କିଟ୍ ପ୍ରସଙ୍ଗରେ ମଙ୍ଗଳବାର ହୁଲସ୍ତୁଲ ହୋଇଥିଲା ଗୃହ। କିଟ୍ରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ପିଟ୍ ଘଟଣା ଓଡ଼ିଶାକୁ ସାରା ବିଶ୍ୱରେ ନିନ୍ଦିତ କଲା କହି ଶାସକ ବିରୋଧୀ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏପରିକି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବା ଯାଏ ସ୍ୱର ଉଠିଥିଲା ଗୃହରେ। ସଂଧ୍ୟାରେ ସରକାରଙ୍କ ପକ୍ଷରୁ ତନାଘନା ହୋଇଥିଲା। ଉଚ୍ଚସ୍ତରୀୟ କମିଟି ଗଠନ କରି କମିଟି ରିପୋର୍ଟ ଆଧାରରେ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ସରକାର।
କିନ୍ତୁ ବୁଧବାର ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ତୁଣ୍ଡରେ କିନ୍ତୁ ବିଲକୁଲ ନଥିଲା କିଟ୍ ପ୍ରସଙ୍ଗ। ମହିଳା ସୁରକ୍ଷା କଥା ଥିଲା ସତ। କିନ୍ତୁ କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା ବ୍ୟତୀତ ଭିନ୍ନ ପ୍ରସଙ୍ଗ ଥିଲା। ଲୋୟର ପିଏମଜିରେ ଦୀର୍ଘ ଦିନ ହେଲା ଧାରଣାରେ ବସିଥିବା ମିଶନ ଶକ୍ତି ଇସି ସଦସ୍ୟଙ୍କ ରିଷ୍ଟ୍ରକଚରିଂ ନିର୍ଦେଶାନାମା ପ୍ରତ୍ୟାହାର ଦାବିକୁ ଶାଣିତ କରିଥିଲା ବିଜେଡି ଓ କଂଗ୍ରେସ। ଯାହାକୁ ନେଇ ହଟ୍ଟଗୋଳ କରିବାରୁ ଗୃହକୁ ଏକାଥରେ ଅପରାହ୍ନ ୪ଟା ଯାଏ ମୁଲତବୀ କରିଦେଇଥିଲେ ବାଚସ୍ପତି। ଓଡ଼ିଶା ଜୀବିକା ମିଶନ ଓ ଓଡ଼ିଶା ମିଶନ ଶକ୍ତି ଅଧିନରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଲକ୍ଷାଧିକ ଇସି ସଦସ୍ୟଙ୍କୁ ପୁନର୍ଗଠନ ଆଳରେ ବାହାର କରିବାକୁ ଷଡ଼ଯନ୍ତ୍ର ବିରୁଦ୍ଧରେ ବର୍ଷିଥିଲେ ବିରୋଧୀ। ଏମାନେ ବିଜେଡି ପାଇଁ ରାଜନୀତି କରୁଥିଲେ କହି ବିଜେପି ସରକାର କେବଳ ଆଳ ନେଇ ମହିଳା ବିରୋଧୀ ମନୁବାଦୀ ଚିନ୍ତାଧାରା ଦେଖାଉଛି କହି ଗାନ୍ଧୀମୂର୍ତ୍ତି ତଳେ ପ୍ରତିବାଦ କରିଥିଲା ବିଜେଡି। ଦେଢ଼ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ହଟାଇବା ବଦଳରେ ସଶକ୍ତ କରାଯାଉ। ନଚେତ୍ ସମସ୍ତ ବ୍ଲକରେ ପ୍ରତିବାଦକୁ ପ୍ରଖର କରିବ ବୋଲି ଚେତାଇ ଦେଇଛି ବିଜେଡି। କଂଗ୍ରେସ ବି କହିଛି, ଇସି ସଦସ୍ୟଙ୍କ ପ୍ରତି ଏଭଳି ଅବିଚାର ଆଉ ବରଦାସ୍ତ କରାଯିବନି।
ଲୋୟର ପିଏମଜିରେ ଧାରଣାରତ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ବି କହିଛି, ନିର୍ଦେଶାନାମା ପ୍ରତ୍ୟାହାର ନହେଲା ଯାଏ ସେମାନେ ଧାରଣାରୁ ହଟିବେନି। ଶାସକ ଦଳ କହିଛି, ମହିଳାଙ୍କ ପାଇଁ ସରକାର ସମ୍ୱେଦନଶୀଳ ଅଛନ୍ତି। ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ୱୀ କରିବାରେ ବିଜେଡି ସରକାର କିଛି କରିନଥିଲା। ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ଦେଇଛନ୍ତି ସରକାର। ସୁଭଦ୍ରା ଭଳି ସବୁଠୁ ବଡ଼ ଯୋଜନା ଆଣିଛନ୍ତି ସରକାର। କିଟ୍ ପ୍ରସଙ୍ଗ ହେଉ ଅବା ଅନ୍ୟାନ୍ୟ ପ୍ରସଙ୍ଗକୁ ଏଡ଼ାଇବାକୁ ବିରୋଧୀ ଏହାକୁ ଭିନ୍ନ ଦିଗ ଦେବାକୁ ପ୍ରୟାସ କରି ଗୃହ ବନ୍ଦ କଲେ।
ତେବେ କଥା ପଡ଼ିଛି। ଇସି ସଂଘର ସଦସ୍ୟ ଗଲା ୧୩ ତାରିଖରୁ ଅହୋରାତ୍ର ଧାରଣା ଜାରି ରଖିଛନ୍ତି। ଏମାନଙ୍କ ଦାବି ବେଶ୍ ଯୁକ୍ତିଯୁକ୍ତ ବି। ହେଲେ ସେମାନଙ୍କ ସ୍ୱାର୍ଥ କଥା ଉଠାଇ ସେମାନଙ୍କୁ ନ୍ୟାୟ ଦେବା ସକାଶେ ସ୍ୱର ଉଠାଇଥିବାରୁ ବିରୋଧୀ ଦଳ ଧନ୍ୟବାଦର ପାତ୍ର। ମାତ୍ର ଯେଉଁ ପ୍ରସଙ୍ଗ ଜଳୁଛି। କିଟ୍ କାଣ୍ଡ ଓଡ଼ିଶାକୁ ନିନ୍ଦିତ କଲା। ସେ ପ୍ରସଙ୍ଗରେ ପଚାରିଲେ କାହିଁକି ମୁହଁ ଚୁପ୍। ସେଥିଲାଗି ଚର୍ଚ୍ଚା ହେଉଛି। ବାସ୍ତବରେ କେଉଁ ମିଶନ ଲାଗି ବିରୋଧୀ ଆଜି ଗୃହକୁ ଚଳାଇଦେଲେନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now