ମାନହାନି ମାମଲାରେ ରଜତ ଶର୍ମାଙ୍କୁ ଅନ୍ତରୀଣ ଆଶ୍ୱସ୍ତି

Spread the love

ଭୋଟିଂ ଦିନ ବିତର୍କ ବେଳେ ଇଣ୍ଡିଆ ଟିଭି ଚ୍ୟାନେଲରେ କଂଗ୍ରେସ ମୁଖପାତ୍ରଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଘଟଣାରେ ବରିଷ୍ଠ ସାମ୍ୱାଦିକ ରଜତ ଶର୍ମାଙ୍କୁ ମିଳିଲା କୋର୍ଟରୁ ଆଶ୍ୱସ୍ତି। ରଜତ ଶର୍ମାଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା କରିଥିଲେ କଂଗ୍ରେସର ତିନି ନେତା ରାଗିଣୀ ନାୟକ, ପଓ୍ୱନ ଖେରା ଓ ଜୟରାମ ରମେଶ। ଏହି ତିନି ନେତା ନିଜ ଏକ୍ସ-ରେ କରିଥିବା ପୋଷ୍ଟକୁ ହଟାଇବାକୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଯେଉଁଥିରେ ଆରୋପ ହୋଇଥିଲା କି, ଅନ୍ ଏୟାର ରାଗିଣୀ ନାୟକଙ୍କ ପ୍ରତି ଅପମାନଜନକ ଭାଷାର ପ୍ରୟୋଗ କରିଥିଲେ ରଜତ।

ଆଉ ଏହାର ପ୍ରମାଣ ଦେବାକୁ ଯାଇ ନିଜ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଅପଲୋଡ଼ କରିଥିଲେ ଏହି ତିନି ନେତା, ତାହା କୁଆଡ଼େ ଥିଲା ସମ୍ପାଦିତ ଭିଡ଼ିଓ। ବିତର୍କର ର- ଫୁଟେଜରୁ ଏମିତି କୌଣସି କଥା ଘଟିନି ବୋଲି ରଜତଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ରଜତଙ୍କ ଚରିତ୍ରସଂହାର ସହ ଏଭଳି ବିତର୍କକୁ ସମ୍ୱେଦନଶୀଳ କରିବାକୁ ଚିତ୍ରଣ କରାଯାଇଥିଲା। କୋର୍ଟ କହିଛନ୍ତି, କଂଗ୍ରେସ ନେତାଏ ଅତିରଞ୍ଜିତ କରି ପରିବେଷଣ ସହ ସତ କହିନଥିଲେ। ଏ କଥା ଅସ୍ୱୀକାର କରିହେବନି ଯେ, ସ୍ୱାଧୀନତାର ଅଭିବ୍ୟକ୍ତିର ସ୍ୱତନ୍ତ୍ର ଅଧିକାର ରହିଛି। କିନ୍ତୁ ଏହା ସହ ଘଟଣାର ସତ୍ୟାସତ୍ୟକୁ ପଦାକୁ ଆଣିବା ବି ବଡ଼ କର୍ତ୍ତବ୍ୟ। ରଜତଙ୍କୁ ଦୋଷୀ ବୋଲି ବିବେଚନା କରି ଏକ୍ସ-ରେ କରାଯାଇଥିବା ପୋଷ୍ଟ ବିନା ବଳିଷ୍ଠ ତଥ୍ୟରେ ମିଛରେ ଚିତ୍ରଣ କରାଯାଇଛି। ଯିଏ ଏହି ପୋଷ୍ଟ ଓ ଟ୍ୱିଟକୁ ରି-ଟ୍ୱିଟ୍ କରି ଏଯାଏ ହଟାଇନାହାନ୍ତି, ସେମାନଙ୍କୁ ମଧ୍ୟ ୭ ଦିନ ଭିତରେ ହଟାଇବାକୁ ପଡ଼ିବ ବୋଲି ନିର୍ଦେଶ ଦେଇଛନ୍ତି କୋର୍ଟ।

ଯେହେତୁ ଭିଡ଼ିଓ ବି ସାର୍ବଜନୀନ ଡୋମେନରେ ଉପଲବ୍ଧ। ଏହାକୁ ବି ଗୁଗଲ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ହାଇଡ୍ କରାଯିବ। ସାର୍ବଜନୀନ ଡୋମେନରେ ଯେମିତି ଏହା ଉପଲବ୍ଧ ହେବନି, ତାକୁ ନିଶ୍ଚିତ କରିବେ। ଟିଭି ବିତର୍କର ସମ୍ପୂର୍ଣ୍ଣ ଫୁଟେଜ୍‌ରୁ ଏହା ସ୍ପଷ୍ଟ, ରଜତ ଶର୍ମା ମାତ୍ର କେଇ ସେକେଣ୍ଡ ପାଇଁ ହସ୍ତକ୍ଷେପ କରିଥିଲେ। ରାଗିଣୀ ନାୟକଙ୍କ ପ୍ରତି କୌଣସି ଅପମାନଜନକ ଭାଷାର ପ୍ରୟୋଗ କରିନାହାନ୍ତି ରଜତ ବୋଲି କହିଛନ୍ତି କୋର୍ଟ।

Leave a Reply

Your email address will not be published. Required fields are marked *