ଜାତୀୟଦୁର୍ଘଟଣା

ରାମ ନବମୀରେ ଘଟିଲା ଅଘଟଣ

ଇନ୍ଦୋର: ରାମ ନବମୀରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ବେଳେ ଭୁଶୁଡିଲା କୁଅର ଛାତ । ଫଳରେ ସେହି ଛାତ ଉପରେ ଥିବା ବହୁ ଶ୍ରଦ୍ଧାଳୁ କୁଅ ଭିତରେ ପଡିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଇନ୍ଦୋର ପଟେଲ ନଗରରେ । ଏଠାରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିରର ଛାତ ଭୁଷୁଡି ପଡିବାରୁ ଶ୍ରଦ୍ଧାଳୁ ମାନେ କୁଅରେ ପଡିଯାଇଥିବା ସୂଚନା ରହିଛି।

ସୂଚନା ଅନୁସାରେ ଏଠାରେ ଥିବା ଏକ ବଡ କୁଅ ଉପରେ ନିର୍ମିତ ଛାତ ଉପରେ ଚଢି ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଦର୍ଶନ କରୁଥିଲେ । କିନ୍ତୁ ଶ୍ରଦ୍ଧାଳୁଙ୍କ ଅତ୍ୟଧିକ ଭାର ସମ୍ଭାଳିନପାରି ଛାତଟି ଭୁଶୁଡି ପଡିଥିଲା ଯେଉଁଥିରେ 25 ଜଣ ଭକ୍ତ ଏକାସାଙ୍ଗରେ କୁଅରେ ଗଳିପଡିଥିଲେ । ତେବେ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ଏବଂ ଅନ୍ୟ ଭକ୍ତ ମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ବ୍ୟକ୍ତିମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଘଟଣା ସମ୍ପର୍କରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସୂଚନା ଦେଇଛନ୍ତି କି, ୧୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଅନ୍ୟପଟେ ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକବ୍ୟକ୍ତ କରିଛନ୍ତି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପିଛା ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଆହତଙ୍କୁ ୫୦ହଜାର ଲେଖା ଘୋଷଣା କରିଛନ୍ତି।  ସଂପୂର୍ଣ୍ଣ ଘଟଣା ଉପରେ ନଜର ରଖିବାକୁ ଇନ୍ଦୋର ଜିଲ୍ଲାପାଳ ଓ କମିଶନରକୁ ପରାମର୍ଶ ଦେବା ସହ ଉଦ୍ଧାର କାର୍ଯ୍ୟ ଜୋର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନେକଙ୍କ ସ୍ଥିତି ଗମ୍ଭୀର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

Related Articles

Leave a Reply

Your email address will not be published.

Back to top button