ଅପରାଧଜାତୀୟ

କାହିଁକି ଓକିଲଙ୍କୁ ବଦଳାଇବାକୁ ଚାହୁଁଛନ୍ତି ପରିବାର ?

ପ୍ରୋସିକ୍ୟୁଟରକୁ ବଦଳାଅ। କାରଣ ଯେମିତି ବାଗରେ ମାମଲା ପରିଚାଳନା କରୁଛନ୍ତି, ତାହା ସମ୍ପୂର୍ଣ୍ଣ ସନ୍ଦେହଜନକ। ଭିଡ଼ ହିଂସାରେ ମୃତ୍ୟୁବରଣ କରିଥିବା ଆଦିବାସୀ ଯୁବକ ମଧୁର ପରିବାର ଲୋକେ ଏଭଳି ଅପିଲ୍ କରି କେରଳ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତେବେ ପୁରା ମାମଲା କଅଣ ଥିଲା। କାହିଁକି ସରକାରୀ ଓକିଲଙ୍କୁ ବଦଳାଇବାକୁ ଚାହୁଁଛନ୍ତି ପରିବାର। ଫେବୃଆରୀ ୨୦୧୮। ଗୋଟିଏ ଗ୍ରୋସୋରୀ ଦୋକାନରୁ ଚାଉଳ ଚୋରୀ ଅଭିଯୋଗରେ ଜଣେ ୨୬ ବର୍ଷୀୟ ଆଦିବାସୀ ଯୁବକ ଭିଡ଼ ହିଂସାର ଶୀକାର ହୋଇଥିଲା। ଲୋକେ ଆଦିବାସୀ ଯୁବକ ମଧୁକୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆଉ ସଂଘବଦ୍ଧ ଆକ୍ରମଣରେ ମଧୁର ମୃତ୍ୟୁ ହୋଇଯାଇଥିଲା। କେରଳର କାଡୁକୁମନ ହାମଲେଟ ଅନ୍ତର୍ଗତ ଆତାପଡ଼ି ଗାଁରେ ଏହି ଅଘଟଣ ଘଟିଥିଲା। ଏହା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରିଥିଲା।

କିନ୍ତୁ ମଧୁଙ୍କ ପରିବାର ପକ୍ଷରୁ ଲଢୁଥିବା ସରକାରୀ ଓକିଲଙ୍କ ମାମଲା ପରିଚାଳନାକୁ ନେଇ ସନ୍ଦେହ କରିଥିଲେ ପରିବାରବର୍ଗ। ମଧୁଙ୍କ ମାଆ କେରଳ ହାଇକୋର୍ଟରେ ଅପିଲ କରିଛନ୍ତି କି, ଯେ ପର୍ଯ୍ୟନ୍ତ ସ୍ପେଶିଆଲ ପବ୍ଲିକ୍ ପ୍ରସିକ୍ୟୁଟର ସି.ରାଜେନ୍ଦ୍ରନଙ୍କୁ ମାମଲାରୁ ହଟାଯାଇନି। ସେ ପର୍ଯ୍ୟନ୍ତ ଏହି ମାମଲାରେ ସମସ୍ତ ପ୍ରୋସିଡିଂକୁ ସ୍ଥଗିତ ରଖାଯାଉ। କାରଣ ଏହି ମାମଲାର ଟ୍ରାଏଲ୍ ମାନରକଡ଼ ସ୍ପେଶିଆଲ କୋର୍ଟରେ ଚାଲିଛି। ଅନୁସୂଚିତ ଜାତି ଓ ଜନଜାତି ପାଇଁ ଯେଉଁ ସ୍ପେଶିଆଲ କୋର୍ଟ ହୋଇଛି। ତେବେ ସ୍ପେଶିଆଲ ପବ୍ଲିକ ପ୍ରସିକ୍ୟୁଟରଙ୍କ ମାମଲା ପରିଚାଳନାକୁ ନେଇ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି ପରିବାର। କାରଣ ଟ୍ରାଏଲରେ ଦୁଇ ଜଣ ସାକ୍ଷୀ ସାକ୍ଷ୍ୟ ଦେବାକୁ ଅନାଗ୍ରହ ଦେଖି ତଥା ମାମଲାରେ କୌଣସି ସାକ୍ଷୀ ଦେବାକୁ ଚାହୁଁନାହାନ୍ତି ବୋଲି ସ୍ପେଶିଆଲ ପବ୍ଲିକ ପ୍ରସିକ୍ୟୁଟର ଅବଗତ କରାଇଥିଲେ। ଯଦି ସାକ୍ଷ୍ୟପ୍ରମାଣ ଦୃଢ ନ ହେବ, ତେବେ ଅଭିଯୁକ୍ତ ଅନାୟାସରେ ଖସିଯିବେ।

ସାକ୍ଷୀ ଯେଭଳି ସାକ୍ଷୀ ଦେବାକୁ ଆସିବେ, ସେ ଦିଗରେ କେବଳ ସ୍ପେଶିଆଲ ପବ୍ଲିକ ପ୍ରସିକ୍ୟୁଟର ନୁହେଁ। ତାଙ୍କ ସହ ଅତିରିକ୍ତ ସ୍ପେଶିଆଲ ପ୍ରସିକ୍ୟୁଟର ଏମ୍‌. ମେନନ ବି ଏତେ ଗୁରୁତ୍ୱ ଦେଇନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ସେଥିଲାଗି ଉଭୟଙ୍କୁ ମାମଲା ପରିଚାଳନାରୁ ହଟାଇବାକୁ ସ୍ପେଶିଆଲ କୋର୍ଟରେ ଗୁହାରି କରିଥିଲେ ପରିବାର। କିନ୍ତୁ ଏହି ଅନୁରୋଧକୁ ଖାରଜ କରିଦେଇଥିଲେ ସ୍ପେଶିଆଲ କୋର୍ଟ। ଏହା ପରେ ପରିବାର କେରଳ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପରିବାରର ଅଭିଯୋଗ ଥିଲା କି, ଏବେକାର ସ୍ପେଶିଆଲ ପବ୍ଲିକ ପ୍ରସିକ୍ୟୁଟର ଯେଭଳି ବାଗରେ ଟ୍ରାଏଲ କରୁଛନ୍ତି, ତାହା ଦକ୍ଷତାର ସହ ତୁଲାଉନାହାନ୍ତି। ଏପରିକି ସାକ୍ଷୀଙ୍କୁ ପଚରାଉଚୁରା କରି ସତ ବାହାର କରିବା ଦିଗରେ କୌଣସି ଇଛା ପ୍ରକାଶ କରୁନଥିବା ହୃଦବୋଧ ହେଉଛି। କେବଳ ଏତିକି ନୁହେଁ।

ତଦନ୍ତକାରୀ ଅଫିସର ବି ଜିଲ୍ଲା ଏସପିଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି କି, ଯେଭଳି ବାଗରେ ଟ୍ରାଏଲ ଚାଲିଛି, ତାହା ସନ୍ତୋଷଜନକ ନୁହେଁ। ପୁଲିସ୍‌ ୩ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିସାରିଛି। ଏହି ଘଟଣାରେ ୧୨୨ ଜଣ ସାକ୍ଷୀ ଅଛନ୍ତି। ସମସ୍ତ ୧୬ ଅଭିଯୁକ୍ତ ଏବେ ଜାମିନରେ ଅଛନ୍ତି। ଆଉ ମୃତକଙ୍କ ପରିବାରର ଅପିଲକ୍ରମେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମାରି ଜୋସେଫ ଏହି ମାମଲାକୁ ନେଇ ଆଜିଯାଏ ସମସ୍ତ ପ୍ରୋସିଡିଂକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି। ୧୦ ଦିନ ଭିତରେ ରାଜ୍ୟ ସରକାରଙ୍କୁ ଏ ନେଇ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button