ସିସୋଦିଆଙ୍କୁ ୭ ଦିନ ରିମାଣ୍ଡରେ ନେବ ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ସିବିଆଇ ଦ୍ବାରା ଗିରଫ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରାଉଜ ଏଭେନ୍ୟୁ କୋର୍ଟରେ ସିସୋଦିଆଙ୍କୁ ୧୦ ଦିନ ଦିନିଆ ରିମାଣ୍ଡ ପାଇଁ ଇଡିର ଅପିଲ ଉପରେ ଶୁଣାଣି କରି ୭ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି କୋର୍ଟ। ସେପଟେ ଜାମିନ ଆବେଦନ ଉପରେ ଆଜି ମିଳିଲାନି ଆଶ୍ବସ୍ତି। ୨୧ ତାରିଖ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ କୋର୍ଟ।
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଦିନ ରିମାଣ୍ଡରେ ନେବ ଇଡି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଇଡି ଶୁକ୍ରବାର ଦିନ ସିସୋଦିଆଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ କରିଥିଲା ଅପିଲ। ଦିଲ୍ଲୀ ଅବକାରୀ ଘୋଟାଲାକୁ ନେଇ ସିବିଆଇ ଗିରଫ କରିଥିଲା। ତେବେ କୋର୍ଟରେ ଇଡି ପକ୍ଷରୁ କୁହାଯାଇଥିଲା କି, ମଦ ନୀତିକୁ ନେଇ ନିଆଯାଇଥିବା ନିଷ୍ପତ୍ତି ଗ୍ରୁପ ଅଫ ମିନିଷ୍ଟରଙ୍କର ଥିବା କୁହାଯାଇଥିବା ବେଳେ କିନ୍ତୁ ଏସମ୍ପର୍କରେ କେବଳ ଜଣେ ବ୍ୟକ୍ତି ଅବଗତ ଥିଲେ। ଇଡି କୋର୍ଟରେ ନିଜ ଦଲିଲ ଉପସ୍ଥାପନ ପୂର୍ବକ ସିଣ୍ଡିକେଟର ବିଜୟ ନାୟର ନେତୃତ୍ବ ନେଇଥିଲେ। ବିଜୟ ନାୟରଙ୍କ ସହ କବିତାଙ୍କର ସାକ୍ଷାତ ହୋଇଥିଲା ଓ ଏଥିସମ୍ବନ୍ଧରେ ଇଡି କବିତା ଓ ବିଜୟଙ୍କ ୱାଟ୍ସଆପ ଚାଟର ସ୍କ୍ରିନସଟ ଉପସ୍ଥାପନ କରିଥିଲା କୋର୍ଟରେ। କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ ପକ୍ଷରୁ ଆଡଭୋକେଟ ଜୋହେବ ହୁସୈନ ଉପସ୍ଥିତ ଥିଲେ। ସେପଟେ ମନିଷ ସିସୋଦିଆଙ୍କ ଓକିଲ ଦୟାନ କୃଷ୍ଣନ କହିଥିଲେ କି, ଅବକାରୀ ନୀତିକୁ ଅନୈତିକ କୁହାଯାଉଛି। କିନ୍ତୁ ଏହା ଏକ ନିର୍ବାଚିତ ସରକାରୀ କଳର କାର୍ଯ୍ୟଥିଲା। ଏହା ସରକାର, ଅଧିକାରୀ, ଫାଇନାନ୍ସ ଓ ଲ ସେକ୍ରେଟାରୀ ହୋଇ ଉପରାଜ୍ୟପାଳଙ୍କ ନିକଟକୁ ଯାଇଥିଲା। ଏଲଜି ଅର୍ଥାତ୍ କେନ୍ଦ୍ର ସରକାର। ଏଲଜି ଏସମ୍ପର୍କରେ ତିନିଟି କଥା କହିଥିଲେ କିନ୍ତୁ ପ୍ରଫିଟ ମାର୍ଜିନ ବା ଏଲିଜିବିଲିଟି ସମ୍ବନ୍ଧିତ କିଛି କହି ନ ଥିଲେ।
ସେହିପରି ସିସୋଦିଆଙ୍କ ଦ୍ବିତୀୟ ଓକିଲ କହିଥିଲେ କି, ସମ୍ପ୍ରତି ଏହା ଫେସନ ହୋଇଗଲାଣି କି, ଯାଞ୍ଚ ଏଜେନ୍ସ ନିଜ ଅଧିକାର ଭାବି ଲୋକଙ୍କୁ ଗିରଫ କରୁଛି। ତେଣୁ ଏପରି ମାମଲାରେ କୋର୍ଟଙ୍କୁ କଠୋରତା ଆପଣାଇବା ଆବଶ୍ୟକ।
ଦିଲ୍ଲୀ ଅପକାରୀ ନୀତି ମାମଲାରେ ଗତ ଫେବୃଆରୀ ୨୬ରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା। ସିବିଆଇ ୭ ଦିନ ପଚରା ଉଚରା କରିବା ପରେ ତାଙ୍କୁ କୋର୍ଟରେ ଉପସ୍ଥିତ କରାଇଥିଲା ଓ କୋର୍ଟ ସିସୋଦିଆଙ୍କୁ ୨୦ ମାର୍ଚ୍ଚ ଯାଏ ତିହାଡ ଜେଲକୁ ପଠାଇଦେଇଥିଲେ। ସେପଟେ ଜାମିନ ପାଇଁ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେଜରିୱାଲା ସରକାର ଦ୍ବାରା ଦିଲ୍ଲୀରେ ଅଣାଯାଇଥିବା ମଦ ନୀତିରେ ବ୍ୟବସାୟୀଙ୍କୁ ଲାଭ ଯୋଗାଇ ଦେବାକୁ ସ୍ବତନ୍ତ୍ର ନୀତି ଆପଣା ଯାଇଥିବା ଅଭିଯୋଗ କରି ସିସୋଦିଆଙ୍କୁ ଗିରଫ କରାଯାଇଛି। ସେପଟେ ଗିରଫଦାରୀ ପରେ ସିସୋଦିଆ ନିଜ ପଦରୁ ଦେଇଛନ୍ତି ଇସ୍ତଫା।