ଆମେରିକା ଆକାଶରେ ଉଡ଼ୁଛି ସନ୍ଦିଗ୍ଧ ବେଲୁନ୍

Spread the love

()  ଆମେରିକା ଲାଗି ବିପଦ ସୃଷ୍ଟି କଲାଣି ଗୁପ୍ତଚର ବେଲୁନ୍। ଶତୃ ରାଷ୍ଟ୍ର ଚାଇନା ପକ୍ଷରୁ କୁଆଡ଼େ ବସ୍ ସହ ସମାନ ଆକାରର ଏହି ବେଲୁନ୍ ଆମେରିକା ଆକାଶରେ ଉଡ଼ୁଛି। ରାଷ୍ଟ୍ରପତିଙ୍କୁ ପେଣ୍ଟାଗନ୍ ଏ କଥା ଅବଗତ କରାଇବା ପରେ ଆମେରିକା ବୈଦେଶିକ ସଚିବ ବେଜିଂ ଗସ୍ତକୁ ସ୍ଥଗିତ ରଖିଦେଇଛନ୍ତି। ଯଦିଓ ଏହି ବେଲୁନ୍ ଦ୍ୱାରା ଦେଶବାସୀଙ୍କ ଉପରେ ସାମରିକ କିମ୍ୱା ଶାରୀରିକ ବିପଦ ନାହିଁ। ତଥାପି ଚାଇନାର ଅଭିସନ୍ଧିକୁ କାଉଣ୍ଟର କରିବାକୁ ପ୍ରସ୍ତୁତ ହେଲାଣି ଆମେରିକା।

ଆମେରିକା ଆକାଶରେ ଉଡ଼ୁଛି ସନ୍ଦିଗ୍ଧ ବେଲୁନ୍। ଯାହାକୁ ଗୁପ୍ତଚରଗିରିର ଅନ୍ୟତମ ପୁରୁଣା କୌଶଳ ବୋଲି ସନ୍ଦେହ କରୁଛି ଆମେରିକା। ଆଉ ଏହି ଗୁଇନ୍ଦା ବେଲୁନ୍ କୁଆଡ଼େ ଛାଡିଛି ଆମେରିକାର ଶତୃ ରାଷ୍ଟ୍ର ଚାଇନା। ଆମେରିକା ଆକାଶରେ କିଛି ଦିନ ହେଲା ଉଡ଼ୁଥିବା ଏହି ବେଲୁନର ଆକାର ୩ଟି ବସ୍ ସହ ସମାନ ବୋଲି କହିଛି ପେଣ୍ଟାଗନ୍। ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ମୁଖପାତ୍ରଙ୍କ କହିବା ଅନୁସାରେ, ନର୍ଥନ ଆମେରିକା ଦେଇ ସମ୍ୱେଦନଶୀଳ ପ୍ରତିଷ୍ଠାନ ଗୁଡ଼ିକ ଉପରେ ଉଡ଼ୁଥିବା ଏଭଳି ବେଲୁନର ସନ୍ଦିଗ୍ଧ ଗତିବିଧିକୁ ସରକାର ଅନେକ ଦିନ ଧରି ଟ୍ରାକ୍ କରୁଛନ୍ତି। ବେଲୁନଟି କମର୍ସିଆଲ ଏୟାର ଟ୍ରାଫିକର ବହୁ ଉପରେ ବୁଲୁଛି। ଏଥିରୁ ଦେଶବାସୀଙ୍କ ଉପରେ ସାମରିକ କିମ୍ୱା ଶାରୀରିକ ବିପଦ ନାହିଁ। ନର୍ଥ ଆମେରିକାନ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ ଏହାକୁ ମୋଣ୍ଟାନା ଆକାଶରେ ଠାବ କରିଛି।

ତେବେ ଆମେରିକା ଆକାଶରେ ମାନବ ରହିତ ଟେକ୍ନୋଲୋଜିର ବ୍ୟବହାର କରି ଚାଇନା ଏଭଳି ଗୁପ୍ତଚର ବେଲୁନ୍ ଉଡ଼ାଇବା ଖବର ମିଳିବା ପରେ ଆମେରିକାର ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ ବେଜିଂ ଗସ୍ତ ସ୍ଥଗିତ ରଖିଛନ୍ତି। ଆସନ୍ତା ସପ୍ତାହରେ ସେ ବେଜିଂ ଗସ୍ତ କରି ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ଥିଲା। ଚାଇନାର ଏଭଳି ଗୁଇନ୍ଦାଗିରି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଆଣ୍ଟୋନି। ଆମେରିକା ଆକାଶ ଉପରେ ଚୀନର ଏଭଳି ଗୁଇନ୍ଦାଗିରି ଆମେରିକାର ସାର୍ବଭୌମତ୍ୱ ଓ ଆନ୍ତର୍ଜାତୀୟ ଆଇନ ବିରୋଧୀ ଅଟେ।

ଚୀନ ଗୁଇନ୍ଦାଗିରି ପାଇଁ ବେଲୁନ ବ୍ୟବହାର କରୁଥିବା ସନ୍ଦେହ କରି ଏହାର ତଦନ୍ତ ଲାଗି ତୁରନ୍ତ ଏକ କମିଟି ଗଠନ କରାଯାଇଛି। ଆମେରିକା ଓ ଚୀନ୍ ଭିତରେ ଉତ୍ତେଜନା ଲାଗି ରହିଥିବା ବେଳେ ଏଭଳି ବେଲୁନ୍ କାହିଁକି ଆମେରିକା ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଉଡ଼ିଲା, ତାକୁ ନେଇ ଆମେରିକା ପ୍ରଶାସନ ଚୀନ୍ ରାଷ୍ଟ୍ରଦୂତଙ୍କୁ ସମନ କରିଛି। ସେପଟେ ଚୀନ୍ ସଫେଇ ଦେଇଛି କି, ବେଲୁନଟି ଏୟାରସିପ୍ ଥିଲା ଯାହା ବିଭିନ୍ନ ବୈଜ୍ଞାନିକ ଗବେଷଣା ପାଇଁ ଉଦ୍ଦିଷ୍ଟ। ଭୁଲରେ ଆମେରିକା ବାୟୁସୀମାରେ ଏହା ପ୍ରବେଶ କରିଛି।

ପ୍ରାୟ ୬୦ହଜାର ଫୁଟ୍ ଉଚ୍ଚରେ ଉଡ଼ୁଛି ଚାଇନାର ଗୁପ୍ତଚର ବେଲୁନ୍। ଏହାକୁ ସୁଟ୍ କରି ତଳକୁ ଖସାଇବାକୁ ଉଦ୍ୟମ କଲେ ଗ୍ରାଉଣ୍ଡରେ ଧନଜୀବନ ହାନୀ ହେବାର ଆଶଙ୍କା ରହିଛି। ଚାଇନାର ସର୍ଭେଲାନ୍ସ ବେଲୁନ୍ ଗୁପ୍ତଚରଗିରିର ପୁରୁଣା କୌଶଳ ବୋଲି କୁହାଯାଉଛି। ରାଷ୍ଟ୍ରପତି ଜୋ ବିଡେନଙ୍କୁ ଏ ନେଇ ଅବଗତ କରାଯାଇଛି। ଏହାରି ଭିତରେ କାନାଡ଼ା ବି ଏଭଳି ଏକ ବେଲୁନକୁ ଟ୍ରାକ୍ କରୁଥିବା କହିଛି। ମୋଣ୍ଟାନା ହେଉଛି କମ୍ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ। ଆମେରିକାର ୩ ଆଣବିକ କ୍ଷେପଣାସ୍ତ୍ର କ୍ଷେତ୍ର ମଧ୍ୟରୁ ଅନ୍ୟତମ ମାଲମଷ୍ଟର୍ମ ଏୟାରଫୋର୍ସ ଏହି ରାଜ୍ୟର ଅଛି। ସେଥିଲାଗି ଆମେରିକାର ଚିନ୍ତା ବଢ଼ିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *