ସୁରତ: ୨୦୧୯ରେ ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ଟପ୍ପଣୀ ଉପରେ ୨ ବର୍ଷର ଦଣ୍ଡାଦେଶ ସହ ଜାମିନ ଦେଇଛନ୍ତି ସୁରତର ଜିଲ୍ଲା କୋର୍ଟ। ଆଜି କୋର୍ଟ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର କାରାଦଣ୍ଡ ଶୁଣାଣି କରିଥିଲେ। ପରେ ଏହି ମାମଲାରେ ତାଙ୍କୁ ଉଚ୍ଚ ନ୍ୟାୟାଳୟକୁ ଯିବାର ବାଟ ଦେଇ ଦେଇଛନ୍ତି ଜାମିନ।
୨୦୧୯ ମାନହାନୀ ମକଦମାରେ ଦୋଷୀ ସାବ୍ୟସ୍ତ ରାହୁଲ ହୋଇଥିଲେ ମଧ୍ୟ କୋର୍ଟ ରାହୁଲଙ୍କୁ ଜାମିନ ଦେଇ କରିଛନ୍ତି ଆଶ୍ବସ୍ତ। ସେତେବେଳେ ସେ କହିଥିଲେ କି, କାହିଁକି ସମସ୍ତ ଚୋରଙ୍କ ଉପନାମ ବା ସରନେମ ମୋଦି? ଏହାକୁ ନେଇ ସୁରତରେ ବିଜେପି ପକ୍ଷରୁ ବିଜେପି ବିଧାୟକ ତଥା ଗୁଜୁରାଟର ପୂର୍ବତନ ମନ୍ତ୍ରୀ ପୁରନେଶ ମୋଦିଙ୍କ ଦ୍ବାରା ଦାୟର ମାମଲାରେ ଗୁରୁବାର ଦିନ ସୁରତ ଜିଲ୍ଲା କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ କୋର୍ଟ ରାହହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ। କିନ୍ତୁ କୋର୍ଟଙ୍କୁ ରାହୁଲ ଅବଗତ କରିଥିଲେ କି, ତାଙ୍କର ନଥିଲା ମନ୍ଦ ଉଦ୍ଦେଶ୍ୟ । ସେ ଆହୁରି କହିଥିଲେ କି, ସେ ଯାହା କିଛି କହିଥିଲେ ତାହା ଜଣେ ରାଜନେତା ରୂପେ ଥିଲା। ସେ ସର୍ବଦା ଦେଶରେ ଚାଲିଥିବା ଭ୍ରଷ୍ଟାଚାର ମୁଦ୍ଦାକୁ ଉଠାଇଥାନ୍ତି ଓ ତାଙ୍କ ବୟାନରେ କାହାରି କିଛି କ୍ଷତି ହୋଇନଥିବା ସେ କୋର୍ଟଙ୍କୁ କରିଥିଲେ ଅବଗତ। ଏଥିସହ କୋର୍ଟରେ ଜାମିନ ଯାଚିକା ଦାୟର କରାଯାଇଥିଲା ରାହୁଲଙ୍କ ପକ୍ଷରୁ। ଯାହା ଉପରେ କୋର୍ଟ ରାହୁଲଙ୍କୁ ୩୦ ଦିନର ଜାମିନ ପ୍ରଦାନ କରିଛନ୍ତି। ଏହି ସମୟ ଅବଧି ମଧ୍ୟରେ ରାହୁଲଙ୍କୁ ଉଚ୍ଚ ନ୍ୟାୟାଳୟକୁ ଯିବାକୁ ଦେଇଛନ୍ତି ସୁଯୋଗ। ଏହି ସମୟ ମଧ୍ୟରେ ସେ ସ୍ଥାୟୀ ଜାମିନ ପାଇଁ ଆବେଦନ କରିପାରନ୍ତି। ଏହାକୁ ନେଇ ରାହୁଲଙ୍କ ଓକିଲ କହିଛନ୍ତି କି, ଦୁଇ ବର୍ଷରେ ଦଣ୍ଡ ଶୁଣାଯାଇଛି, ଏଥିସହ କୋର୍ଟ ତାଙ୍କୁ ୩୦ ଦିନର ଜାମିନ ପ୍ରଦାନ କରିଛନ୍ତି। ସେ ଏହି ନିଷ୍ପତ୍ତି ବିରୋଧରେ କୋର୍ଟରେ ଯାଇପାରନ୍ତି। ତେବେ ମାମଲାର ଶୁଣାଣି କାଳରେ ରାହୁଲଙ୍କ ଓକିଲ କୋର୍ଟଙ୍କୁ ରାହୁଲଙ୍କ ବୟାନରେ କାହାରି କିଛି କ୍ଷତି ହୋଇନଥିବା କହିବା ସହ ସର୍ବନିମ୍ନ ଦଣ୍ଡବିଧାନ ପାଇଁ କରିଥିଲେ ଆବେଦନ। ସେପଟେ କିନ୍ତୁ ଅଭିଯୋଗକାରୀ ପୁରନେଶ ମୋଦିଙ୍କ ଓକିଲକେତନ ରେଶମୱାଲା ଦଣ୍ଡବିଧାନ ପରେ କହିଛନ୍ତି କି, ଆଇପିସିର ଧାରା ୪୯୯ ଓ ୫୦୦ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କିନ୍ତୁ ଅଧିକରୁ ଅଧିକ ସଜା ଓ ଜରିମାନା ଦେବାକୁ କରିଥିଲେ ଦାବି। ସେପଟେ ପୁରନେଶ ମୋଦି କହିଛନ୍ତି କି, କୋର୍ଟଙ୍କ ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ। ଏହା ଏକ ସାମାଜିକ ଆନ୍ଦୋଳନ ଥିଲା। କୌଣସି ସମାଜ ବିରୋଧରେ ଏପରି ବୟାନ ଦିଆଯିବା ଅନୁଚିତ।
ତେବେ ରାହୁଲଙ୍କ ବୟାନରେ କାହାର କିଛି କ୍ଷତି ନ ହେବା ଉପରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଗଣମାଧ୍ୟମକୁ କହିଛନ୍ତି କି, ରାହୁଲ ଯାହା କୁହନ୍ତି ସେଥିରେ ଖାଲି କ୍ଷତି ହୋଇଥାଏ। ଏଥିରେ କଂଗ୍ରେସକୁ ତ କ୍ଷତି ହୁଏ, ଦେଶକୁ ମଧ୍ୟ ବହୁଳ ଅସୁବିଧା ହୋଇଥାଏ। ରିଜିଜୁ ଆହୁରି କହିଛନ୍ତି କି, କଂଗ୍ରେସର କିଛି ସଦସ୍ୟ ତାଙ୍କୁ କହିଛନ୍ତି କି, ରାହୁଲ ଗାନ୍ଧୀଙ୍କ ବ୍ୟବହାର ଏମିତି, ଯାହା ସବୁ କିଛିକୁ ଖରାପ କରିଦିଏ। ଏହା ଦ୍ବାରା ନା କେବଳ ଦଳର କ୍ଷତି ହେଉଛି, ବରଂ ସମସ୍ତେ ଏଥିରେ କ୍ଷତିଗ୍ରସ୍ତ ହେଉଛନ୍ତି।
ତେବେ ରାହୁଲଙ୍କ ବିରୋଧରେ ହୋଇଥିବା ମାମଲା ଏମିତି ଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାରେ ଆୟୋଜିତ ରାଲିରେ ରାହୁଲ ନିଜ ଭାଷଣରେ କହିଥିଲେ କି, ଚୋରମାନଙ୍କ ସରନେମ ମୋଦି। କାହିଁକି ଚୋରମାନଙ୍କ ସରନେମ ମୋଦି ହୋଇଥାଏ? ସେ ଲଲିତ ମୋଦି ହୋଇଥାଉ କି ନିରଦ ମୋଦି ବା ନରେନ୍ଦ୍ର ମୋଦି। ଯାହାକୁ ବିରୋଧ କରିଥିଲା ବିଜେପି। ଏହାକୁ ନେଇ ରାହୁଲଙ୍କ ବିରୋଧରେ ଏକାଧିକ ମାମଲା ଦାୟର ହୋଇଥିଲା। ସେମଧ୍ୟରୁ ସୁରତରେ ହୋଇଥିବା ଶୁଣାଣି ଅନ୍ୟତମ।
ଶିଳାସ୍ମିତା ରାୟଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now