୩୭୦୦ କର୍ମଚାରୀଙ୍କ ଛଟେଇ ଯୁକ୍ତିଯୁକ୍ତ!

Spread the love

() ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର କିଣିବା ପରେ ଏଲେନ ମସ୍କ ନେଇ ଚାଲିଛନ୍ତି କଠୋର ନିଷ୍ପତ୍ତି। ଏକା ଥରେ କମ୍ପାନୀର ୫୦ ପ୍ରତିଶତ କର୍ମଚାରୀଙ୍କୁ ଦେଖାଇଛନ୍ତି ବାହାରର ରାସ୍ତା। ସାରା ବିଶ୍ବରେ ଥିବା ୭ହଜାର ୫୦୦ କର୍ମଚାରୀଙ୍କ ମଧ୍ୟରୁ ୩ହଜାର ୭ଶହଙ୍କୁ ଶନିବାର ଚାକିରିରୁ ବାହାର କରି ଦେଇଛନ୍ତି ମସ୍କ। ଏହାର ଗୋଟିଏ ଦିନ ପୂର୍ବରୁ ଛଟେଇ କର୍ମଚାରୀଙ୍କଠାରୁ କମ୍ପାନୀର କମ୍ପ୍ୟୁଟର ଓ ଇମେଲ ଆକ୍‌ସେସ ଛଡାଇ ନିଆଯାଇଥିଲା।

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ବ୍ୟାପକ ପରିବର୍ତ୍ତନ। ଟ୍ବିଟରର ନୂଆ ମାଲିକାନା ହାତକୁ ନେବାର ସପ୍ତାହକ ପରେ ବ୍ୟାପକ ଛଟେଇ।  ଏଲେନ ମସ୍କ ଏକା ସାଙ୍ଗରେ କମ୍ପାନୀର ପ୍ରାୟ ୫୦ ପ୍ରତିଶତ କର୍ମଚାରୀଙ୍କୁ କରିଛନ୍ତି ବରଖାସ୍ତ। ୪୪ ଅରବ ଡଲାରରେ କମ୍ପାନୀ କିଣିବା ପରେ ନିଜ ଆର୍ଥିକ ସ୍ଥିତି ସୁଧାରିବାକୁ ମସ୍କଙ୍କ ନୂଆ ରଣନୀତି। ଟ୍ବିଟ ଓ ମେଲରେ କର୍ମଚାରୀଙ୍କୁ ଦେଲେ ଚାକିରି ହରାଇବାର ସୂଚନା। ବିଶ୍ବ ବ୍ୟାପୀ ଟ୍ବିଟରର ମୋଟ ୭ହଜାର ୫ଶହ କର୍ମଚାରୀଙ୍କ ମଧ୍ୟରୁ ୩ହଜାର ୭ଶହ ହରାଇଛନ୍ତି ଚାକିରି। ଛଟେଇର ଗୋଟିଏ ଦିନ ପୂର୍ବରୁ ଏହି କର୍ମଚାରୀଙ୍କୁ ଟ୍ବିଟର ନିର୍ଦ୍ଦେଶ ଦେଇଥିଲା କି, ପରବର୍ତ୍ତୀ ଇମେଲ ଆସିବା ପର୍ଯ୍ୟନ୍ତ ଘରେ ରୁହନ୍ତୁ। ମସ୍କଙ୍କ ଏପରି ବ୍ୟବହାରକୁ ନେଇ ଛଟେଇ ହୋଇଥିବା କର୍ମଚାରୀ ନିଜ ନାମ ନ ଛପାଇବା ସର୍ତ୍ତରେ କହିଛନ୍ତି କି, କର୍ମଚାରୀଙ୍କ ସହ ଏହା ଅତ୍ୟନ୍ତ ଅମାନବୀୟ ବ୍ୟବହାର। ମସ୍କ କୌଣସି ବି ମୂଲ୍ୟରେ ଅର୍ଥ ବଞ୍ଚେଇବାରେ ଲାଗିଛନ୍ତି। ୪୪ ବିଲିୟନ ଡଲାରରେ ଟ୍ବିଟର କିଣିବାକୁ ମସ୍କଙ୍କୁ ବହୁ ବିଲିୟନ ଡଲାର ଋଣ କରିବାକୁ ହୋଇଛି।  ଏମିତି କି ନିଜ ଇଲେକ୍ଟ୍ରିକ କାର କମ୍ପାନୀ ଟେଲ୍ସାର ୧୫.୫ ବିୟିଲନ ଡଲାର ମୂଲ୍ୟର ସେୟାର ବିକ୍ରି କରିବାକୁ ପଡିଛି। କର୍ମଚାରୀ ଛଟେଇକୁ ନେଇ ମସ୍କଙ୍କୁ ବିଶ୍ବ ବ୍ୟାପୀ ସମାଲୋଚନାର ସରବ୍ୟ ହେବାକୁ ପଡୁଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଟେସ୍ଲା ମୁଖ୍ୟ ଟ୍ବିଟ କରି ସଫେଇ ଦେଇଛନ୍ତି। ଟେସ୍ଲା ମୁଖ୍ୟଙ୍କ ଅନୁଯାୟୀ, ଟ୍ବିଟର କର୍ମଚାରୀ କମ କରିବା ଦୁର୍ଭାଗ୍ୟପୂଣ୍ଣର୍ । କିନ୍ତୁ ଆମ ନିକଟରେ ଅନ୍ୟ କୌଣସି ବକଳ୍ପ ନଥିଲା। ବିଶେଷ କରି ସେତେବେଳେ ଯେତେବେଳେ କମ୍ପାନୀ ପ୍ରତି ଦିନ ୪୦ ଲକ୍ଷ ଡଲାର ବା ୩୨ କୋଟି ଟଙ୍କା ହରାଉଛି।

ମସ୍କ ଶୁକ୍ରବାର ମଧ୍ୟ ଟ୍ବିଟ କରି ରାଜସ୍ବରେ ବିରାଟ କ୍ଷତିର କଥା ସାମ୍ନାକୁ ଆଣିଥିଲେ। ଏଥିସହ କହିଥିଲେ ଏମିତି କିଛି ଆକ୍ଟିଭିଷ୍ଟ ସମୂହ ରହିଛନ୍ତି ଯେଉଁମାନଙ୍କ ପାଇଁ ରାଜସ୍ବରେ ହ୍ରାସ ଘଟୁଛି। ଏମାନେ ବିଜ୍ଞାପନଦାତାଙ୍କ ଉପରେ ଚାପ ପକାଉଛନ୍ତି। ସେମାନେ ଆମେରିକାର ଅଭିବ୍ୟକ୍ତି ସ୍ବତନ୍ତ୍ରତାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ସେପଟେ ମସ୍କ ଟ୍ବିଟର ମୁଖ୍ୟ ହେବା ପରେ ଏହି ବୃହତ ସୋସିଆଲ ପ୍ଲାଟଫର୍ମରେ ଆକ୍ଟିଭ ୟୁଜର୍ସଙ୍କ ସଂଖ୍ୟାରେ ମଧ୍ୟ ବ୍ୟାପକ ହ୍ରାସ ଘଟିଛି। ବଟ ସେଣ୍ଟିନେଲ ନାମକ ଏକ ୱେବସାଇଟ ଅନୁଯାୟୀ, ଅକ୍ଟୋବର ୨୭ରେ ମସ୍କ ଟ୍ବିଟର ଦାୟିତ୍ବ ନେଇଥିଲେ। ଏହା ପରେ ୧ ନଭେମ୍ବର ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମର ପ୍ରାୟ ୮.୭୫ ଲକ୍ଷ ୟୁଜର୍ସ ନିଜ ଆକାଉଣ୍ଟ ଡିଆକ୍ଟିଭେଟ କରି ଦେଇଛନ୍ତି। ଏଥିସହ ଟ୍ବିଟରରେ ପ୍ରାୟ ୫ ଲକ୍ଷ ଆକାଉଣ୍ଟ ସସ୍ପେଣ୍ଡ ହୋଇଯାଇଛନ୍ତି। ଆଗକୁ ମଧ୍ୟ ଟ୍ବିଟର ଆଡଭଟାଇଜର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ସଙ୍କେତ ଦେଇସାରିଛନ୍ତି ମସ୍କ।

ତେବେ ଏହି ଛଟେଇରେ ଟ୍ବିଟର ପାଇଁ କାମ କରୁଥିବା ଭାରତୀୟ କର୍ମଚାରୀ ଚାକିରି ହରାଇଥିବା ଜଣାପଡିଛି। ତେବେ କେତେ ଜଣ ଟ୍ବଟର ଚାକିରି ହରାଇଛନ୍ତି ତାହା ଜଣାପଡି ନ ଥିବା ବେଳେ କିନ୍ତୁ ପୂର୍ବରୁ ପ୍ରାୟ ୨୦୦ ଜଣ କାମ କରୁଥିବା ବେଳେ ୫୦ ପ୍ରତିଶତରୁ ଅଧିକ ନିଯୁକ୍ତି ହରାଇଛନ୍ତି ବୋଲି କୁହାଯାଉଛି। ସେମାନେ ମୁଖ୍ୟତଃ ସେଲ୍ସ, ଇଞ୍ଜିନିୟରିଂ ଓ ପାର୍ଟନସିପ ଡିଭିଜନର କର୍ମଚାରୀ। ସେପଟେ  ଏହି ପ୍ରସଙ୍ଗରେ ଟ୍ବିଟରର ପୂର୍ବତନ ଭାରତୀୟ ପ୍ରମୁଖ ମନୀଷ ମାହେଶ୍ବରୀ  କହିଛନ୍ତି କି,  ସେ କେବେ ଆଶା କରିନଥିଲେ କି  ଏସବୁ ଏତେ ଶୀଘ୍ର ହୋଇଯିବ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମାହେଶ୍ବରୀ କହିଛନ୍ତି, ବର୍ତ୍ତମାନ ସମୟରେ ଟ୍ବିଟର ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ ପ୍ରଭାବିତ ହୋଇଛି।  ଗୋଟିଏ ହେଉଛି ମାନ୍ଦାବସ୍ଥା, ଯାହା ପାଇଁ କମ୍ପାନୀଗୁଡିକ ନିଜକୁ ପ୍ରସ୍ତୁତ କରୁଛନ୍ତି।  ହେଲେ ଏହି ମାମଲାରେ ମସ୍କ ଫ୍ୟାକ୍ଟର । ସେ ବଂଶାନୁକ୍ରମେ ହାସଲ କରିଥିବା ସମ୍ପତ୍ତିର ସଦୁପଯୋଗ କରି ମାନ୍ଦାବସ୍ଥାର ସାମ୍ନା କରିପାରିବେ। ଅନ୍ୟଟି ଲାଭ କରିବାର ପ୍ରବୃତ୍ତି। ଭେରିଫାଏଡ ହ୍ୟାଣ୍ଡଲ ପାଇଁ ୮ ଡଲାର ସଂଗ୍ରହ ଯୋଜନା  ଉପରେ ମାହେଶ୍ବରୀ କହିଛନ୍ତି କି, ଏହା ଲାଭ ଦିଗକୁ ସଙ୍କେତ କରୁଛି ଯାହା ପ୍ରବୃତ୍ତିଗତ।

ଛଟେଇ ତ କରିଦେଲେ ମସ୍କ। ଏବେ ଟ୍ବିଟର ତଥା ମସ୍କଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନର ପର୍ବ ମଧ୍ୟ ଆରମ୍ଭ ହୋଇ ଯାଇଛି। ଗୁରୁବାର ବିଳମ୍ବିତ ରାତିରେ ସେନଫ୍ରାନ୍ସିସ୍କୋ ସଂଘୀୟ କୋର୍ଟରେ ଦାୟର ହୋଇଥିଲା ମାମଲା। ଛଟେଇର ଦୁଇ ଦିନ ପୂର୍ବରୁ ଯେତେବେଳେ କର୍ମଚାରୀଙ୍କୁ ସେମାନଙ୍କ ଆକାଉଣ୍ଟରୁ ବାହାର କରି ଦିଆଯାଇଥିଲା ଏଥିରୁ ସ୍ପଷ୍ଟ ହୋଇଥିଲା କି, ଖୁବ ଶୀଘ୍ର ଏମାନଙ୍କୁ ଏମାନଙ୍କ ଚାକିରିରୁ ବାହାର କରାଯାଇପାରେ। ସେପଟେ, ଆକସ୍ମିକ ଏତେ ସଂଖ୍ୟାରେ କର୍ମଚାରୀ ଛଟେଇ ୟୁଏସ ନିଯୁକ୍ତି ଆଇନର ଉଲ୍ଲଙ୍ଘନ ସାବ୍ୟସ୍ତ ହୋଇଛନ୍ତି। ନିୟମ ଅନୁଯାୟୀ, କୌଣସି କମ୍ପାନୀରେ ୧୦୦ରୁ ଅଧିକ କର୍ମଚାରୀ ଥିଲେ, ସାମୂହିକ ଛଟେଇ ପୂର୍ବରୁ ୬୦ ଦିନ ବା ଦୁଇ ମାସର ନୋଟିସ ଦେବାର ନିୟମ ରହିଛି। ଏପରି ନ କଲେ ୬୦ ଦିନର ଦରମା ମଧ୍ୟ ଦେଇ ଛଟେଇ କରାଯାଇପାରେ।  ଏହି ଆଇନର ଉଲ୍ଲଙ୍ଘନ ପାଇଁ ମଧ୍ୟ ଦଣ୍ଡବିଧାନ ରହିଛି। ଏଥିପାଇଁ ନିଯୁକ୍ତିଦାତାଙ୍କୁ ଛେଟେଇ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ୬୦ ଦିନର ଦରମା ଦେବାକୁ ପଡିପାରେ। ଆଇନ ଉଲ୍ଲଙ୍ଘନ ପାଇଁ ପ୍ରତିଦିନ ୫୦୦ ଡଲାର ଜରିମାନା ମଧ୍ୟ ଦେବାକୁ ହୋଇପାରେ। ଏବେ ଦେଖିବାକୁ ରହିଲା ମସ୍କ ଆଇନର ଜାଲରେ ଛନ୍ଦି ହେଉଛନ୍ତି କି ନାହିଁ? ଯଦି ଛନ୍ଦି ହେଉଛନ୍ତି ତେବେ କିପରି ଏହାର ମୁକାବିଲା କରୁଛନ୍ତି?

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *