କେନ୍ଦୁଝରର ମହାନ ବିପ୍ଳବୀ ବୀର ଧରଣୀଧରଙ୍କ ଜନ୍ମମାଟି କୁସୁମିତା ଗାଁର ବଦଳିବ ଚିତ୍ର। ଭଙ୍ଗା, ଦଦରା ଘରେ, ଦୁର୍ଦ୍ଦିନରେ କାଳ କାଟୁଥିବା ବିପ୍ଲବୀ ଧରଣୀଧରଙ୍କ ଦାୟାଦଙ୍କର ଭାଗ୍ୟର ମଧ୍ୟ ଉଦୟ ହେବ। କୁସୁମିତା ଗାଁକୁ ଆସନ୍ତାକାଲି ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଧରଣୀଧର ଜୟନ୍ତୀରେ ଯୋଗଦେବେ । ଏଥିପାଇଁ ଚାଲିଛି ବିରାଟ ଆୟୋଜନ । କୁସୁମିତା ଗାଁକୁ ଯିବା ରାସ୍ତାରେ ଏକ ସଭାସ୍ଥଳ ତିଆରି ହେଉଛି । ସେଠାରେ ହେଲିକପ୍ଟର୍ ଯୋଗେ ଓହ୍ଲାଇ କୁସୁମିତା ଗାଁରେ ଥିବା ଧରଣୀଧରଙ୍କ ପ୍ରତିମୂର୍ତ୍ତି ସ୍ଥଳ ଓ ଧରଣୀଧରଙ୍କ ଦାୟାଦଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏଥିସହିତ ଜନସଭାରେ ଉଦବୋଧନ ଦେବେ । ଯାହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଂସ୍କୃତି ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିପ୍ଳବୀଙ୍କ ଗାଁରେ ଏକ ପାର୍କ, ଖେଳପଡିଆ, ଧରଣୀଧରଙ୍କର ପ୍ରତିମୂର୍ତ୍ତି ସ୍ଥାପନ, ସଂଗ୍ରହାଳୟ, ଲାଇବ୍ରେରୀ ସ୍ଥାପନ ହେବ। ଏହା ପାନୀୟ ଜଳ ସମସ୍ୟାର ସମାଧାନ ଓ ଧରଣୀଧରଙ୍କ ଦାୟାଦଙ୍କର ଦୁଃଖ ଦୂର ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ।
ବିପ୍ଳବୀ ଧରଣୀଧରଙ୍କ ନାଁରେ, ବିଶ୍ବବିଦ୍ୟାଳୟ, ମେଡିକାଲ୍ କଲେଜ୍, ରାସ୍ତାଘାଟ ଆଦି ନାମକରଣ କରାଯାଇଛି। କିନ୍ତୁ ବିଡମ୍ବନାର ବିଷୟ, ବିପ୍ଳବୀଙ୍କର ଜନ୍ମମାଟି କୁସୁମିତା ଗାଁ ଓ ତାଙ୍କର ଦାୟାଦଙ୍କୁ ସମସ୍ତେ ଭୁଲି ଯାଇଥିଲେ। ହେଲେ ଏବେ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶରେ କୁସୁମିତା ଗାଁର ସାମଗ୍ରିକ ବିକାଶ, ଏକ ଐତିହ୍ୟ ଗ୍ରାମ ସହ, ପର୍ଯ୍ୟଟନସ୍ଥଳୀରେ ରୂପାନ୍ତରିତ କରାଯିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିପାଇଁ, ଆସନ୍ତାକାଲି ଏଠାରେ ବିପ୍ଳବୀଙ୍କର ରାଜ୍ୟସ୍ତରୀୟ ୧୬୧ତମ ଜନ୍ମ ଜୟନ୍ତୀ ପାଳନ ନେଇ ଖୁସିବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଥିସହ ଗ୍ରାମବାସୀ ତଥା ଧରଣୀଧରଙ୍କ ଦାୟାଦଙ୍କର ଦୁଃଖ ଯିବ ବୋଲି ଆଶା କରିଛନ୍ତି ।
୧୮୬୪ ମସିହା ମେ ମାସ ୫ତାରିଖରେ କେନ୍ଦୁଝର ଜିଲ୍ଲାର ଅଖ୍ୟାତ ପଲ୍ଲୀ କୁସୁମିତା ଗାଁରେ ବିପ୍ଳବୀ ଧରଣୀଧରଙ୍କର ଜନ୍ମ। ୧୮୯୧ ମସିହାରେ କେନ୍ଦୁଝର ତତ୍କାଳୀନ ରାଜାଙ୍କ ବିରୋଧରେ ହୋଇଥିବା ପ୍ରଜାମେଳୀରେ ନେତୃତ୍ବ ନେଇଥିଲେ ବିପ୍ଳବୀ ଧରଣୀଧର। ଯାହା ସେତେବେଳେ, ସାରା ଭାରତରେ ଚହଳ ସୃଷ୍ଟି କରିଥିଲା

Naxatra News is now on Whatsapp
Join and get latest news update delivered to you via whatsapp
Join Now