କାମ କରିବାକୁ ଯାଇ ପାଣି ରେ ବୁଡି ଯୁବକଙ୍କ ମୃତ୍ୟୁ, ଦୁଇ ଦିନ ପରେ ଉଦ୍ଧାର ହେଲା ଗଳିତ ମୃତଦେହ

Spread the love

ଅନୁଗୋଳ : ଅନୁଗୋଳ ଜିଲ୍ଲା ପାଲଲହଡା ଥାନା ମୁଚୁରିଗାଡ଼ିଆ ଗାଁ ରେ ଅଭାବନୀୟ ଘଟଣା। ନିଜର ପେଟପାଟଣା ପାଇଁ କାମ କରିବାକୁ ଯାଇଥିବା ବେଳେ ପାଣିରେ ବୁଡି ହୋଇଛି ଯୁବକଙ୍କ ମୃତ୍ୟୁ। ଦୁଇ ଦିନ ପରେ ମୃତ ଦେହକୁ ଉଦ୍ଧାର କରିବାରେ ସଫଳ ହୋଇଛି ପାଲଲହଡା ଅଗ୍ନିଶମ ବିଭାଗ । ସୂଚନା ଅନୁଯାଇ ପାଲଲହଡା ନିଜିଗଡ ପଞ୍ଚାୟତ ଅନ୍ତର୍ଗତ ମୁଚୁରିଗାଡ଼ିଆ ଗ୍ରାମ ର ବିଶ୍ୱନାଥ ମୁଣ୍ଡା (ପେଟୁ) ବୟସ (22) ବର୍ଷ, ଗ୍ରାମରେ ଶ୍ରମିକ ଭାବରେ କାର୍ଯ୍ୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବାବେଳେ, ସବୁଦିନ ଭଳି ଗତ 14 ତାରିଖ ଅପରାହ୍ନ 3 ଟା ସମୟରେ ବାଲିପସୀ ଗ୍ରାମରୁ ଦିନ ମଜୁରିଆ ଭାବରେ କାମ ସାରି ଗାଁ ନିକଟସ୍ଥ ମାଙ୍କଡା ନଦୀ ପାର ହୋଇ ଘରକୁ ଫେରୁଥିବା ସମୟରେ ମାଙ୍କଡା ନଦୀରେ ସେ ନିଖୋଜ ହୋଇଯାଇଥିଲେ । ଘରଲୋକ ବିଶ୍ୱନାଥଙ୍କ ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କୁ ଖୋଜାଖୋଜି କରିଥିଲେ । ସଂନ୍ଦେହ ହେବାରୁ ଗତ 14 ତାରିଖ ସନ୍ଧ୍ୟାରେ ପାଲଲହଡା ଅଗ୍ନିଶମ ବିଭାଗକୁ ଖବର ଦେଇ ମାଙ୍କଡା ନଦୀରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା। ତେବେ ଗତକାଲି ଅପରାହ୍ନ ସମୟରୁ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀଙ୍କ ମିଳିତ ଉଦ୍ୟମରେ ବହୁତ ଖୋଜାଖୋଜି ପରେ ଗତକାଲି ସନ୍ଧ୍ୟା ସମୟରେ ବିଶ୍ୱନାଥ ମୁଣ୍ଡାଙ୍କର ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରି ପାଲଲହଡା ପୋଲିସକୁ ଖବର ଦେଇଥିଲେ । ପାଲଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ ପାଇଁ ପାଲଲହଡା ଉପଖଣ୍ଡ ଚିକିତ୍ସାଲୟକୁ ପଠାଇ ମୃତ୍ୟୁର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ବିଶ୍ୱନାଥ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ମୃତ୍ୟୁପରେ ତାଙ୍କ ପରିବାର ସମ୍ପୂର୍ଣ ଭାଙ୍ଗିପଡ଼ିଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ଉଚିତ୍ କ୍ଷତିପୂରଣ ଦେବାପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *