କୋର୍ଟଜାତୀୟ

ରାଜନୈତିକ ବିବାଦରେ ସିଜେଆଇ

(ଆଙ୍କର) ଗୋଟିଏ ପଟେ ନ୍ୟାୟପାଳିକା ଓ ସରକାର ମୁହାଁମୁହିଁ, ଅନ୍ୟପଟେ ସିଜେଆଇଙ୍କୁ କରାଯାଉଛି  ଟ୍ରୋଲ। ଏହାକୁ ବିରୋଧ କରି ରାଷ୍ଟ୍ରପତିଙ୍କୁ ଟାଣିଛି ବିରୋଧୀ। ଏହା ଭାରତୀୟ ନ୍ୟାୟପାଳିକା ଓ ସିଜେଆଇଙ୍କ ଉପରେ ଆକ୍ରମଣ ଅଭିଯୋଗ କରାଯିବା ସହ ଟ୍ରୋଲ ଆର୍ମି ବିଜେପିର ବୋଲି ଅଭିଯୋଗ କରି ବିରୋଧୀ ରାଷ୍ଟ୍ରପତିଙ୍କ ପଦକ୍ଷେପ କାମନା କରୁଛନ୍ତି। ସେପଟେ ରିଜିଜୁଙ୍କ ଆଣ୍ଟି ଇଣ୍ଡିଆ ଗ୍ୟାଙ୍ଗ ଉପରେ ବୟାନକୁ ସମାଲୋଚନା କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।

ବିପଦରେ ନ୍ୟାୟପାଳିକା, ସଂକଟରେ ସିଜେଆଇ। ଟ୍ରୋଲ ଆର୍ମି ଲଗାଇ ମହାରାଷ୍ଟ୍ର ସରକାର ଚଳାଇଛି ସିଜେଆଇଙ୍କ ବିରୋଧରେ କ୍ୟାମ୍ପେନ। ସିଜେଆଇଙ୍କୁ କରାଯାଉଛି ବଦନାମ। ଏମିତି ଅଭିଯୋଗ ଆଣି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ କାମନା କରିବା ସହ ଟ୍ରୋଲକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ଦଳ ନେତା। ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ପତ୍ରରେ କଂଗ୍ରେସ ସାଂସଦ ବିବେକ ତନ୍ଖା ଚିଠି ଲେଖିଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତା ଦିଗ ବିଜୟ ସିଂହ, ଶକ୍ତି ସିଂହ ଗୋହିଲ, ପ୍ରମୋଦ ତିୱାରୀ, ଅମି ଯାଗ୍ନିକ, ରଞ୍ଜିତ ରଞ୍ଜନ, ଇମରାନ ପ୍ରତାପଗଢି, ଆମଆଦମୀ ପାର୍ଟିର ରାଘବ ଚଢା, ଶିବସେନା ଉଦ୍ଧବ ଗୋଷ୍ଠୀର ପ୍ରିୟଙ୍କା ଚତୁର୍ବେଦୀ ଓ ସପା ସଦସ୍ୟ ଜୟା ବଚନ ଓ ରାମ ଗୋପାଳ ଯାଦବ। ଏହାର କପି ଆଇନ ମନ୍ତ୍ରୀ, ଆଇଟି ମନ୍ତ୍ରୀ, ଦିଲ୍ଲୀ ପୁଲିସ କମିଶନରଙ୍କୁ ମଧ୍ୟ ପଠାଯାଇଛି।  ଏଥିରେ ଉଲ୍ଲେଖ ଅଛି କି, ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ ନିକଟରେ ମହାରାଷ୍ଟ୍ରରେ ସରକାର ଗଠନ ଓ ପୂର୍ବତନ ରାଜ୍ୟପାଳଙ୍କ ଭୂମିକା ମାମଲାରେ ଶୁଣାଣି କରିଥିଲେ।

ଏଥିରେ ସେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ଭୂମିକା ଉପରେ ସୃଷ୍ଟି କରିଥିଲେ ପ୍ରଶ୍ନବାଚୀ । ଏହା ଏକ ମହତ୍ବପୂର୍ଣ୍ଣ ସମ୍ବିଧାନିକ ମୁଦ୍ଦା।  କିନ୍ତୁ ଏହା ପରେ ସିଜେଆଇ ଓ ନ୍ୟାୟପାଳିକା ଉପରେ ଆରମ୍ଭ ହୋଇଛି ଆକ୍ରମଣ। ସୋସିଆଲ ମିଡିଆକୁ ଆୟୁଧ କରି ସିଜେଆଇଙ୍କୁ ରାଜ୍ୟ ସରକାର ଟାର୍ଗେଟ କରୁଥିବା ଚିଠିରେ ଉଲ୍ଲେଖ ଅଛି। ଆହୁରି ମଧ୍ୟ କୁହାଯାଇଛି କି, ଏପରି ଆଚରଣକୁ ଆମେ ନିନ୍ଦା କରୁଛୁ। ଏଥିସହ ଏପରି ଘୃଣିତ ଆଚରଣ କେବଳ ସତ୍ତାରୂଢ ବ୍ୟବସ୍ଥାର ସମର୍ଥନରେ ହିଁ ସମ୍ଭବ ବୋଲି ଦୃଢତାର ସହ ଉଲ୍ଲେଖ କରାଯାଇଛି। ଭାରତୀୟ ନ୍ୟାୟପାଳିକର ରକ୍ଷା ପାଇଁ  ମହାମହିମ ଓ ଭାରତର ସମ୍ବିଧାନ କର୍ତ୍ତବ୍ୟବଦ୍ଧ ବୋଲି କୁହାଯାଇଛି। ସେହିପରି କେନ୍ଦ୍ରର ଆଟର୍ନି ଜେନେରାଲଙ୍କୁ ମଧ୍ୟ ଚିଠି କରାଯାଇଛି। ସେ ଦେଶର ସର୍ବୋଚ୍ଚ ନ୍ୟାୟିକ ଅଧିକାରୀ ହୋଇଥିବାରୁ ତାଙ୍କୁ ଦେଶର ସର୍ବୋଚ୍ଚ କୋର୍ଟର ମୁଖ୍ୟ ବିଚାରପତିଙ୍କ ଉପରେ ହେଉଥିବା ଆକ୍ରମଣରେ ସରକାରକୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ତେବେସମ୍ପୂର୍ଣ୍ଣ ଘଟଣା ଏହିପରି ଥିଲା।  ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ମହାରାଷ୍ଟ୍ରରେ ସରକାର ଗଠନ ଓ ପୂର୍ବତନ ରାଜ୍ୟପାଳଙ୍କ ଭୂମିକା ଉପରେ ଦାୟର ଯାଚିକାର  ଚୂଡାନ୍ତ ଶୁଣାଣି କାଳରେ ତତ୍କାଳୀନ ରାଜ୍ୟପାଳ ଭାଗତ ସିଂହ କୋଶ୍ୟାରୀଙ୍କ ଭୂମିକା ଉପରେ ସନ୍ଦେହ ପ୍ରକଟ କରିଥିଲେ। କୋଶ୍ୟାରୀ ଉଦ୍ଧବ ସରକାର ଭାଙ୍ଗିବା ସମୟରେ ପକ୍ଷପାତିତା କରିଥିବା କହିଥିଲେ ଖଣ୍ଡପୀଠ।

ଶିବସେନାର ଏହା ଏକ ଆଭ୍ୟନ୍ତରିଣ ଆଦର୍ଶଗତ ବିବାଦ, ଏଥିରେ ରାଜ୍ୟପାଳଙ୍କୁ ହସ୍ତକ୍ଷେପ କରିବାର ନ ଥିଲା। ସେହିପରି ଖଣ୍ଡପୀଠ ଆହୁରି କହିଥିଲେ କି, ଶିବସେନାର ୩୯ ବିଧାୟକ ବିଦ୍ରୋହ କରିବା ପରେ ରାଜ୍ୟପାଳଙ୍କ ଦ୍ବାରା ବିଶ୍ବାସ ମତ ପାଇଁ ଆହ୍ବାନ ନିଷ୍ପତ୍ତି ତରବରିଆ ଥିଲା। ରାଜ୍ୟପାଳଙ୍କୁ ଜାଣିବା ଉଚିତ ଥିଲା କି, ଠାକରେଙ୍କୁ ବିଶ୍ବାସ ମତ ପାଇଁ କହିବା ଦ୍ବାରା ସରକାର ଭାଙ୍ଗି ଯିବ। ତେବେ ସିଜେଆଇ ଯାହା କହିଥିଲେ ତାହା ଏକନାଥ ସରକାରକୁ ଖଟିଥିଲା।

ଅନ୍ୟପଟେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ସପକ୍ଷରେ ବାହାରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀର ସଞ୍ଜୟ ରାଉତ।  ପୂର୍ବତନ ବିଚାରପତିଙ୍କୁ ଆଣ୍ଟି ଇଣ୍ଡଆ ଗ୍ୟାଙ୍ଗର ସଦସ୍ୟ କହିଥିବାରୁ ଏହାକୁ ନେଇ ବର୍ଷିଛନ୍ତି ସଞ୍ଜୟ। ଏ କିପରି ଗଣତନ୍ତ୍ର ବୋଲି ପ୍ରଶ୍ନ କରିଛନ୍ତି ସଂଜୟ। ଜଣେ ଆଇନ ମନ୍ତ୍ରୀଙ୍କୁ ନ୍ୟାୟପାଳିକା ଉପରେ ଆକ୍ରମଣ କରିବା ଠିକ କି? ସରକାର ନିକଟରେ ମୁଣ୍ଡ ନୁଆଁଇବାକୁ ମନା କରିଥିବା ବିଚାରପତିଙ୍କୁ ଧମକ ଦିଆଯାଉଛି ଓ ଚାପ ପକାଯାଉଛି ବୋଲି କହିଛନ୍ତି ରାଉତ। ରାଉତ କହିଛନ୍ତି, ସରକାରକୁ ସମାଲୋଚନା କରିବା ଅର୍ଥ ନୁହେଁ ଦେଶ ବିରୋଧୀ।    

ସମ୍ପ୍ରତି ଦେଶର ସ୍ଥିତିକୁ ନେଇ ଗଣମାଧ୍ୟମ, କେନ୍ଦ୍ରୀୟ ତଦନ୍ତକାରୀ କଳକୁ କେନ୍ଦ୍ର ନିଜ ଅକ୍ତିଆରକୁ ନେଇଥିବା ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଏବେ ସିଜେଆଇଙ୍କୁ ଟ୍ରୋଲ ଓ ଆଇନମନ୍ତ୍ରୀଙ୍କ ବୟାନ ନ୍ୟାୟପାଳିକା ଉପରେ କେନ୍ଦ୍ରର ନ୍ୟାୟପାଳିକାର ସ୍ବାଧୀନତା ପ୍ରତି ଅସହିଷ୍ଣୁତା କାରଣରୁ ହେଉଛି ବୋଲି ଧରାଯିବ। ଆଉ ଆଗକୁ ବିରୋଧୀଙ୍କୁ ବୟାନ ବାଜି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଯେ ନ କରିବ, ଏହାକୁ ଏଡାଇ ଦିଆଯାଇ ନ ପାରେ।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button