
ପାଟନା: ବିହାରର ଛପରାରେ ବିଷାକ୍ତ ମଦ ପିଇ ମରିଥିବା ଲୋକଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏବେ ମଧ୍ୟ ବହୁ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଛି ଲୋକ ମଧ୍ୟ ଗୁପ୍ତରେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଉଛନ୍ତି। ଏହାକୁ ନେଇ ବିହାରରେ ରାଜନୀତି ତୀବ୍ର ହେବାରେ ଲାଗିଛି। ବିଜେପି ଓ ନୀତିଶ ସରକାର ପରସ୍ପରକୁ ଆକ୍ରମଣ ପ୍ରତି ଆକ୍ରମଣ କରିବାରେ ଲାଗିଛନ୍ତି।
ବିଷାକ୍ତ ମଦ ପିଇ ହୋଇଥିବା ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି, ବିଜେପି ସରକାରରୁ ବାହାରି ଯାଇଛି ତେଣୁ ଏତେ ଆକ୍ରାମକ ହେଉଛି। ସାରା ଦେଶରେ ବିଷାକ୍ତ ମଦରେ ଲୋକ ମରୁଛନ୍ତି। ବିହାରରେ ମଦ ନିଷେଦ୍ଧ ହେବା ପୂର୍ବରୁ ମଧ୍ୟ ଲୋକେ ମରିଛନ୍ତି ମଦ ପିଇ। ଯିଏ ମଦ ପିଇବ, ସେ ମରିବ।
ବିହାର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସବାଲ କହିଛନ୍ତି କି, ଯେତେ ପର୍ଯ୍ୟନ୍ତ ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବ, ସେପର୍ଯ୍ୟନ୍ତ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରିବ ନାହିଁ। ଏହା ପଛରେ ନୀତିଶ କୁମାରଙ୍କର ସ୍ବାର୍ଥ ନିହିତ ଥିବା କହିଛନ୍ତି ସଞ୍ଜୟ। ପୂର୍ବରୁ ମଧ୍ୟ ମଦ ପାଇଁ ଲୋକଙ୍କ ମୃତ୍ୟୁ ହୋଇଛି ଓ ଆତ୍ମରକ୍ଷା ପାଇଁ କେବଳ ଛୋଟ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଆସିଛି। ନୀତିଶଙ୍କ ମାନସିକ ସନ୍ତୁଳନ ବିଗିଡି ଯାଇଛି। ଯଦି ସେ ଦିଲ୍ଲୀ ଆସିବେ ଆମେ ତାଙ୍କ ଚିକିତ୍ସା କରିଇପାରିବୁ ବୋଲି କେହିଛନ୍ତି ବିହାର ବିଜେପି ଅଧ୍ୟକ୍ଷ।
ସେପଟେ ଜେଡିୟୁ ଓ ବିଜେପିର ପରସ୍ପରକୁ କାଦୁଅ ଫୋପଡା ଫୋପଡି ଭିତରେ ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ କହିଛନ୍ତି କି, ସତ୍ତାରୁ ବିଦା ହେବା ପରେ ବିଜେପି ବିଚଳିତ ହୋଇ ପଡିଛି। ମଦକୁ ନେଇ ଜାତୀୟସ୍ତରରେ ଏକ ନୀତି ହେବା ଆବଶ୍ୟକ। ଗୁଜୁରାଟରେ ମଦ ନିଷିଦ୍ଧ ହୋଇଛି, କିନ୍ତୁ ସେଠାରେ ଏହାର ହୋମ ଡେଲିଭରୀ ହେଉଛି। ଚଳିତ ବର୍ଷ ଜୁଲାଇରେ ଗୁଜୁରାଟରେ ବିଷାକ୍ତ ମଦ ପିଇ ୫୭ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ଲୋକେ ପୁଲିସ ନିକଟରେ ଅବୈଧ ମଦ ବିକି୍ର ସମ୍ପର୍କରେ ଅଭିଯୋଗ କରିଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ଥିଲା।