ନିର୍ବନ୍ଧ ସରିଥିଲା। ବାହାଘର ବାକି ଥିଲା। କିନ୍ତୁ ଦଇବ ସହିଲାନି। ବିବାହ ବନ୍ଧନରେ ବାନ୍ଧିହେବା ଆଗରୁ ସବୁ ସ୍ୱପ୍ନ ଚୁରମାର କରିଦେଲା ଆମ୍ୟୁଜମେଣ୍ଟ ପାର୍କ। ଓ୍ୱାଟର ପାର୍କରେ ରୋଲର କୋଷ୍ଟରରେ ରାଇଡ୍ ବେଳେ ଝୁଲା ଭାଙ୍ଗିଯିବାରୁ ତଳେ ପଡ଼ି ଯୁବତୀର ମୃତ୍ୟୁ ହୋଇଗଲା। ସାଉଥ ଓ୍ୱେଷ୍ଟ ଦିଲ୍ଲୀରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଭାବି ସ୍ୱାମୀଙ୍କ ଆଗରେ ଚାଲିଗଲା ଯୁବତୀଙ୍କ ଜୀବନ। କାପସହେଡ଼ା ଅଞ୍ଚଳରେ ଥିବା ଓ୍ୱାଟରପାର୍କ ଫନ୍ ଆଣ୍ଡ ଫନ୍ ର ଫୁଡ୍ ଭିଲେଜରେ ଥିବା ରୋଲର କୋଷ୍ଟରରୁ ପଡ଼ିଯାଇଥିଲେ ପ୍ରିୟଙ୍କା। ଦୁହେଁ ମଉଜ କରିବାକୁ ଯାଇଥିଲା ବେଳେ ଯୁବତୀଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପୁଲିସର କହିବା କଥା, ପ୍ରିୟଙ୍କା ଦେହରେ ଅନେକ କ୍ଷତ ଚିହ୍ନ ରହିଛି। ଘଟଣା ପରେ ପରେ ତାଙ୍କ ଭାବି ସ୍ୱାମୀ ନିଖିଲ ନିକଟସ୍ଥ ମଣିପାଲ୍ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପ୍ରିୟଙ୍କାଙ୍କ ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି। ପୁଲିସ ପୁରା ପାର୍କର ସୁରକ୍ଷା ବ୍ୟବସ୍ଥାକୁ ନୀରିକ୍ଷଣ କରିଛି। ଗଲା ଫେବୃଆରୀରେ ପ୍ରିୟଙ୍କାଙ୍କ ନିର୍ବନ୍ଧ ସରିଥିଲେ। ଆସନ୍ତା ବର୍ଷ ଫେବୃଆରୀରେ ବିବାହ ହୋଇଥାଆନ୍ତା। ଓ୍ୱାଟରପାର୍କ ମ୍ୟାନେଜମେଣ୍ଟ ଉଚିତ ସୁରକ୍ଷା ମାନଦଣ୍ଡ ଅନୁପାଳନ କରିନଥିବା ଆରୋପ ଲଦିଛନ୍ତି ପ୍ରିୟଙ୍କାଙ୍କ ଭାଇ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଝୁଲାରେ ସିଟ୍ ବେଲଟ ଖୋଲା ଲାଗି ଏଭଳି ଅଘଟଣ ଘଟିଲା। ଆଜି ଏମସିଡି ଟିମ୍ ବି ପାର୍କର ନିରୀକ୍ଷଣ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now