ଯୁବ ଓକିଲଙ୍କୁ ପ୍ରଧାନ ବିଚାରପତିଙ୍କ ପରାମର୍ଶ

ନୂଆଦିଲ୍ଲୀ: ଆଇନ ସହାୟତା ଯୋଗାଣରେ ଅବହେଳା । ସେଥିଲାଗି ଯଥାସମ୍ଭବ ଲୋକଙ୍କୁ ଆଇନ ସହାୟତା ଦେବାକୁ ଯୁବ ଓକିଲଙ୍କୁ ଆହ୍ୱାନ ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ନାସନାଲ ଲ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଚିନ୍ତାପ୍ରକଟ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ।
ଦେଶରେ ଲୋକଙ୍କୁ ଉଚିତ୍ ସମୟରେ ଆଇନ ସହାୟତା ମିଳୁନି। ଆଇନ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ଏହି ସେବା ଦେବାକୁ କୁଣ୍ଠାବୋଧ କରୁଛନ୍ତି ଆଇନଜୀବୀ। ସେଥିଲାଗି ଏହି ସହାୟତା ସେବା କ୍ରମାଗତ ଅବହେଳା ହୋଇଚାଲିଛି। ଏଭଳି ଶବ୍ଦରେ ଆଇନ ସହାୟତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ। ନାସନାଲ ଲିଗାଲ ସର୍ଭିସ ଅଥୋରିଟି ବା ନାଲସାର ପୂର୍ବତନ ନିର୍ବାହୀ ଅଧ୍ୟକ୍ଷ ଭାବରେ ଜଷ୍ଟିସ ଲଳିତ ଏ କାମକୁ ତ୍ୱରାନ୍ୱିତ କରିବାକୁ ଯୁବ ଓକିଲଙ୍କୁ ଅପିଲ୍ କରିଛନ୍ତି। ଯୁବ ଲ ଗ୍ରାଜୁଏଟ୍ ଯଥାସମ୍ଭବ ସେମାନଙ୍କର ସମୟ ଓ ଶକ୍ତିକୁ ଆଇନ ସହାୟତା ଦେବାରେ ସମର୍ପିତ କରନ୍ତୁ ବୋଲି ଚାହିଁଛନ୍ତି ପ୍ରଧାନ ବିଚାରପତି।
ଗତ ଦେଢ଼ ବର୍ଷ ହେଲା ଆଇନ ସହାୟତା ସେବା ସହ ସେ ସଂପୃକ୍ତ ଅଛନ୍ତି। କିନ୍ତୁ ଦେଖିଲେ ଯେ, ଦେଶରେ ଏହି ସେବା ପୁରା ଅବହେଳିତ ଅବସ୍ଥାରେ ଅଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି। ନିଜର ଲିଗାଲ ପ୍ରଫେସନକୁ ପ୍ୟାସନ ଭାବେ ଗ୍ରହଣ କରନ୍ତୁ। କିନ୍ତୁ ତା ସହ ସମାନ୍ତରାଳ ଭାବେ ଭଲ ମଣିଷ ଓ ଦେଶ ପାଇଁ ଉପଯୋଗୀ ମଣିଷ ଭାବେ ବି ବିବେଚିତ ହେବାକୁ ପ୍ରୟାସ କରନ୍ତୁ ବୋଲି କହିଛନ୍ତି ଜଷ୍ଟିସ୍ ଲଳିତ।
ଦୁର୍ବଳ ବର୍ଗଙ୍କୁ ମାଗଣାରେ ଆଇନ ସହାୟତା ଦେବା, ଆଇନ ସଚେତନତା ସୃଷ୍ଟି, ଲୋକ ଅଦାଲତ ଜରିଆରେ ସମାଧାନ କରିବା, ଆପୋଷ ଆଲୋଚନା ଜରିଆରେ ସମସ୍ୟା ଦୂର କରିବା, ପୀଡିତଙ୍କୁ କ୍ଷତିପୂରଣ ଆଦି ଦେବା ଉଦ୍ଦେଶ୍ୟରେ ୧୯୯୫ରେ ନାଲସା ଗଠନ ହୋଇଥିଲା। ତ୍ୱରିତ ବିଚାର ଲାଗି ନାଲସାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତୀତରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମାଗଣା ଆଇନ ସହାୟତା ବାବଦରେ ଅନେକ ଜାଣିନଥିବା ସହ ଏଥିଲାଗି ଆଇନଜୀବିଙ୍କ ଅନାଗ୍ରହ ବିଚାରାଧୀନ ବନ୍ଦୀଙ୍କ ବିଚାରରେ ପ୍ରତିବନ୍ଧକ ସାଜିଛି।
ପ୍ରଦୀପ ନାୟକଙ୍କ ରିପୋର୍ଟ