାପା ମାଆଙ୍କୁ ଖାଇବାକୁ ଦେଇ ଶୋଇବାକୁ ଯାଇଥିଲା ୩୨ ବର୍ଷୀୟ ପ୍ରମୋଦ। ଆଉ ନିଦରେ ହିଁ ପ୍ରମୋଦଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଛେଦ ପରେ ଜଣାପଡ଼ିବ ବୋଲି କହିଛି ପୁଲିସ। ଦୃଷ୍ଟିବାଧିତ ଦମ୍ପତ୍ତିକୁ ୪ ଦିନ ହେଲା ଖାଇବା ଓ ପିଇବା ମିଳିନଥିଲା। ବିନା ଖିଆପିଆରେ ଏତେ ଅସୁସ୍ଥ ହୋଇପଡ଼ିଥିଲେ ଯେ, ନିଜ ପୁଅକୁ ହଲାଇବା ସ୍ଥିତିରେ ବି ନଥିଲେ ଦମ୍ପତ୍ତି। ପୁଲିସ ଦମ୍ପତ୍ତିଙ୍କୁ ସୁସ୍ଥ କଲା ପରେ ବଡ଼ ପୁଅ ପ୍ରଦୀପକୁ ଖବର ଦେଇଥିଲା। ଆଉ ବଡ଼ ପୁଅ ଆସିବା ପରେ ଦମ୍ପତ୍ତିଙ୍କ ଦାୟିତ୍ୱ ଦେଇଥିଲା ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *