ପେରୁରେ ପୁଲିସ ପ୍ରଦର୍ଶନକାରୀ ମୁହାଁମୁହିଁ, ୧୭ ମୃତ

Spread the love

ଲିମା: ପୁଣି ପେରୁରେ ପୁଲିସ ଜନତା ମୁହାଁମୁହିଁ। ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ପେରୁର ଦକ୍ଷିଣାଞ୍ଚଳରେ  ସୋମବାର ପୂର୍ବତନ ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋଙ୍କୁ ଜେଲରୁ ମୁକ୍ତ କରିବା ଓ ଆଗୁଆ ନିର୍ବାଚନ କରିବା ଦାବିନେଇ ଲୋକେ ପ୍ରଦର୍ଶନ କରିବା ବେଳେ ଏହି ଅଘଟଣ ଘଟିଛି।

ଦକ୍ଷିଣ ପେରୁର ଜୁଲିଆକାରେ ଲୋକେ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ପ୍ରଦର୍ଶକାରୀଙ୍କୁ ସେଠାରୁ ଘଉଡାଇବାକୁ ଚେଷ୍ଟା କରିବା ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଅନ୍ୟୁନ ୧୭ ଜଣଙ୍କ ମୃତ୍ୟୁ ହେବା ସହ ୬୮ ଜଣ ଆହତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ହେନରୀ ରେବାଜ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୨ ନାବାଳକ ରହିଛନ୍ତି। 

କିଛି ମୃତକଙ୍କ ଶରୀରରେ ବୁଲେଟ କ୍ଷତ ରହିଥିବା ପୁନୋ ଆଞ୍ଚଳିକ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଇସମା କୋର୍ନେଜୋ ସୂଚନା ଦେଇଛନ୍ତି। ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ବିରୋଧରେ ଏପର୍ଯ୍ୟନ୍ତ ୩୯ ଜଣଙ୍କ ମୃତ୍ୟୁ ହେଲାଣି। ଡିସେମ୍ବର ମାସରେ ତତ୍କାଳୀନ ରାଷ୍ଟ୍ରପତି କାଷ୍ଟିଲୋଙ୍କୁ ପଦରୁ ବହିଷ୍କାର କରିବା ସହ ଗିରଫ କରାଯାଇଥିଲା।

କାଷ୍ଟିଲୋ ଦେଶର ରାଜନୈତିକ ଅସ୍ଥିରତାକୁ ନେଇ ଭୟରେ ଥିଲେ। ତାଙ୍କୁ କୌଣସି ସମୟରେ ଗିରଫ କରାଯିବା ଭୟରେ ସେ ନିଜର କଂଗ୍ରେସକୁ ଭାଙ୍ଗି ଜରୁରୀକାଳୀନ ପରସ୍ଥିତି ଲାଗୁ କରିଥିଲେ। ଏହା ପରେ କଂଗ୍ରେସ ତାଙ୍କ ବିରୋଧରେ ଯାଇଥିଲା ଓ ବିରୋଧୀ ଏହାର ଫାଇଦା ଉଠାଇଥିଲେ। ଏହା ପରଠାରୁ ପେରୁରେ କାଷ୍ଟିଲୋଙ୍କ ମୁକ୍ତି ଓ ସମୟ ପୂର୍ବରୁ ନିର୍ବାଚନ କରିବାକୁ ତାଙ୍କ ସମର୍ଥକ ଦାବି କରିଆସୁଛନ୍ତି। ସେଠାରେ ୨୦୨୪ରେ ନିର୍ବାଚନ ହେବାକୁ ରହିଛି।

Leave a Reply

Your email address will not be published. Required fields are marked *