କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପିର ଐତିହାସିକ ବିଜୟ ପରେ ଦିଲ୍ଲୀ ଶାସନର ମଙ୍ଗୁଆଳ କିଏ ସାଜିବେ, ତାକୁ ନେଇ ଚାଲିଛି ମାନସମନ୍ଥନ। ସିଏମ ରେସ୍ ନେଇ ଅନେକଙ୍କ ନାଁ ଆଗକୁ ଆସୁଥିଲା ବେଳେ ଚର୍ଚ୍ଚିତ ଚେହେରାକୁ ପଦରେ ବସାଇବେ ନା ସରପ୍ରାଇଜ୍ ଚେହେରା ପଦରେ ବସିବେ, ତାକୁ ନେଇ ଅବଗଣନା ଆରମ୍ଭ ହୋଇଛି। ୨୭ ବର୍ଷର ବନବାସ ସମାପ୍ତ ପରେ ଏବେ ବିଜେପି ଲାଗି ମୁଖ୍ୟମନ୍ତ୍ରୀ ଚୟନ କରିବା ବଡ଼ ଟାସ୍କ ସାଜିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ହରାଇଥିବା ପରବେଶ ବର୍ମାଙ୍କ ନାଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଚର୍ଚ୍ଚାର ଆଗରେ ରହିଛି। ନିର୍ବାଚନ ରେଜଲ୍ଟ ଘୋଷଣା ପରେ ପରେ ଅମିତ ଶାହାଙ୍କୁ ଭେଟିଥିଲେ ପରବେଶ ବର୍ମା। ଏହା ପରେ ପରେ ବିଜେପିର କିଛି ନବ ନିର୍ବାଚିତ ବିଧାୟକଙ୍କୁ ନେଇ ଉପ-ରାଜ୍ୟପାଳ ବିନୟ ସକ୍ସେନାଙ୍କୁ ଭେଟିବାକୁ ରାଜଭବନ ଯାଇଥିଲେ। ଏସବୁ ଗତିବିଧିକୁ ଦେଖି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ଯେ, ପରବେଶଙ୍କ ମୁଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁକୁଟ ଭିଡ଼ିପାରନ୍ତି ଶୀର୍ଷ ନେତୃତ୍ୱ। ଦିଲ୍ଲୀରୁ ଦୁଇ ଥରର ସାଂସଦ ପରବେଶଙ୍କୁ ଗଲା ଲୋକସଭା ନିର୍ବାଚନରେ ଟିକଟ ମିଳିନଥିଲା। ଏଥର ବିଧାନସଭା ଲଢ଼ି କ୍ରମାଗତ ତିନିଥରର ବିଜେତା କେଜ୍ରିଓ୍ୱାଲଙ୍କୁ ହରାଇଦେଲେ।
ସେପଟେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ଓଡ଼ିଶାରେ ବିଜେପିର ଜିତାପଟ୍ଟ ପରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଯେଉଁ ସବୁ ନେତାଙ୍କ ନାଁ ଚର୍ଚ୍ଚାରେ ଥିଲା। ସେ ସବୁକୁ ଏଡ଼ାଇ ଏମିତି ନେତାଙ୍କୁ ମୁଖ୍ୟମନ୍ତ୍ରୀ କଲା ଦଳ, ଯେଉଁମାନଙ୍କ ନାଁ ନା ଚର୍ଚ୍ଚାରେ ଥିଲା ନା କେହି ଅନୁମାନ ଲଗାଇଥିଲେ। ଦିଲ୍ଲୀରେ କ୍ଷମତାରେ ଥିଲା ବେଳେ ୧୯୯୩ରୁ ୧୯୯୮ ଯାଏ ବିଜେପି ଏହି ୫ ବର୍ଷରେ ୩ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ମଦନଲାଲ ଖୁରାନା, ସାହିବ ସିଂ ବର୍ମା ଓ ସୁଷମା ସ୍ୱରାଜ।
ପରବେଶ ହେଉଛନ୍ତି ସ୍ୱର୍ଗତ ସାହିବ ସିଂ ବର୍ମାଙ୍କ ପୁଅ। ପରବେଶଙ୍କ ବ୍ୟତୀତ ଆଉ ଯାହାଙ୍କ ନାଁ ଏହି ପଦ ଲାଗି ଦାବିଦାର ବୋଲି ଚର୍ଚ୍ଚା ହେଉଛି, ସେମାନେ ହେଲେ- ଆରଏସଏସର ଖାସ୍ ଅଜୟ ମହାଓ୍ୱର, ଅଭୟ ବର୍ମା, ପଙ୍କଜ ସିଂ, ବିଜେପିର ୩ଥରର ବିଧାୟକ ବିଜେନ୍ଦ୍ର ଗୁପ୍ତା ଓ ପୂର୍ବତନ ଏନଡିଏମସି ଉପାଧ୍ୟକ୍ଷ ସତୀଶ ଉପାଧ୍ୟାୟ। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚ୍ଚଦେବାଙ୍କ ନାଁ ବି ଏହି ଦୌଡ଼ରେ ଅଛି। ସଚ୍ଚଦେବା କହିଥିଲେ, ବିଜେପିର ଯେ କୌଣସି କାର୍ଯ୍ୟକର୍ତ୍ତା ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ହାତରେ। ପ୍ରଧାନମନ୍ତ୍ରୀ ମୋଦି ୪ ଦିନିଆ ବିଦେଶ ଗସ୍ତରୁ ଫେରିଲା ପରେ ଭବ୍ୟ ଶପଥ ସମାରୋହ ହେବ। ୧୨ରେ ଆମେରିକା ଯାଇ ୧୪ରେ ଫେରିବେ ପ୍ରଧାନମନ୍ତ୍ରୀ
ଅନ୍ୟପଟେ ଅତିଶୀ ଇସ୍ତଫା ଦେଇ ବିଧାନସଭା ଭଙ୍ଗ କରିସାରିଛନ୍ତି। ଏକ ଗଠନମୂଳକ ବିରୋଧୀ ଦଳ ଭାବେ ଦିଲ୍ଲୀବାସୀଙ୍କ ଲାଗି ଯାହା ଦାୟିତ୍ୱ ରହିଛି, ତାକୁ ଆପ୍ ନିର୍ବାହ କରିବ ବୋଲି କହିଛନ୍ତି ଅତିଶୀ। ନବନିର୍ବାଚିତ ୨୨ ବିଧାୟକଙ୍କୁ ଭେଟି ସେମାନଙ୍କ କର୍ତ୍ତବ୍ୟ ବାବଦରେ ପରାମର୍ଶ ଦେଇଛନ୍ତି କେଜ୍ରିଓ୍ୱାଲ। ଆପ୍ ସରକାରରେ ଚାଲିଥିବା ଲୋକାଭିମୁଖୀ ଯୋଜନାକୁ ବନ୍ଦ ନ କରିବାକୁ ନୂଆ ସରକାରକୁ ଅନୁରୋଧ କରିଛନ୍ତି ଅତିଶୀ। ସରକାରଙ୍କୁ ଜବାବଦେହୀ କରିବାକୁ ନିରନ୍ତର କାମ କରିବ ଆପ୍। ବିରୋଧୀ ଦଳ ନେତା କିଏ ହେବ, ତାକୁ ନେଇ ଅଙ୍କ ଛିଣ୍ଡିନି।
ମୁଖ୍ୟମନ୍ତ୍ରୀ ଚୟନ କରିବା କଥା ବିଜେପି ପାଇଁ ଯେତିକି ଚର୍ଚ୍ଚା। ବିରୋଧୀ ଦଳରେ ପ୍ରଥମ ଥର ବସିଥିବା ଆପ୍ ବିରୋଧୀ ଦଳ ନେତା ନିର୍ଣ୍ଣୟ କରିବା ସେତିକି ଚର୍ଚ୍ଚାର ବିଷୟ ସାଜିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now