ଆଲିଗଡ଼ର ପୁଲିସ ସବ୍‌-ଇନ୍ସପେକ୍ଟର ସଚିନ କୁମାରଙ୍କ ଆତ୍ମହତ୍ୟା ଉଦ୍ୟମ

ପୁଲିସ ସବ୍‌-ଇନ୍ସପେକ୍ଟର ସୁଇସାଇଡ୍ କରିବାକୁ ଉଦ୍ୟମ କଲେ। ରେଳ ଟ୍ରାକରେ ବସି ଉଦ୍ୟମ କଲା ବେଳେ ସହକର୍ମୀ ବହୁ ବୁଝାଇସୁଝାଇ ଏଥିରୁ କ୍ଷାନ୍ତ କଲେ। କିନ୍ତୁ ସୁଇସାଇଡ୍ ପଛରେ ଯେ ଜଣେ ବିଚାରପତି ଦାୟୀ, ଏ କଥାକୁ କହିଛନ୍ତି ପୁଲିସ ବାବୁ ଜଣକ। ସେ ତାଙ୍କ କର୍ତ୍ତବ୍ୟ ସଠିକ୍ ଭାବେ ତୁଲାଉଥିଲା ବେଳେ ଜାଣିଶୁଣି ବିଚାରପତି ତାଙ୍କୁ ୫ ଘଣ୍ଟା କାଳ କୋର୍ଟରେ ଛିଡ଼ା କରିଦେଲେ ଆଉ ନିର୍ଯ୍ୟାତନା ଦେବାର ଅଭିଯୋଗ ଆଣିଛନ୍ତି। ଏ ସଂକ୍ରାନ୍ତୀୟ ଭିଡ଼ିଓ ଭାଇରାଲ ପରେ ସବୁଠି ଏହାକୁ ନେଇ ଚର୍ଚ୍ଚା।

ଆଲିଗଡ଼ର ପୁଲିସ ସବ୍‌-ଇନ୍ସପେକ୍ଟର ସଚିନ କୁମାରଙ୍କ ଆତ୍ମହତ୍ୟା ଉଦ୍ୟମ। ରେଳ ଟ୍ରାକରେ ବସି ଜୀବନ ହାରିଦେବାକୁ କରିଥିଲେ ମନସ୍ଥ। କିନ୍ତୁ ସହକର୍ମୀ ତାଙ୍କୁ ବୁଝାଇସୁଝାଇ ଏଥିରୁ ନିବୃତ୍ତ କରିଥିଲେ। କାହିଁକି ଜୀବନ ପ୍ରତି ଏମିତି ବିତସ୍ପୃହ। ପଚାରିବାରୁ ଯାହା କହିଥିଲେ, ତାହାର ଭିଡ଼ିଓ ଏବେ ଭାଇରାଲ ହୋଇଛି। ସଂପୃକ୍ତ ସବ୍‌-ଇନ୍ସପେକ୍ଟର ଏଥିଲାଗି ଜଣେ ବିଚାରପତିଙ୍କୁ ଦାୟୀ କରିଛନ୍ତି। ଆଲିଗଡ଼ ବିଚାରପତି ତାଙ୍କୁ କୋର୍ଟରେ ଅଶୋଭନୀୟ ଆଚରଣ ଦେଖାଇଥିଲେ। ଏକ ବାଇକ ଚୋର ଗ୍ୟାଙ୍ଗକୁ ଧରିଥିଲେ ସଚିନ୍। ସେମାନଙ୍କୁ କୋର୍ଟରେ ହାଜର କରିଥିଲେ। କିନ୍ତୁ ବିଚାରପତି କହିଥିଲେ, ଭୁଲ୍ ଲୋକଙ୍କୁ ଧରି ଆଣିଛ। ୫ ଘଣ୍ଟା କାଳ କୋର୍ଟରେ ବସାଇ ଦିଆଗଲା। ପ୍ରତି ଦଶ ମିନିଟରେ ନିଜ ବିଶ୍ରାମକକ୍ଷକୁ ଡାକି ଦୁର୍ବ୍ୟବହାର କରାଯାଇଥିଲା। ନିଜ କର୍ତ୍ତବ୍ୟରେ କୌଣସି ଅବହେଳା କରିନଥିବା ସତ୍ତ୍ୱେ ତାଙ୍କୁ ବିଚାରପତି ଯେଭଳି ସର୍ବସମ୍ମୁଖରେ ଲଜ୍ଜିତ କଲେ, ତାହା ତାଙ୍କ ଆତ୍ମାକୁ ବାଧିଛି ବୋଲି କହିଛନ୍ତି ସଚିନ୍।

ଜିଲ୍ଲା ମଲଖାନ ସିଂ ହସ୍ପିଟାଲରେ ଚେକିଂ ବେଳେ ସୋମବାର ବାଇକ ଚୋରୀ କରୁଥିବା ୪ ଜଣଙ୍କୁ ପୁଲିସ ଧରିଥିଲା। ଅଭିଯୁକ୍ତମାନେ ହେଲେ ଅଦୀବ, ଫୈଜ, ଅରବାଜ, ଅମିର। ଏମାନଙ୍କ ପାଖରୁ ଗୋଟିଏ ଆକ୍ଟିଭା, ଦୁଇଟି ସ୍କୁଟି ବିନା ନମ୍ୱରର ଜବତ ହୋଇଥିଲା। ଏହା ବ୍ୟତୀତ ଆଉ ଏକ ବାଇକର ଚେସିସ୍ ନମ୍ୱର ଲିଭାଯାଇଥିଲା। ପଚରାଉଚୁରା ବେଳେ ଅଭିଯୁକ୍ତମାନେ ମାନିଥିଲେ ଯେ, ୫ ଦିନ ତଳେ ଦୁଇଟି ସ୍କୁଟି ଚୋରୀ କରିଥିଲେ। ଯେଉଁ ଗ୍ୟାରେଜକୁ ନେଇ ଚୋରୀ ଗାଡ଼ିର ପାର୍ଟ ବିକୁଥିଲେ କି ଚେସିସ୍ ଓ ଇଞ୍ଜିନ ନମ୍ୱର ଲିଭାଇଦେଉଥିଲେ, ସେ ଗ୍ୟାରେଜ୍ ମାଲିକକୁ ପୁଲିସ ଗିରଫ କରିଥିଲା। ପଞ୍ଚମ ଅଭିଯୁକ୍ତ ସାକିର ଚୋରୀ ବାଇକର ପାର୍ଟକୁ ଅଲଗା ଅଲଗା କରିଦେଉଥିଲା। ଏ ସମସ୍ତ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ମାଜିଷ୍ଟ୍ରେଟଙ୍କ କୋର୍ଟରେ ପହଞ୍ଚିଥିଲେ ସଚିନ। କିନ୍ତୁ ସଂଧ୍ୟା ୫ଟାରୁ ରାତି ୧୦ଟା ଯାଏ ତାଙ୍କୁ କୋର୍ଟରେ ବସାଇ ଦିଆଗଲା। ତାଙ୍କୁ ନିଜ ବିଶ୍ରାମ କକ୍ଷକୁ ପ୍ରତି ଦଶ ମିନିଟ୍ ବ୍ୟବଧାନରେ ଡାକି ବିଚାରପତି ଅନେକ ଥର ଅଭଦ୍ର ଆଚରଣ କରିଥିଲେ। ବିଚାରପତି କହିଥିଲେ ଯେ, ଜାଣିଶୁଣି ମୁସଲମାନଙ୍କୁ ମିଛ ମାମଲାରେ ଫସାଇ ଅଭିଯୁକ୍ତ ଦର୍ଶାଇଛ। ରିମାଣ୍ଡ ଦେବାକୁ ମନା କରିଦେଇଥିଲେ। ଏଥିରେ ବ୍ୟଥିତ ପୁଲିସ ସବ-ଇନ୍ସପେକ୍ଟର ସଚିନ ରେଳ ଟ୍ରାକରେ ବସି ସୁଇସାଇଡ୍ ଲାଗି ଉଦ୍ୟମ କରିଥିଲେ। ସଂପୃକ୍ତ ବିଚାରପତିଙ୍କ ଏଭଳି ଆଚରଣ ବିରୁଦ୍ଧରେ ଆଲିଗଡ଼ ସିଟି ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ସଚିନ୍। ଏସପି ମୃଙ୍ଗାକ ଶେଖର କହିଛନ୍ତି, ଲିଖିତ ଅଭିଯୋଗ ପରେ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି।

ମାଜିଷ୍ଟ୍ରେଟଙ୍କ ଦ୍ୱାରା ଦୁର୍ବ୍ୟବହାରର ଶୀକାର ବନ୍ନାଦେବୀ ଥାନାର ପୁଲିସ ଅଧିକାରୀଙ୍କର ଏଭଳି ଚରମ ନିଷ୍ପତ୍ତି ନେବା ପଛର ଭିଡ଼ିଓ ଭାଇରାଲ ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଅନେକଙ୍କ କହିବା କଥା, ଏ ବିବାଦ କେବଳ ଜଣେ ପୁଲିସ କର୍ମୀ ଓ ବିଚାରପତିଙ୍କ ଭିତରେ ନୁହେଁ। ବରଂ ନ୍ୟାୟିକ ପ୍ରକ୍ରିୟା ଓ ଆଇନକାନୁନ ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠୁଛି। ଏବେ ଦେଖିବାର କଥା, ଏ ମାମଲାରେ ଆଗକୁ କି ପଦକ୍ଷେପ ନିଆଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *