ଡ୍ରେନ୍‌ରେ ବୁଡ଼ି ଶିଶୁର ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Spread the love

ସ୍ଥାନୀୟ ୟୁନିଟ-୩ ମସଜିଦ କଲୋନି ନିକଟରେ ମଙ୍ଗଳବାର ଅପରାହ୍‌ଣରେ ନାଳରେ ଭାସିଯାଇ ୮ ବର୍ଷ ବୟସର ନାବାଳକ ଶିଶୁର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିଗ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣା ମତେ ବ୍ୟଥିତ କରିଛ। ପିଲାଟିର ଆତ୍ମାର ସଦଗତି କାମନା କରିବା ସହ ଏଭଳି ପରିସ୍ଥିତିରେ ପରିବାର ଲୋକଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଭଳି ଅଘଟଣ ଆଗକୁ ଯେମିତି ନଘଟିବ ସେ ଦିଗରେ ଆମ ସରକାର କାର୍ଯ୍ୟ କରିବ ବୋଲି କହିଛନ୍ତି।

ଏହା ପୂର୍ବରୁ ଏହି ଘଟଣା ନେଇ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଶୋକ ପ୍ରକାଶ କରିଥିଲେ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। ଏଥି ସହିତ ସେ ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଆଜି ଅପରାହ୍‌ଣ ୧ଟାରେ ଭୁବନେଶ୍ବରରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ସମୟରେ ୟୁନିଟ-୩ ମସଜିଦ ସାହି ନିକଟରେ କିଛି ଛୋଟ ପିଲା ଖେଳୁଥିଲେ। ଏହି ସମୟରେ ଡ୍ରେନ୍‌ରେ ଏକ ବେଲୁନ ଭାସୁଥିଲା।  ବେଲୁନକୁ ଆଣିବା ପାଇଁ ଏମାନଙ୍କ ମଧ୍ୟରୁ ଜଣେ ୮ ବର୍ଷ ବୟସର ନାବାଳକ ଉଦ୍ୟମ କରିଥିଲା। କିନ୍ତୁ ସେ ଡ୍ରେନ୍‌ରେ ଖସିପଡ଼ିଥିଲା। ବର୍ଷା ଯୋଗୁଁ ଡ୍ରେନ୍‌ରେ ପାଣି ପ୍ରବାହିତ ହେଉଥିବାରୁ ନାବାଳକ ନିଖୋଜ ହୋଇଯାଇଥିଲା। ଅନ୍ୟ ପିଲାମାନେ ଘଟଣା ସଂପର୍କରେ ପରିବାର ଲୋକଙ୍କୁ କହିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।‌ ଶେଷରେ ନାବାଳକକୁ ଲକ୍ଷ୍ମୀସାଗର ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ନାବାଳକକୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *