H3N2

  • ଏଚ୩ଏନ୨ ସଂକ୍ରମଣ ଲକ୍ଷଣ ଓ ନିରାକରଣ

    () ଏଚ୩ଏନ୨ ସଂକ୍ରମଣ ସହ ଦେଶରେ କୋଭିଡ ମାମଲାରେ ମଧ୍ୟ ବୃଦ୍ଧି ହେଉଥିବାରୁ ଉଭୟ ମଧ୍ୟରେ କୌଣସି ସଂଯୋଗ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏପରି ସମୟରେ ଆଉ ଏକ ମହାମାରୀ ଯେ ବାଟ ଓଗାଳିବନି ଏହାକୁ ଏଡାଇ ଦିଆ ଯାଇ ନପାରେ।  ଏପରି ସମୟରେ ଏହି ସଂକ୍ରମଣକୁ ନେଇ ଅଧିକ ସଚେତନତାର ଆବଶ୍ୟକତା ରହିଛି।

    କେତେ ଭୟଙ୍କର ଏଚ୩ଏନ୨? କାହିଁକି ବୃଦ୍ଧି ପାଉଛି ସର୍ଦ୍ଦି, କାଶ, ଛିଙ୍କ, ଜ୍ବର ପରି ସମସ୍ୟା? କଣ ପୁଣି କୋଭିଡ ଲେଉଟୁଛି? ଏପରି ପ୍ରଶ୍ନର କାରଣ କି, ଏବେ ଘରେ ଘରେ  ସର୍ଦ୍ଦି, କାଶ, ଛିଙ୍କ, ଜ୍ବରରେ କେହି ନା କେହି ପୀଡିତ। ତେଣୁ ମନରେ ଭୟର ସଂଚାର ସ୍ବାଭାବିକ। ହେଲେ ଏହା କୋଭିଡ ନୁହେଁ, ହୁଏତ ହୋଇପାରେ ଇନଫ୍ଲୁଏଞ୍ଜା ସଂକ୍ରମଣ। ବର୍ତ୍ତମାନ ଦେଶରେ ଏଚ୩ଏନ୨ ଇନଫ୍ଲୁଏଞ୍ଜା ସଂକ୍ରମଣ ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଖାଲି ସେତିକି ନୁହେଁ, ଏହି ଭୂତାଣୁ ଦେଶରେ ଦୁଇ ଜଣଙ୍କର ନେଲାଣି ଜୀବନ। ତେବେ ଇନଫ୍ଲୁଏଞ୍ଜାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି କହି, ଜଳବାୟୁ ଇନଫ୍ଲୁଏଞ୍ଜା ଭୂତାଣୁ ସାଧାରଣତଃ ୪ ପ୍ରକାରର, ଏ, ବି, ସି ଓ ଡି। ଏ ଓ ବି ଟାଇପ ଦ୍ବାରା ଜଳବାୟୁ ପରିବର୍ତ୍ତନ ଜନିତ ଫ୍ଲୁ ହୋଇଥାଏ। ହେଲେ ଇନଫ୍ଲୁଏଞ୍ଜା-ଏ ଟାଇପ ମହାମାରୀର କାରଣ ହୋଇପାରେ।  ଏହାର ଦୁଇଟି ସବଟାଇପ ହେଉଛି ଏଚ୩ଏନ୨ ଓ ଏଚ୧ଏନ୧। ଆଇସିଏମଆର ମୁତାବକ ସିଭିୟର ଏକ୍ୟୁଟ ରେସ୍ପିରେଟୋରି ଇନ୍ଫେକ୍ସନ ବା ଏସଏଆରଆଇ ଦ୍ବାରା ପୀଡିତ ଅଧାରୁ ଅଧିକ ଏଚ୩ଏନ୨ ସଂକମିତ ଚିହ୍ନଟ ହେଉଛନ୍ତି।

    ତେବେ ଏଚ୩ଏନ୨ର କଣ ଲକ୍ଷଣ? ସାଧାରଣତଃ ନାମରୁ ପାଣି ବୋହିବା, ପ୍ରବଳ ଜ୍ବର, କାଶ, ଯାହା ପ୍ରଥମେ ଥଣ୍ଡା କାଶ ପରି ହୋଇଥିବା ବେଳେ ପରେ ଶୁଖିଲା ହୋଇଥାଏ, ନିଶ୍ବାସ ନେବାରେ କଷ୍ଟ, ନାକ ଚୁଣ୍ଟିହେବା, ଶରୀର ପୀଡା, ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, କେତେ ଜଣଙ୍କର ବାନ୍ତି  ପରି ଲକ୍ଷଣ ଦେଖାଦେଇଥାଏ। ଏଥିସହ ନିଶ୍ବାସ ନେବାରେ ସମସ୍ୟା, ଲଗାତାର ଜ୍ବର, ଛାତିରେ ଯନ୍ତ୍ରଣା, ଖାଇବାରେ କଷ୍ଟ, ମୁଣ୍ଡ ବୁଲାଇବା ଓ ବାତ ପରି ସମସ୍ୟା ଦେଖା ଦେଇଦେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି।   

    କଣ କରିବେ ସଂକ୍ରମଣ ହେଲେ? ଆଇସିଏମଆର ମୁତାବକ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିଧାରୀ ବ୍ୟକ୍ତି ତଥା ଶିଶୁ ଓ ବୟସ୍କଙ୍କ ଠାରେ ଏହି ସବୁ ଲକ୍ଷଣ ଅଧିକ ଦେଖିବାକୁ ମିଳୁଛି। ତେଣୁ ସଂକ୍ରମିତଙ୍କର ପ୍ଲସ ଏକ୍ସିମିଟର ଦ୍ବାରା ନିୟମିତ ଅକ୍ସିଜେନ ଲେବଲ ଚେକ କରିବା ଦରକାର। ଅକ୍ସିଜେନ ସାଚୁରେସନ ଲେବଲ ୯୫ ପ୍ରତିଶତରୁ କମ ହେଲେ ତତ୍କାଳ ଡାକ୍ତର ଦେଖାଇବା ଜରୁରୀ।  ସେହିପରି ଅକ୍ସିଜେନ ସାଚୁରେସନ ଲେବଲ ୯୦ ପ୍ରତିଶତରୁ କମ ତେବେ ତତ୍କାଳ ଇସିୟୁର ଆବଶ୍ୟକତା ପଡିପାରେ। ଡାକ୍ତରଙ୍କ ବିନା ପରାମର୍ଶରେ ମନଇଛା ଔଷଧ ନିଅନ୍ତୁ ନାହିଁ, ଏହା ଘାତକ ସାବ୍ୟସ୍ତ ହୋଇପାରେ। ଯଦି ବୟସ୍କ ଓ ଶିଶୁଙ୍କ ଜ୍ବର ଓ କଫ ସମସ୍ୟା ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ହେଲେ ଡାକ୍ତରଙ୍କ ବିନା ପରିଶ୍ରମରେ ଆଣ୍ଟିବାଇଟିକ ନେବା ଘାତକ ହୋଇପାରେ ବୋଲି କୁହାଯାଇଛି।

    ଏଚ୩ଏନ୨ ସଂକ୍ରମଣ ପ୍ରତିରୋଧ ଉପାୟ। ଆଇସିଏମଆର ପକ୍ଷରୁ ସଂକ୍ରମଣ ରୋକିବା ନେଇ କୁହାଯାଇଥିବା ଉପାୟ ମଧ୍ୟରେ ଅଧିକାଂଶ  କୋଭିଡ-୧୯ ସଦୃଶ। ଏଚ୩ଏନ୨ ଭୂତାଣୁରୁ ରକ୍ଷା ପାଇବାକୁ ଭିଡ ଏଡାଇବାକୁ କୁହାଯାଇଛି। ଏସମ୍ପର୍କରେ ଡବ୍ଲୁଏଚଓ କହିଛି କି, ଗହଳି ପୂର୍ଣ୍ଣ ସ୍ଥାନରେ ସଂକ୍ରମଣ ବ୍ୟାପିବାର ଭୟ ରହିଛି। କାରଣ ଭିଡ ଭିତରେ କେହି ସଂକ୍ରମିତ ଥିଲେ ସେ କାଶିଲେ ବା ଛିଙ୍କିଲେ ତାଙ୍କ ଡ୍ରପଲେଟ ବାୟୁରେ ଏକ ମିଟର ପର୍ଯ୍ୟନ୍ତ ଯାଇପାରେ। ଏହି ପରିଧି ଭିତରେ ଥିବା ବ୍ୟକ୍ତି ଶ୍ବାସ ନେବା ବେଳେ ଏହା ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଯିବାର ସମ୍ଭାବନା ରହିଛି। ଥରେ ସଂକ୍ରମିତ ଡ୍ରପଲେଟ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଗଲେ ସେ ମଧ୍ୟ ସଂକ୍ରମିତ ହୋଇଥାନ୍ତି। କରୋନା ପରି ଏଚ୩ଏନ୨ ସଂକ୍ରମିତ ଯାହାକୁ ଛୁଇଁବେ ସେଠାକୁ ଭୂତାଣୁ ବ୍ୟାପୀ ବାର ସମ୍ଭାବନା ରହିଛି। ଏଥିସହ ସଂକ୍ରମଣରୁ ବର୍ତ୍ତିବାକୁ ମାସ୍କ ପରିଧାନ, ଭିଡ ଜାଗାକୁ ନ ଯିବାକୁ କୁହାଯାଉଛି। ବାରମ୍ବାର ଆଖି ନାକକୁ ନ ଛୁଇଁବା ମଧ୍ୟ ଆବଶ୍ୟକ। କୋଶ କୌଣସ ସଂକ୍ରମିତଙ୍କ ଦ୍ବାରା ଆପଣଙ୍କ ହାତରେ ଭୂତାଣୁ ଥାଇପାରେ। କାଶ ଓ ଛିଙ୍କ ସମୟରେ ମୁହଁକୁ ଘୋଡାଇବା ଦରକାର। ଜ୍ବର ବା ଶରୀର ପୀଡାରେ ପାରାସିଟାମଲ ନେବାକୁ କୁହାଯାଇଛି। ସେହିପରି ଲୋକଙ୍କ ସହ ହାତ ମିଳାଇବା, ଆଲିଙ୍ଗନ କରିବାଠୁ ଦୂରେଇ ରହିବା ଦ୍ବାରା ମଧ୍ୟ ସଂକ୍ରମଣ ଏହାଯାଇ ପାରେ। ସାର୍ବଜନୀନ ସ୍ଥାନରେ ଛେପ ପକାଇବା ମଧ୍ୟ ଅନୁଚିତ।

  • ଏନ୩ଏନ୨ ବଢାଇଲାଣି ଚିନ୍ତା, ନେଲାଣି ୨ ଜୀବନ

    (ନୂଆଦିଲ୍ଲୀ): କରୋନା ଆତଙ୍କ ସମ୍ପୂର୍ଣ୍ଣ ନ ଯାଉଣୁ ଏବେ ଆଉ ଏକ ସଂକ୍ରମଣ ବଢାଇଲାଣି ଚିନ୍ତା । ଏଚ୩ଏନ୨ ଇନ୍‌ଫ୍ଲୁଏଞ୍ଜାରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ ମାମଲା ସାମନାକୁ ଆସିଛି। ସେହିପରି ଏଚ୧ଏନ୧ର ୮ ମାମଲା ରହିଛି ଦେଶରେ। ଯଦି ଏଥିପ୍ରତି ସଚେତନ ହୋଇ ସତର୍କତା ଅବଲମ୍ବନ କରା ନ ଯାଏ ତେବେ ଆଗାମୀ ଦିନରେ ବିଶ୍ବ ଆଉ ଏକ ମହାମାରୀର ସମ୍ମୁଖୀନ ଯେ ନ ହେବ ତାହାକୁ ଏଡାଇ ଦିଆଯାଇ ନ ପାରେ।

    ପୁଣି ବିଶ୍ବ ଆଗରେ ଭୂତାଣୁ ଭୟ। ମହାମାରୀ କରୋନା ସହ ଦୀର୍ଘ ତିନି ବର୍ଷର ଲଢେଇ ପରେ ବିଶ୍ବ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା ବେଳେ ଏବେ ଏଚ୩ଏନ୨ ଇନ୍‌ଫ୍ଲୁଏଞ୍ଜା ବଢାଇଲାଣି ଚିନ୍ତା। ସେପଟେ ଇନଫ୍ଲୁଏଞ୍ଜା-ଏର ସବ ଟାଇପ ଏଚ୩ଏନ୨ ଭୂତାଣୁ କବଳରୁ ବର୍ତ୍ତିନି ଭାରତ। ଏହି ଇନଫ୍ଲୁଏଞ୍ଜାରେ ଶୁକ୍ରବାର ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକର ହୋଇଥିବା ବେଳେ ଜଣେ ହରିଆଣାର । ରିପୋର୍ଟ ମୁତାବକ କର୍ଣ୍ଣାଟକର ହାସନ ଜିଲ୍ଲାରେ ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କ ଏହି ସଂକ୍ରମଣରେ ହୋଇଥିଲା ମୃତ୍ୟୁ। ପ୍ରଥମେ ସେ ଜ୍ବର, ଗଳା ସଂକ୍ରମଣ, ଦେହ ଦରଜ ପରି ସମସ୍ୟାର ସମ୍ମୁଖୀନ ହେବା ପରେ ତାଙ୍କୁ ଫେବୃଆରୀ ୨୪ରେ ହାସନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସରେ ଭର୍ତ୍ତି କରାଯାଇଥିଲା। କିନ୍ତୁ  ମାର୍ଚ୍ଚ ୧ ତାରିଖରେ ତାଙ୍କର ହୋଇଥିଲା ମୃତ୍ୟୁ। ସେ ଇନଫ୍ଲୁଏଞ୍ଜାରେ ସଂକ୍ରମିତ ଥିବା ମାର୍ଚ୍ଚ ୬ରେ ସ୍ପଷ୍ଟ ହୋଇଥିଲା। ଏହା ପରେ ବୃଦ୍ଧଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ଉପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରଖାଯାଇଛି ନଜର । ସେହିପରି ହରିଆଣାରେ ଜଣଙ୍କର ଏଚ୩ଏନ୨ ସଂକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲେ ମଧ୍ୟ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ନାହିଁ।

    ଭାରତରେ କୋଭିଡ୧୯ ପରେ ଏଡିନୋଭାଇରସ ଓ ଇନଫ୍ଲୁଏଞ୍ଜା ପରି ରୋଗ କାୟା ବିସ୍ତାର କରିବାରେ ଲାଗିଛି। ଏହି ଏଚ୩ଏନ୨ ଇନଫ୍ଲୁଏଞ୍ଜାରେ ଦେଶରେ ୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ସୂଚନା । ଏଥିସହ ଏହି ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ହେଉଥିବା ସତର୍କ କରିଦେଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏବେ ପ୍ରାୟତଃ ଘରେ ଘରେ ଥଣ୍ଡା, ଜ୍ବର, କାଶ, ଶ୍ବାସ କ୍ରିୟାରେ ସମସ୍ୟା ପରି ଏକ ବା ଏକାଧିକ ଲୋକଙ୍କଠାରେ ଦେଖିବାକୁ ମିଳୁଛି ଲକ୍ଷଣ। ଚଳିତ ବର୍ଷ ଆରମ୍ଭରୁ ଏପରି ସଂକ୍ରମଣ ମୁଖ୍ୟତଃ ଉତ୍ତର ଭାରତରେ ରେକର୍ଡ ହୋଇଛି। ଭାରତରେ ପ୍ରତି ଦୁଇ ଜଣରେ ଜଣେ ଏପରି ସମସ୍ୟା ଦେଖିବାକୁ ମିଳିଛି।  ପ୍ରଥମେ ଏହାକୁ ସାଧାରଣ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ବୋଲି ଲୋକେ ଭାବୁଥିବା ବେଳେ ଏବେ କିନ୍ତୁ ଏହାକୁ ନେଇ ବାଜିବାକୁ ଆରମ୍ଭ କଲାଣି ସତର୍କ ଘଣ୍ଟି । ଏହା କୌଣସି ଭାଇରାଲ ସଂକ୍ରମଣ ନୁହେଁ ବରଂ ଇନଫ୍ଲୁଏଞ୍ଜା ପ୍ରଭାବ ବୋଲି କୁହାଯାଉଛି। ମ୍ୟାକ୍ସ ହେଲ୍ଥକେୟାର ଗ୍ରୁପ ମେଡିକାଲ ନିର୍ଦ୍ଦେଶକ ଓ ବରିଷ୍ଠ ଡାକ୍ତର ସନ୍ଦୀପ ବୁଧିରାଜା କହିଛନ୍ତି କି, ଇନଫ୍ଲୁଏଞ୍ଜା ଭୂତାଣୁ ଷ୍ଟ୍ରେନର ଲକ୍ଷଣ ସାମାନ୍ୟ ଭିନ୍ନ।  ଏଥିରେ ଅନେକ ଲୋକଙ୍କ ଠାରେ ବହୁ ଦିନ ଧରି କାଶ ସମସ୍ୟା ଦେଖା ଦେଉଛି।  ସାଧାରଣତଃ ଉତ୍ତର ଭାରତରେ ଫେବୃଆରୀ ଓ ମାର୍ଚ୍ଚ ମାସରେ ଫ୍ଲୁ ପରି କୌଣସି ମାମଲା ଦେଖାଯାଉନଥିବା ବେଳେ ବର୍ତ୍ତମାନ ଏପରି ବହୁ ମାମଲା ଆସିବାରେ ଲାଗିଛି।

    ସେହିପରି ଆଉ ଏକ ଇନଫ୍ଲୁଏଞ୍ଜା ଏଚ୧ଏନ୧ ର ୮ ମାମଲା ମଧ୍ୟ ସାମ୍ନାକୁ ଆସିଛି। ମୋଟ ଇନଫ୍ଲୁଏଞ୍ଜା ତିନି ପ୍ରକାରର ହୋଇଥିବା ବେଳେ ଏଚ୧ଏନ୧, ଏଚ୩ଏନ୨ ଓ ଇନଫ୍ଲୁଏଞ୍ଜା-ବି। ଏହାକୁ ୟାମା ଗାଟା କୁହାଯାଉଛି। ତେବେ ଭାରତରେ ବର୍ତ୍ତମାନ ଦୁଇଟି ଇନଫ୍ଲୁଏଞ୍ଜା ଭାଇରସ ଏଚ୧ଏନ୧ ଓ ଏଚ୩ଏନ୨ ସଂକ୍ରମଣ ଦେଖିବାକୁ ମିଳିଛି। ଏଚ୩ଏନ୨ ଭୂତାଣୁ ଇନଫ୍ଲୁଏଞ୍ଜା- ଏର ସବଟାଇପ। ଏହି ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଡାକ୍ତରଖାନାରେ ୪୦ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି।  ଏହାକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ଆଡଭାଇଜରି ଜାରି କରିଛି। ଏହି ସଂକ୍ରମଣ ପରେ ସଂକ୍ରମିତଙ୍କୁ ପ୍ରବଳ ଜ୍ବର, ଜୋରରେ ସର୍ଦ୍ଦି, ଶରୀର ପୀଡା, ଗଳା ଦରଜ, ଜୋରରେ କାଶ, ନାଗ ଚୁଣ୍ଟିହେବା, ଫୁସଫୁସ ଜାମ ହୋଇଯିବା ପରି ସମସ୍ୟା ଦେଖାଯାଉଥିବା କୁହାଯାଇଛି। ଏହି ସବୁ ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ସଂକ୍ରମିତଙ୍କୁ ବିଶ୍ରାମ କରିବା ସହ ପର୍ଯ୍ୟାପ୍ତ ପାଣି ପିଇବାକୁ ଦିଆଯାଇଛି ପରାମର୍ଶ। ଏଥିସହ ସଂକ୍ରମଣରୁ ବର୍ତ୍ତିବାକୁ ବାହାର ଖାଦ୍ୟ ନ ଖାଇବା କୁହାଯାଇଛି।

    ମହାମାରୀ କରୋନା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିବା ସହ ବିଭିନ୍ନ ଅରଗାନକୁ ଦୁର୍ବଳ କରି ଦେଇଥିବା ବେଳେ ବର୍ତ୍ତମାନ ଇନଫ୍ଲୁଏଞ୍ଜା ସଂକ୍ରମଣ ସତର୍କ ଘଣ୍ଟି ବଢାଇଛି। ଏହା ଆଗକୁ ଆଉ ଏକ ମହାମାରୀର ରୂପ ଯେ ନ ନେବ ତାହାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ଏହି ଇନଫ୍ଲୁଏଞ୍ଜା ସମ୍ପର୍କରେ ଅଧିକ ସଚେତନ ହେବା ସହ ଏହାର ପ୍ରତିକାର ସମ୍ପର୍କ ଅବଗତ ହୋଇ ସତର୍କତାମୂଳକ ପଦକ୍ଷେପ ନେବାର ଆବଶ୍ୟକତା ଜରୁରୀ ହୋଇ ପଡିଛି।

Back to top button