ଆମେ ଆଧୁନିକ ସଭ୍ୟତାର ବୋଲି ନିଜକୁ କହୁଛୁ। କିନ୍ତୁ କୁତ୍ସିତ ମାନସିକତା ଆଜି ବି ବଞ୍ଚିଛି। ମାସିକ ଋତୁସ୍ରାବ ଲାଗି ଜଣେ ଅଷ୍ଟମ ଶ୍ରେଣୀର ଦଳିତ ଛାତ୍ରୀଙ୍କୁ ପରୀକ୍ଷା ହଲକୁ ଏଣ୍ଟ୍ରି କରାଇଦେଲେନି ସ୍କୁଲ କର୍ତ୍ତୃପକ୍ଷ। ପିଲାଟି ସ୍କୁଲ ବାରଣ୍ଡାରେ ଏକୁଟିଆ ବସି ପରୀକ୍ଷା ଦେଲେ। ଗଲା ୭ ଓ ୯ ତାରିଖରେ ହୋଇଥିବା ପରୀକ୍ଷାରେ ପିଲାଟିକୁ ଏକୁଟିଆ ପରୀକ୍ଷା ହଲ୍ ବାହାରେ ପରୀକ୍ଷା ଦେଉଥିବା ବେଳେ ଏବେ ଭିଡ଼ିଓ ସାମ୍ନାକୁ ଆସିଛି। ତାମିଲନାଡ଼ୁର କୋଏମ୍ୱାଟୋର ଜିଲ୍ଲାର ସେନଗୁଟାଇପାଲାୟମ ସ୍କୁଲରୁ ଆସିଛି ଏଭଳି ଅଭାବନୀୟ ଚିତ୍ର। ମାସିକ ଧର୍ମ ଲାଗି ଦଳିତ ଛାତ୍ରୀଙ୍କୁ କ୍ଲାସରୁ ବାହାର କରିଦେଇଥିଲେ ପ୍ରଧାନଶିକ୍ଷକ। ପିଲାଟି ତାଙ୍କ ମାଆଙ୍କୁ କହିଥିଲା ଯେ, ପରୀକ୍ଷା ହଲ ବାହାରେ ଥିବା ସିଡ଼ିରେ ବସି ପରୀକ୍ଷା ଦେବାକୁ ପ୍ରଧାନଶିକ୍ଷକ କହିଥିଲେ। ଏ ଭିଡ଼ିଓ ଭାଇରାଲ ପରେ ପ୍ରଶାସନିକସ୍ତରରେ ଘମାସାନ ହୋଇଛି। ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ୱିତ କରିଦିଆଯାଇଛି। ୧ମିନିଟ୍ ୨୨ ସେକେଣ୍ଡର ଭାଇରାଲ ଭିଡ଼ିଓରେ ଦେଖାଯାଇଛି ଯେ, ପିଲାଟି ସ୍କୁଲ ବାରଣ୍ଡାରେ ଏକୁଟିଆ ପରୀକ୍ଷା ଦେଉଥିଲେ। ପରୀକ୍ଷା ଦେଉଥିବା ଖାତାରେ ସ୍କୁଲର ନାଁ ସ୍ୱାମୀ ଚିଦ୍ରଓ୍ୱାନନ୍ଦ ହାୟର ସେକେଣ୍ଡାରୀ ସ୍କୁଲ, ସେନଗୁଟାଇପାଲାୟମ ଲେଖାଯାଇଛି। ଦଳିତ ଛାତ୍ରୀଟି ନିଜ ମାଆ ସହ କଥାବାର୍ତ୍ତା କରି ସବୁ କଥା କହୁଥିବାର ଭିଡିଓ ଦର୍ଶାଉଛି। ପିରିୟଡ୍ ପାଇଁ ଶୂନଶାନ ଜାଗାରେ ପରୀକ୍ଷା ଦେବାକୁ ବାଧ୍ୟ କରାଯାଉଥିଲା ବୋଲି କହିଛନ୍ତି ଛାତ୍ରୀଜଣକ। ସେପଟେ ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ସଫେଇ ଦେଇଥିଲେ ଯେ, ପିରିୟଡ୍ ପାଇଁ ଝିଅକୁ ଶ୍ରେଣୀ ଗୃହ ବାହାରେ ବସାଇବାକୁ କୁଆଡ଼େ ଝିଅର ମାଆ କହିଥିଲେ। କିନ୍ତୁ ଛାତ୍ରୀଙ୍କ ମା ଏହାକୁ ଖଣ୍ଡନ କରି କହିଛନ୍ତି, ସେ ସ୍କୁଲ କର୍ତ୍ତୃପକ୍ଷଙ୍କୁ କହିଥିଲେ, ପରୀକ୍ଷା ବେଳେ ପିରିୟଡ ପାଇଁ ତାଙ୍କ ଝିଅକୁ ଅଲଗା ବସାଇବାକୁ। କଦାପି ପରୀକ୍ଷା ହଲ ବାହାରେ ବସାଇବାକୁ କହିନାହାନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now