ଛାରଖାର ଲସଏଞ୍ଜେଲ୍ସ

ନିଆଁର ଆଁରେ ଲସଏଞ୍ଜେଲ୍ସ ଜଙ୍ଗଲ। ଆମେରିକାର ଲସଏଞ୍ଜେଲ୍ସ ଉପକୂଳ ପାସିଫିକ୍ ପାଲିସାଡେସ୍ ଓ ପାସାଡୋନା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡରୁ ହଜାର ହଜାର ଏକର ଜଙ୍ଗଲ ଧ୍ୱଂସ ହୋଇଯାଇଛି। ଜୀବନ ବଞ୍ଚାଇବାକୁ ୧ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୫ଜଣଙ୍କ ମୃତ୍ୟୁ ହୋଇଛି। ଶୁଖିଲା ପବନ ବନାଗ୍ନିର ସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ନିଆଁ ଲିଭାଇବାକୁ ୧୪ଶହରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ଥିଲେ ସୁଦ୍ଧା ନିଆଁ ନିୟନ୍ତ୍ରଣ ହୋଇପାରିନି। ବନାଗ୍ନି ଲାଗି ଲସଏଞ୍ଜେଲ୍ସର ୨ଲକ୍ଷରୁ ଉର୍ଦ୍ଧ୍ୱ ଘର, ବ୍ୟବସାୟିକ ପ୍ରତିଷ୍ଠାନର ବିଜୁଳି ସଂଯୋଗ ବିଛିନ୍ନ ହୋଇଯାଇଛି। କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗଭିନ୍ ନ୍ୟୁସୋମ୍ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ହେଲିକେପ୍ଟର ଯୋଗେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି। ମେୟର କାରେନ୍ ବାସ୍ ତ ଏ ବିପତ୍ତିକୁ ମୁକାବିଲା ଦିଗରେ ବିଫଳତାକୁ ନେଇ ପ୍ରଶ୍ନରେ ମୁହଁ ଖୋଲିଲେନି।

ଜଙ୍ଗଲ ନିଆଁ ସହର ଆଡ଼କୁ ମାଡ଼ିଗଲାଣି। ହଜାରେରୁ ଅଧିକ ଘର ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଲସଏଞ୍ଜେଲ୍ସ ଓ ହଲିଉଡ୍ ହିଲ୍ସକୁ ବ୍ୟାପିଗଲାଣି ନିଆଁ। ଯୁଆଡ଼େ ଦେଖିଲେ ନିଆଁ ଓ ଧୂଆଁ। ଲୋକେ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ଅଭିନେତା ସ୍ଟିଭ୍ ଗୁଟେନବର୍ଗ ଭିଡ଼ିଓ ଜାରି କରି କହିଛନ୍ତି ଯେ, ଏହାଠୁ ଭୟଙ୍କର ଅଗ୍ନିକାଣ୍ଡ ସେ ତାଙ୍କ ଜୀବଦଶାରେ କେବେ ବି ଦେଖିନଥିଲେ। ଅନେକ ହଲିଉଡ୍ ଆକ୍ଚର ଯେମିତିକି ଜେମି ଲି କାର୍ଟସ, ମାର୍କ ହମିଲ, ମେଣ୍ଡି ମୁର୍, ଜେମ୍ସ ବୁଡୁସ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଲସ ଏଞ୍ଜେଲ୍ସରେ ରହୁ଼ଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଆଁରେ ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ରାସ୍ତାରେ ଗାଡ଼ି ଛାଡ଼ି ଲୋକେ ଜୀବନ ବିକଳରେ ଧାଇଁଥିଲେ। ଫଳରେ ରାସ୍ତା ଜାମ୍ ହୋଇଥିଲା। ବୁଲଡୋଜର ଜରିଆରେ ଗାଡ଼ି ହଟାଇ ରାସ୍ତା ସଫା ହୋଇଥିଲା। ପାଲିସେଡସରେ ୧୫ହଜାର ଏକର, ଇଟେନରେ ୧୦ହଜାର ଏକର ଓ ହର୍ଶଟରେ ୫ଶହ ଏକରରୁ ଅଧିକ ଅଞ୍ଚଳ ଛାରଖାର ହୋଇଯାଇଛି। ୧୩ ହଜାରରୁ ଅଧିକ ଘର ବିପଦରେ। ଜାନୁଆରୀ ୭ରୁ ଏହି ନିଆଁ ଆଗ ପାସିଫିକ୍ ପାଲିସାଡେସରେ ଲାଗିଥିଲା। ଖୁବ ଜୋରରେ ପବନ ଲାଗି ଧୀରେ ଧୀରେ ଏହା ବ୍ୟାପି ଇଟେନ ଓ ହର୍ଷଟ ଜଙ୍ଗଲକୁ ଧରିଥିଲା। ପ୍ରତି ଘଣ୍ଟା ୭୦ କିଲୋମିଟର ପବନର ବେଗ ନିଆଁର ଭୟାବହତାକୁ ପ୍ରଖର କରିଦେଇଛି। ଗମ୍ଭୀର ସ୍ଥିତି ଦେଖି ରାଷ୍ଟ୍ରପତି ଜୋ ବାଇଡେନ୍ ନିଜର ଇଟାଲୀ ଗସ୍ତ ବାତିଲ୍ କରିଦେଇଥିଲେ। ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିପତ୍ତି ଲାଗି ବାଇଡେନ୍ ଓ କାଲିଫର୍ଣ୍ଣିଆ ଗଭର୍ଣ୍ଣରଙ୍କ ଉପରେ ବର୍ଷିଛନ୍ତି। ବାଇଡେନ୍ ଓ ଗଭର୍ଣ୍ଣର ଗୈବିନ୍ ନ୍ୟୁସମ ଏଥିଲାଗି ଦାୟୀ। ଏମାନେ ଆମେରିକାକୁ ବଡ଼ ବିପତ୍ତିରେ ପକାଇଦେଇଛନ୍ତି। ଫାୟାର ହାଇଡ୍ରେଣ୍ଟସରେ ପାଣି ନାହିଁ। ଫେମା ପାଖରେ ପାଣ୍ଠି ନାହିଁ। ବାଇଡେନ୍ ଏମିତି ସ୍ଥିତିରେ ଆଣି ଛିଡ଼ା କରିଦେଇଛନ୍ତି। ସବୁଠି ହାହାକାର ସ୍ଥିତି।ରେସକ୍ୟୁ ଓ ରିହାବିଲିଟେସନ କାମ ତେଜ୍ ହୋଇଛି। ସ୍କୁଲ, ସାମୂହିକ କେନ୍ଦ୍ର ଓ ଅନ୍ୟ ସୁରକ୍ଷିତ ଜାଗାକୁ ଜରୁରୀକାଳୀନ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଇଛି।

ବେକାବୁ ହେଲାଣି ଜଙ୍ଗଲ ନିଆଁ। ମଣିଷ, ପଶୁ ସମସ୍ତେ ବିପଦରେ। ପ୍ରାରମ୍ଭିକ କ୍ଷୟକ୍ଷତିର ଆକଳନ ହେଲାଣି ପ୍ରାୟ ୫୭ ବିଲିୟନ ଡଲାର। ୧୧ ମାସ ପୂର୍ବେ ଲସଏଞ୍ଜେଲ୍ସ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ବିପତ୍ତିରେ ପଡ଼ିଥିଲା। ଆଉ ଏବେ ଭୟଙ୍କର ବନାଗ୍ନି ବିପତ୍ତି ହଜାର ହଜାର ଘରକୁ ଜାଳିପୋଡ଼ି ଧ୍ୱଂସ କରିଦେଲା। ଲକ୍ଷ ଲକ୍ଷ ଲୋକଙ୍କୁ ବାସହରା ସ୍ଥିତିରେ ଛିଡ଼ା କରିଦେଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *