ମଦମୁକ୍ତ ହେବ ଓଡ଼ିଶା !

Spread the love

ମଦମୁକ୍ତ ହେବ ଓଡ଼ିଶା! ସୁସ୍ଥ ସମାଜ ଗଠନରେ, ପରିବାରରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ। ଗୁଜରାଟ ଓ ବିହାର ଭଳି ମଦ ବିରୋଧୀ ନୀତି ଆପଣାଇବାକୁ ଯାଉଛନ୍ତି କି ମୋହନ ସରକାର। ଆନ୍ତର୍ଜାତୀୟ ନିଶାମୁକ୍ତ ଦିବସ ଅବସରରେ ଓଡ଼ିଶାକୁ ମଦ ଓ ନିଶାମୁକ୍ତ କରିବାକୁ ଖୁବଶୀଘ୍ର ଯୋଜନା ହେବ ବୋଲି କହିଥିଲେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ତେବେ ଏହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି। ଯଦିଓ ମଦ ବନ୍ଦ ନିଷ୍ପତ୍ତିକୁ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିଛନ୍ତି। ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଛତୁ ଫୁଟିଲା ଭଳି ମଦ ଦୋକାନ ଖୋଲିଛି। ଏହା ବନ୍ଦ ହେବା ଦରକାର। ରାଜସ୍ୱ ହାନୀ ହେବା ଭୟରେ ମଦ ବିକ୍ରିକୁ ପ୍ରୋତ୍ସାହିତ କରିବା ଉଚିତ ନୁହେଁ। ପର୍ଯ୍ୟାୟକ୍ରମେ ମଦ ଦୋକାନ ବନ୍ଦ ହେଉ। କଂଗ୍ରେସ କହିଛି, ନିଶା ନିବାରଣ ନୂଆ ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମଦ ଓ ଡ୍ରଗ୍ସ ହଟାଇବା ଦିଗରେ ସରକାର ନିଷ୍ଠାର ସହ କାମ କଲେ ସ୍ୱାଗତଯୋଗ୍ୟ। ବିଜେଡି କହିଛି, ଏଭଳି ହେଲେ ସ୍ୱାଗତଯୋଗ୍ୟ। କିନ୍ତୁ ସାମାଜିକ ସୁରକ୍ଷା ମନ୍ତ୍ରୀ ଓ ଅବକାରୀ ମନ୍ତ୍ରୀଙ୍କ ଭିତରେ ତାଳମେଳ ସିନା ରହିଲେ ହେବ। ନିଷ୍ପତ୍ତି କେମିତି କାର୍ଯ୍ୟକାରୀ ହେବ, ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଯଦିଓ ଅବକାରୀ ବିଭାଗ ପକ୍ଷରୁ ଏଭଳି ମଦମୁକ୍ତ ପାଇଁ କୌଣସି ଯୋଜନା ନାହିଁ ବୋଲି କୁହାଯାଉଛି। ଆଉ ଆଗରୁ ବି ଅଗଷ୍ଟ ୧୫ରୁ ଓଡ଼ିଶାରେ ମଦ କାରବାର ନିଷିଦ୍ଧ ବୋଲି ସୋସିଆଲ ମିଡିଆରେ ଭାଇରାଲ ଖବରକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଖଣ୍ଡନ କରିଥିଲା। ଏବେ ମନ୍ତ୍ରୀଙ୍କ ଘୋଷଣାରେ କେତେଦୂର ବାସ୍ତବତା ଅଛି, ତାକୁ ଅପେକ୍ଷା। ଦେବଗଡ଼ରେ ନିର୍ବାଚନ ପ୍ରଚାର ବେଳେ ବି ବିଜେପି କ୍ଷମତାକୁ ଆସିଲେ ମଦ ବିକ୍ରି ବନ୍ଦ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ମଦ ଲାଇସେନ୍ସ ଓ ମାର୍କେଟିଂରେ ବ୍ୟାନ୍ ଲାଗିବ ବୋଲି କହିଥିଲେ ଧର୍ମେନ୍ଦ୍ର। ଏମିତିରେ ବିହାର, ଗୁଜରାଟ, ମିଜୋରାମ ଓ ନାଗାଲାଣ୍ଡରେ ମଦ ବିକ୍ରି ନିଷିଦ୍ଧ କରାଯାଇଛି।

Leave a Reply

Your email address will not be published. Required fields are marked *