କଫ ସିରପକୁ ନେଇ ଅଡୁଆରେ ଭାରତ

Spread the love

() ପିଲାଙ୍କୁ କଫ ସିରପ ଦେଉଛନ୍ତି କି। ହୁସିଆର। ଏହା ଘାତକ ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି ଶବ୍ଦରେ ସତର୍କ କରାଇଦେଇଛି। ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ ପଛରେ ୪ଟି କଫ ସିରପକୁ ଦାୟୀ କରାଯାଉଛି। ଏଭଳି ସ୍ଥିତିରେ ଭାରତକୁ ବି ବିପଦ ଅଛି ବୋଲି ସତର୍କ କରାଇଦିଆଯାଇଛି। ଭାରତର ମୈଡେନ୍ ଫାର୍ମାସିଟ୍ୟୁକାଲ୍ ଲିମିଟେଡ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ୪ଟି କଫ ସିରପକୁ ନେଇ ଚେତେଇ ଦେବା ପରେ ସବୁଠି ଛନକା ପଶିଛି।

ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ ପଛରେ କେଉଁ ଔଷଧ ଦାୟୀ। ପିଲାଙ୍କୁ ଦିଆଯାଇଥିବା କଫ ସିରପ ବାସ୍ତବରେ ଗୁଣାତ୍ମକ ଓ ନିରାପଦ ଥିଲା କି ନୁହେଁ। ଏହାର ଖୋଳତାଡ଼ କରୁ କରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍କାନରକୁ ଆସିଛି ଭାରତରେ ପ୍ରସ୍ତୁତ କଫ୍ ସିରପ୍। ମୈଡେନ ଫାର୍ମାସିଟ୍ୟୁକାଲ ଦ୍ୱାରା ପ୍ରସ୍ତୁତ କଫ୍ ସିରପ ଲାଗି ପିଲାଙ୍କ ମୃତ୍ୟୁ ହୋଇଥିବା ଆପାତତଃ ସ୍ପଷ୍ଟ କରିଛି ହୁ। ସେଥିଲାଗି ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ୪ଟି କଫ୍ ସିରପକୁ ନେଇ ଆଲର୍ଟ ରହିବାକୁ କହିଛି ହୁ। ଏହି କଫ ସିରପ ବିପଦଜନକ। ବିଶେଷକରି ପିଲାଙ୍କ ଲାଗି କ୍ଷତିକାରକ ଓ ଜୀବନ ବି ନେଇପାରେ ବୋଲି ସତର୍କ କରାଇଦେଇଛି।

ଗାମ୍ୱିଆରେ ଶିଶୁ ମଡ଼କ ପଛରେ ଏହି କଫ୍ ସିରପର ୪ଟି ନମୂନା ଚିହ୍ନଟ ହୋଇଥିଲା। ସେପ୍ଟେମ୍ୱରରେ ମିଳିଥିବା ନମୂନା ନିମ୍ନମାନର ବୋଲି ସ୍ପଷ୍ଟ କରିଛି ହୁ। ଏହି ୪ଟି ପ୍ରଡକ୍ଟର ନାଁ ହେଲା, ପ୍ରୋମେଥାଜାଇନ୍ ଓରାଲ ସଲ୍ୟୁସନ, କୋଫେକ୍ସାମାଲିନ୍ ବେବି କଫ୍ ସିରପ, ମାକୋଫ ବେବି କଫ୍ ସିରପ୍ ଓ ମ୍ୟାଗରିପ୍ ଏନ କୋଲ୍ଡ ସିରପ୍। ଏ ଚାରୋଟି ପ୍ରଡକ୍ଟ ହରିଆଣାର ସୋନପାଟରେ ଥିବା ମୈଡେନ ଫାର୍ମାସିଟ୍ୟୁକାଲ କମ୍ପାନୀ ତିଆରି କରୁଛି। ଏହି କମ୍ପାନୀ ଭାରତରେ କଫ୍ ସିରପ ପ୍ରସ୍ତୁତ କରୁଥିଲେ ହେଁ, ଏସିଆ, ଆଫ୍ରିକା ଓ ଲାଟିନ ଆମେରିକା ରାଷ୍ଟ୍ରକୁ ରପ୍ତାନୀ କରୁଥିବା ଜଣାପଡ଼ିଛି। ବଡ଼ କଥା ହେଲା କି, ଏହି ଔଷଧ ପ୍ରସ୍ତୁତ କମ୍ପାନୀ ନିଜର ପ୍ରଡକ୍ଟର ନିରାପତ୍ତା ଓ ଗୁଣାବତ୍ତାକୁ ନେଇ ଏ ଯାଏ କୌଣସି ଗ୍ୟାରେଣ୍ଟି ଦେଇନି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ। ସଂଗୃହୀତ ସାମ୍ପୁଲକୁ ପରୀକ୍ଷଣ ବେଳେ ଜଣାପଡ଼ିଛି କି,  ଏହି ସବୁ ସିରପ୍ ପ୍ରଦୂଷିତ ତଥା ଏଥିରେ  ମାତ୍ରାଧିକ ଡାଇଥାଇଲିନ୍ ଗ୍ଲାଇକୋଲ ଓ ଇଥାଲାଇନ ଗ୍ଲାଇକୋଲ୍ ରହିଛି। ଏହି ଦୁଇ ଗ୍ଲାଇକୋଲ ମଣିଷ ଶରୀର ଲାଗି ବିଷାକ୍ତ। ଏହାକୁ ବ୍ୟବହାର କଲେ ମଣିଷ ଲାଗି ଘାତକ ସାଜିପାରେ।  ପେଟ ବ୍ୟଥା, ଝାଡ଼ା, ବାନ୍ତି, ପରିଶ୍ରାରେ କଷ୍ଟ, ମୁଣ୍ଡ ବିନ୍ଧା, କିଡନୀକୁ କ୍ଷତି ପହଞ୍ଚାଇବା ସହ ସର୍ବୋପରି ମଣିଷର ମାନସିକ ସ୍ଥିତିକୁ ଖରାପ କରିଦେଇପାରେ।

ଗାମ୍ୱିଆରେ ଜୁଲାଇ ମାସରେ ଅନେକ ଶିଶୁ ଅସୁସ୍ଥ ହୋଇ ପାରାସିଟାମଲ ସିରପ ଖାଇବାର ୩ରୁ ୫ ଦିନ ଭିତରେ କିଡନୀଜନିତ ରୋଗରେ ପଡ଼ିଥିଲେ। ଅଗଷ୍ଟ ସୁଦ୍ଧା ୨୮ ପିଲାଙ୍କ ମୃତ୍ୟୁ ହୋଇଥିଲା। ଆଉ ଏବେ ମୃତ୍ୟୁ ସଂଖ୍ୟା ୬୬ରେ ପହଞ୍ଚିଛି। ଏବେ କମ୍ପାନୀ ଉପରେ ଇଣ୍ଡିଆନ ରେଗୁଲୋଟୋରୀ ଅଥୋରିଟିଙ୍କ ସହ ମିଶି ହୁ ଏହାର ତଦନ୍ତ କରିବ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *