ଜାତୀୟ

ଏନ୩ଏନ୨ ବଢାଇଲାଣି ଚିନ୍ତା, ନେଲାଣି ୨ ଜୀବନ

(ନୂଆଦିଲ୍ଲୀ): କରୋନା ଆତଙ୍କ ସମ୍ପୂର୍ଣ୍ଣ ନ ଯାଉଣୁ ଏବେ ଆଉ ଏକ ସଂକ୍ରମଣ ବଢାଇଲାଣି ଚିନ୍ତା । ଏଚ୩ଏନ୨ ଇନ୍‌ଫ୍ଲୁଏଞ୍ଜାରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ ମାମଲା ସାମନାକୁ ଆସିଛି। ସେହିପରି ଏଚ୧ଏନ୧ର ୮ ମାମଲା ରହିଛି ଦେଶରେ। ଯଦି ଏଥିପ୍ରତି ସଚେତନ ହୋଇ ସତର୍କତା ଅବଲମ୍ବନ କରା ନ ଯାଏ ତେବେ ଆଗାମୀ ଦିନରେ ବିଶ୍ବ ଆଉ ଏକ ମହାମାରୀର ସମ୍ମୁଖୀନ ଯେ ନ ହେବ ତାହାକୁ ଏଡାଇ ଦିଆଯାଇ ନ ପାରେ।

ପୁଣି ବିଶ୍ବ ଆଗରେ ଭୂତାଣୁ ଭୟ। ମହାମାରୀ କରୋନା ସହ ଦୀର୍ଘ ତିନି ବର୍ଷର ଲଢେଇ ପରେ ବିଶ୍ବ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା ବେଳେ ଏବେ ଏଚ୩ଏନ୨ ଇନ୍‌ଫ୍ଲୁଏଞ୍ଜା ବଢାଇଲାଣି ଚିନ୍ତା। ସେପଟେ ଇନଫ୍ଲୁଏଞ୍ଜା-ଏର ସବ ଟାଇପ ଏଚ୩ଏନ୨ ଭୂତାଣୁ କବଳରୁ ବର୍ତ୍ତିନି ଭାରତ। ଏହି ଇନଫ୍ଲୁଏଞ୍ଜାରେ ଶୁକ୍ରବାର ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକର ହୋଇଥିବା ବେଳେ ଜଣେ ହରିଆଣାର । ରିପୋର୍ଟ ମୁତାବକ କର୍ଣ୍ଣାଟକର ହାସନ ଜିଲ୍ଲାରେ ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କ ଏହି ସଂକ୍ରମଣରେ ହୋଇଥିଲା ମୃତ୍ୟୁ। ପ୍ରଥମେ ସେ ଜ୍ବର, ଗଳା ସଂକ୍ରମଣ, ଦେହ ଦରଜ ପରି ସମସ୍ୟାର ସମ୍ମୁଖୀନ ହେବା ପରେ ତାଙ୍କୁ ଫେବୃଆରୀ ୨୪ରେ ହାସନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସରେ ଭର୍ତ୍ତି କରାଯାଇଥିଲା। କିନ୍ତୁ  ମାର୍ଚ୍ଚ ୧ ତାରିଖରେ ତାଙ୍କର ହୋଇଥିଲା ମୃତ୍ୟୁ। ସେ ଇନଫ୍ଲୁଏଞ୍ଜାରେ ସଂକ୍ରମିତ ଥିବା ମାର୍ଚ୍ଚ ୬ରେ ସ୍ପଷ୍ଟ ହୋଇଥିଲା। ଏହା ପରେ ବୃଦ୍ଧଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ଉପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରଖାଯାଇଛି ନଜର । ସେହିପରି ହରିଆଣାରେ ଜଣଙ୍କର ଏଚ୩ଏନ୨ ସଂକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲେ ମଧ୍ୟ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ନାହିଁ।

ଭାରତରେ କୋଭିଡ୧୯ ପରେ ଏଡିନୋଭାଇରସ ଓ ଇନଫ୍ଲୁଏଞ୍ଜା ପରି ରୋଗ କାୟା ବିସ୍ତାର କରିବାରେ ଲାଗିଛି। ଏହି ଏଚ୩ଏନ୨ ଇନଫ୍ଲୁଏଞ୍ଜାରେ ଦେଶରେ ୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ସୂଚନା । ଏଥିସହ ଏହି ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ହେଉଥିବା ସତର୍କ କରିଦେଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏବେ ପ୍ରାୟତଃ ଘରେ ଘରେ ଥଣ୍ଡା, ଜ୍ବର, କାଶ, ଶ୍ବାସ କ୍ରିୟାରେ ସମସ୍ୟା ପରି ଏକ ବା ଏକାଧିକ ଲୋକଙ୍କଠାରେ ଦେଖିବାକୁ ମିଳୁଛି ଲକ୍ଷଣ। ଚଳିତ ବର୍ଷ ଆରମ୍ଭରୁ ଏପରି ସଂକ୍ରମଣ ମୁଖ୍ୟତଃ ଉତ୍ତର ଭାରତରେ ରେକର୍ଡ ହୋଇଛି। ଭାରତରେ ପ୍ରତି ଦୁଇ ଜଣରେ ଜଣେ ଏପରି ସମସ୍ୟା ଦେଖିବାକୁ ମିଳିଛି।  ପ୍ରଥମେ ଏହାକୁ ସାଧାରଣ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ବୋଲି ଲୋକେ ଭାବୁଥିବା ବେଳେ ଏବେ କିନ୍ତୁ ଏହାକୁ ନେଇ ବାଜିବାକୁ ଆରମ୍ଭ କଲାଣି ସତର୍କ ଘଣ୍ଟି । ଏହା କୌଣସି ଭାଇରାଲ ସଂକ୍ରମଣ ନୁହେଁ ବରଂ ଇନଫ୍ଲୁଏଞ୍ଜା ପ୍ରଭାବ ବୋଲି କୁହାଯାଉଛି। ମ୍ୟାକ୍ସ ହେଲ୍ଥକେୟାର ଗ୍ରୁପ ମେଡିକାଲ ନିର୍ଦ୍ଦେଶକ ଓ ବରିଷ୍ଠ ଡାକ୍ତର ସନ୍ଦୀପ ବୁଧିରାଜା କହିଛନ୍ତି କି, ଇନଫ୍ଲୁଏଞ୍ଜା ଭୂତାଣୁ ଷ୍ଟ୍ରେନର ଲକ୍ଷଣ ସାମାନ୍ୟ ଭିନ୍ନ।  ଏଥିରେ ଅନେକ ଲୋକଙ୍କ ଠାରେ ବହୁ ଦିନ ଧରି କାଶ ସମସ୍ୟା ଦେଖା ଦେଉଛି।  ସାଧାରଣତଃ ଉତ୍ତର ଭାରତରେ ଫେବୃଆରୀ ଓ ମାର୍ଚ୍ଚ ମାସରେ ଫ୍ଲୁ ପରି କୌଣସି ମାମଲା ଦେଖାଯାଉନଥିବା ବେଳେ ବର୍ତ୍ତମାନ ଏପରି ବହୁ ମାମଲା ଆସିବାରେ ଲାଗିଛି।

ସେହିପରି ଆଉ ଏକ ଇନଫ୍ଲୁଏଞ୍ଜା ଏଚ୧ଏନ୧ ର ୮ ମାମଲା ମଧ୍ୟ ସାମ୍ନାକୁ ଆସିଛି। ମୋଟ ଇନଫ୍ଲୁଏଞ୍ଜା ତିନି ପ୍ରକାରର ହୋଇଥିବା ବେଳେ ଏଚ୧ଏନ୧, ଏଚ୩ଏନ୨ ଓ ଇନଫ୍ଲୁଏଞ୍ଜା-ବି। ଏହାକୁ ୟାମା ଗାଟା କୁହାଯାଉଛି। ତେବେ ଭାରତରେ ବର୍ତ୍ତମାନ ଦୁଇଟି ଇନଫ୍ଲୁଏଞ୍ଜା ଭାଇରସ ଏଚ୧ଏନ୧ ଓ ଏଚ୩ଏନ୨ ସଂକ୍ରମଣ ଦେଖିବାକୁ ମିଳିଛି। ଏଚ୩ଏନ୨ ଭୂତାଣୁ ଇନଫ୍ଲୁଏଞ୍ଜା- ଏର ସବଟାଇପ। ଏହି ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଡାକ୍ତରଖାନାରେ ୪୦ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି।  ଏହାକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ଆଡଭାଇଜରି ଜାରି କରିଛି। ଏହି ସଂକ୍ରମଣ ପରେ ସଂକ୍ରମିତଙ୍କୁ ପ୍ରବଳ ଜ୍ବର, ଜୋରରେ ସର୍ଦ୍ଦି, ଶରୀର ପୀଡା, ଗଳା ଦରଜ, ଜୋରରେ କାଶ, ନାଗ ଚୁଣ୍ଟିହେବା, ଫୁସଫୁସ ଜାମ ହୋଇଯିବା ପରି ସମସ୍ୟା ଦେଖାଯାଉଥିବା କୁହାଯାଇଛି। ଏହି ସବୁ ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ସଂକ୍ରମିତଙ୍କୁ ବିଶ୍ରାମ କରିବା ସହ ପର୍ଯ୍ୟାପ୍ତ ପାଣି ପିଇବାକୁ ଦିଆଯାଇଛି ପରାମର୍ଶ। ଏଥିସହ ସଂକ୍ରମଣରୁ ବର୍ତ୍ତିବାକୁ ବାହାର ଖାଦ୍ୟ ନ ଖାଇବା କୁହାଯାଇଛି।

ମହାମାରୀ କରୋନା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିବା ସହ ବିଭିନ୍ନ ଅରଗାନକୁ ଦୁର୍ବଳ କରି ଦେଇଥିବା ବେଳେ ବର୍ତ୍ତମାନ ଇନଫ୍ଲୁଏଞ୍ଜା ସଂକ୍ରମଣ ସତର୍କ ଘଣ୍ଟି ବଢାଇଛି। ଏହା ଆଗକୁ ଆଉ ଏକ ମହାମାରୀର ରୂପ ଯେ ନ ନେବ ତାହାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ଏହି ଇନଫ୍ଲୁଏଞ୍ଜା ସମ୍ପର୍କରେ ଅଧିକ ସଚେତନ ହେବା ସହ ଏହାର ପ୍ରତିକାର ସମ୍ପର୍କ ଅବଗତ ହୋଇ ସତର୍କତାମୂଳକ ପଦକ୍ଷେପ ନେବାର ଆବଶ୍ୟକତା ଜରୁରୀ ହୋଇ ପଡିଛି।

Related Articles

Leave a Reply

Your email address will not be published.

Back to top button