ମନେରହିବେ ମନମୋହନ

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଚର ମନମୋହନ ସିଂଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ଶନିବାର ସକାଳେ ତାଙ୍କ ପାର୍ଥିବ ଶରୀର ବାସଭବନରୁ ଏଆଇସିସି ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରେ କଂଗ୍ରେସର ବହୁ ନେତା ତାଙ୍କର ଶେଷଦର୍ଶନ ସହ ପୁଷ୍ପାଞ୍ଜଳି ଦେଇ ଜାତୀୟ ସଙ୍ଗୀତ ଗାଇ ଅନ୍ତିମ ବିଦାୟ ଦେଇଥିଲେ। ସୋନିଆ, ଖଡ଼ଗେ,ରାହୁଲ, ପ୍ରିୟଙ୍କାଙ୍କ ସମେତ ସ୍ୱର୍ଗତ ମନମୋହନଙ୍କ ପତ୍ନୀ ଗୁରୁଶରଣ କୌର ଓ ତାଙ୍କ ଝିଅ ଦାମନ ସିଂ ବି ଏଆଇସିସି ମୁଖ୍ୟାଳୟରେ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଦଳୀୟ କର୍ମକର୍ତ୍ତାଙ୍କ ସମେତ ସାଧାରଣ ଲୋକେ ସେଠାରେ ତାଙ୍କର ଶେଷଦର୍ଶନ କରିଥିଲେ। ଏହା ପରେ ସେଠାରୁ ନିଗମବୋଧ ଘାଟ ଅଭିମୁଖେ ବାହାରିଥିଲା ପାର୍ଥିବ ଶରୀର। ମନମୋହନ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ। ଆଉ ନିଗମବୋଧ ଘାଟରେ ପାର୍ଥିବ ଶରୀର ପହଞ୍ଚିବା ପରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ତିମ ସଂସ୍କାରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ୍ ହୋଇଥିଲେ।

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ମନମୋହନଙ୍କ ସ୍ମାରକସ୍ଥଳ ନିର୍ମାଣ କରାଇବାକୁ ପ୍ରସ୍ତାବ ଦେଇଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସମାଧି ଲାଗି ଜାଗା ମିଳୁ ବୋଲି କଂଗ୍ରେସ ଅନୁରୋଧ କରିଛି। କିନ୍ତୁ ସମାଧିସ୍ଥଳକୁ ନେଇ ବି ରାଜନୀତି କରୁଛି ମୋଦି ସରକାର ବୋଲି ଆରୋପ ଲଦିଛି କଂଗ୍ରେସ। ଯଦି ଅଟଳଙ୍କ ସ୍ମାରକସ୍ଥଳ ରାଜଘାଟରେ ନ କରି ଆଉ କେଉଁଠି କରାଯାଇଥାଆନ୍ତା, ତାହେଲେ କେମିତି ଅନୁଭବ ହୁଅନ୍ତା। କୌଣସି ଦଳର କଥା ପଡ଼ିନି। ଦେଶର ଇତିହାସକୁ ଦେଖୁ ବିଜେପି। ସପା ମୁଖ୍ୟ ଅଖିଳେଶ ଯାଦବ ଓ ବିଏସପି ସୁପ୍ରିମୋ ମାୟାବତୀ ବି କେନ୍ଦ୍ର ସରକାରଙ୍କୁ ଅପିଲ୍ କରିଛନ୍ତି, ସମାଧିସ୍ଥଳକୁ ନେଇ କୌଣସି ରାଜନୀତିକ ବିବାଦ ନହେଉ। ବିଜେପି କାଉଣ୍ଟରରେ କହିଛି ଯେ, ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ପରେ ଶୋକସଭାଟିଏ ବି କରିନଥିଲା କଂଗ୍ରେସ। ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହା ରାଓଙ୍କୁ କଂଗ୍ରେସ ମୁଖ୍ୟାଳୟରେ ସ୍ଥାନ ମିଳିନଥିଲା। ନୈତିକତାର କଥା ସେଥିଲାଗି କଂଗ୍ରେସ ମୁହଁରେ ଶୋଭା ପାଉନି। ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ବି କଂଗ୍ରେସର ଏଭଳି ଦାବିକୁ ନେଇ ତୀବ୍ର କଟାକ୍ଷ ଫିଙ୍ଗିଛନ୍ତି। ୨୦୨୦ରେ ପ୍ରଣବଙ୍କ ଦେହାନ୍ତ ସତ୍ତ୍ୱେ ସିଡବ୍ଲୁସି ବୈଠକ  ଡାକିନଥିଲା କଂଗ୍ରେସ। ପ୍ରଣବ ପୁଣି ଦେଶର ରାଷ୍ଟ୍ରପତି ଥିଲେ। ଜଣେ ବରିଷ୍ଠ ନେତା କହିଥିଲେ, ରାଷ୍ଟ୍ରପତିଙ୍କ ଲାଗି ସିଡବ୍ଲୁସି ଡାକି ଶୋକପ୍ରସ୍ତାବ କରାଯାଏନା। ପୂର୍ବତନ ରାଷ୍ଟ୍ରପତି କେଆର ନାରାୟଣଙ୍କ ପରଲୋକ ପରେ ପୁଣି ସିଡବ୍ଲୁସି ଡାକି କେମିତି ଶୋକସଭା କରାଯାଇଥିଲା। ମନମୋହନ ସିଂଙ୍କ ଲାଗି ସ୍ମାରକସ୍ଥଳ ହେବା ଦରକାର। ତା ସହ ସେ ଭାରତରତ୍ନ ଲାଗି ବି ସେ ଯୋଗ୍ୟ। ପ୍ରଣବ ରାଷ୍ଟ୍ରପତି ଥିଲା ବେଳେ ମନମୋହନଙ୍କୁ ଭାରତରତ୍ନ ଦେବାକୁ ଚାହୁଁଥିଲେ। କିନ୍ତୁ ହୋଇପାରିନଥିଲା। ଗୃହ ମନ୍ତ୍ରଣାଳୟ ବିଳମ୍ୱିତ ରାତିରେ ସ୍ପଷ୍ଟ କରିଛି, ଅନ୍ତିମ ସଂସ୍କାର ସମ୍ପନ୍ନ ପରେ ସମାଧିସ୍ଥଳ ଲାଗି ଜାଗା ଆଲଟମେଣ୍ଟ ହେବ। ଏଥିଲାଗି ଏକ ଟ୍ରଷ୍ଟ ଗଠନ ହୋଇଛି। ଟ୍ରଷ୍ଟ ଜାଗା ନିରୂପଣ କରିବ।

ସମାଧି ସ୍ଥଳକୁ ନେଇ ବିବାଦ, ବିତର୍କ ଭିତରେ ସ୍ୱର୍ଗତ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *