ମଣିପୁର ଲଜ୍ଜା, ଜିଲ୍ଲା ମହିଳା କଂଗ୍ରେସର ବିକ୍ଷୋଭ, ମୋଦି, ଅମିତ ଶାହା, ବିରେନ୍ଦ୍ର ସିଂଙ୍କ କୁଶପୁତଳିକା ଦାହ

Spread the love

ଭଦ୍ରକ : ଚଳିତ ବର୍ଷ ମଇ ମାସ ୩ତାରିଖ ମଣିପୁର ଠାରେ ମହିଳାମାନଙ୍କୁ ଉଲଗ୍ନ କରି ଯେବଳି ଭାବରେ ସର୍ବସମକ୍ଷରେ ବୁଲାଗଲା, ତାହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଯାହାକି ସଭ୍ୟ ସମ।ଜ ପାଇଁ ଲଜ୍ଜାଜନକ ହୋଇଥିବାବେଳେ, ସମଗ୍ର ବିଶ୍ୱରେ ଭାରତର ପ୍ରତିଛବିକୁ ମଳିନ କରିଛି । ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା ପ୍ରତିବାଦରେ ଭଦ୍ରକ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ସଭାରେ ମତ ପ୍ରକାଶ ପାଇଛି ।

ରାଜ୍ୟ କଂଗ୍ରେସ ସଭା ନେତ୍ରୀ ବନ୍ଦିତା ପରିଡ଼ାଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟରେ ଏପରି ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥବବାବେଳେ, ଭଦ୍ରକରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚାନ୍ଦଙ୍କ ନେତୃତ୍ୱରେ ଶତାଧିକ ମହିଳା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଅଧ୍ୟକ୍ଷତା କରି ଶ୍ରୀମତୀ ଚାନ୍ଦ କହିଥିଲେ ଯେ, ମଣିପୁରରେ ଗତ ୨ ମାସ ହେଲା ଜାତିଗତ ଦଙ୍ଗା ଲାଗି ରହିଛି । ଏକ ନିର୍ଦ୍ଧିଷ୍ଟ ଜାତିର ମହିଳାଙ୍କୁ ସର୍ବସମକ୍ଷରେ ଉଲଗ୍ନ କରି ବୁଲାଯିବା ଘଟଣା ବର୍ବରତାର ସୀମା ଉଂଲଘନ କରିଛି । ମଣିପୁର ଜଳୁଥିବାବେଳେ, ପ୍ରଧାନମନ୍ତ୍ରୀ ବିଦେଶ ଭ୍ରମଣ କରୁଛନ୍ତି । ମନ କି ବାତ୍ ଶୁଣାଉଥିବାବେଳେ, ମଣିପୁର ଘଟଣା ଉପରେ ମୁହଁ ଖୋଲୁ ନାହାନ୍ତି । ତେଣୁ ସେଠାରେ ଚାଲିଥିବା ବିଜେପି ଶାସନର ମୁଖ୍ୟ ବିରେନ୍ଦ୍ର ସିଂଙ୍କ ଅପରାଗତାକୁ ପ୍ରଧାନମନ୍ତ୍ରୀ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ସେହିପରି ବାସୁଦେବପୁର ବ୍ଳକ ସଭାନେତ୍ରୀ ମଞ୍ଜୁଲତା ପଣ୍ଡା, ପ୍ରାକ୍ତନ ସାଂସଦ ପ୍ରାର୍ଥିନୀ ମଧୁମିତା ସେଠୀ, ଶର୍ମିଷ୍ଠା ପଣ୍ଡା, ଅମିତାବାଳା ଆଚାର୍ଯ୍ୟ, ପାରିଷଦ ରୁକସନା ଖାତୁନ, ଜ୍ୟୋସ୍ନାରାଣୀ ଜେନା, ରଞ୍ଜିତା ରାଉତ, ରଶ୍ମିରେଖା ଜେନା ପ୍ରମୁଖ ନିଜ ନିଜ ଅଭିଭାଷଣରେ ମଣିପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍ଦ୍ର ସିଂ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ।

ଏହି ଅବସରରେ ଜିଲ୍ଲା ସଭାପତି ଅଶୋକ ଦାସ, ପ୍ରାକ୍ତନ ଜିଲ୍ଲା ସଭାପତି ସୁବ୍ରତ ଦାସ, ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି, ଚାନ୍ଦବାଲି ବିଧାନସଭା ନେତା ଦିଗମ୍ବର ଦାସ, ବିଦ୍ୟାଧର ଯେନା, ଦମୟନ୍ତୀ ଜେନା, ମିନତୀ ସାହୁ, ଧରିତ୍ରୀ ଜେନା, ମିନତୀ ରାଉତ, ସୁବାସିନି ସ୍ୱାଇଁ, ଜ୍ୟୋସ୍ନାରାଣୀ ସାହୁ, ତପସ୍ୱିନୀ ଦାସ ପ୍ରମୁଖ ଉପସ୍ଥିତ ରହି ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରି ଭାରତ ପରି ଏକ ଶାନ୍ତପୂର୍ଣ୍ଣ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଏପରି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଏହି ଅବସରରେ ମହିଳା କଂଗ୍ରେସ ପକ୍ଷରୁ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍ଦ୍ର ସିଂଙ୍କ କୁଶପୁତ୍ତଳା ଦାହ କରିଥିଲେ ।

Leave a Reply

Your email address will not be published. Required fields are marked *