ବିଧାନସଭାର ଶୂନ୍ୟକାଳରେ ମଢ଼େଇ କମିଟି, ମଢ଼େଇ କମିଟିର ଉଚ୍ଚାରଣ ଆଜି ବେଶ୍ ଗୁଞ୍ଜରିତ ହୋଇଥିଲା। ପ୍ରସଙ୍ଗ ଥିଲା ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ସାଙ୍ଗକୁ ପୂର୍ବତନ ବିଧାୟକଙ୍କ ପେନସନ ରାଶି ବଢ଼ାଅ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଗ ଏ ସମ୍ପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିବା ପରେ ଉପ-ମୁଖ୍ୟ ସଚେତକ ପ୍ରତାପ ଦେବ ସମର୍ଥନ କରି ଏ ଆଲୋଚନାକୁ ଆଉ ପାଦେ ଆଗେଇନେଇଥିଲେ। ଏହାର ଯଥାର୍ଥତାକୁ ନେଇ ପ୍ରତିପାଦିତ ସହ କାହାର ସମାଲୋଚନାକୁ ଡରିଲେ ଚଳିବନି କହିଥିଲେ। ଆଉ ତା ପରେ ପରେ ପୂର୍ଣ୍ଣଚନ୍ଦ୍ର ସେଠୀ, ପଦ୍ମଲୋଚନ ପଣ୍ଡା ପ୍ରମୁଖ ଆଲୋଚନାରେ ଭାଗ ନେଇ ଏହାର ଆବଶ୍ୟକତାକୁ କହିଥିଲେ। କିନ୍ତୁ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା, ମଢ଼େଇ କମିଟି ସୁପାରିଶକୁ ଅବିଳମ୍ୱେ କାର୍ଯ୍ୟକାରୀ କରାଯାଉ। ବାଚସ୍ପତି ଏ ନେଇ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ। ଆଉ ଯାହା ପାଟିରେ ମଢ଼େଇ କମିଟି କଥା ଶୁଭୁଥିଲା, ସେପଟେ କିନ୍ତୁ ଉଦଳା ବିଧାୟକ ଭାସ୍କର ମଢ଼େଇ ମୁରୁକି ମୁରୁକି ହସୁଥିଲେ। ଆଉ ଭାସ୍କର ବି ସତେ ଯେମିତି ଏହି ଆଲୋଚ୍ୟ ପ୍ରସଙ୍ଗର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ। ସାଜିବା ବି ସ୍ୱାଭାବିକ ଥିଲା। ସେ ପରା ବିଧାୟକଙ୍କ ଦରମା, ଭତ୍ତା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କମିଟିର ମୁଖ୍ୟ। ତେବେ ଶେଷରେ ନିଜ ପାଳି ଆସିବାରୁ ବିଧାୟକଙ୍କ ଦାବି ଶତ ପ୍ରତିଶତ ଯୁକ୍ତିଯୁକ୍ତ ବୋଲି ଦର୍ଶାଇ ଆଲୋଚନାର ଗମ୍ଭୀରତା ଓ ଗୁରୁତ୍ୱକୁ ବେଶ୍ ନମ୍ର ଓ ଦମ୍ଭିଲା ସ୍ୱରରେ ଉପସ୍ଥାପନା କରିଥିଲେ ମଢ଼େଇ। ବଜାର ଦରରୁ ନେଇ ଦୈନନ୍ଦିନ ଜୀବନଯାପନରେ ଏହାର ପ୍ରାସଙ୍ଗିକତାକୁ ଦର୍ଶାଇଥିଲେ। ନିଜ ଅଞ୍ଚଳର ୩ ପୂର୍ବତନ ବିଧାୟକ ରାବଣେଶ୍ୱର ମଢ଼େଇ, ସ୍ୱର୍ଗତ ରୋହିତ ଦାସ ସୋରେନ, ମନମୋହନ ଟୁଡୁଙ୍କ ଆର୍ଥିକ ଅବସ୍ଥାର ନଜିର ଥୋଇଥିଲେ ଗୃହରେ। ସୋରେନ ଓ ଟୁଡୁଙ୍କ ପରିବାରର ଜୀବନ ଚାଳ ଘରେ କଟୁଛି। ମଢ଼େଇଙ୍କ ପୁଅ ଚାକିରୀ ପରେ ତାଙ୍କୁ ପଚାରୁଛନ୍ତି କି ନାହିଁ, ସେ କଥା ଜଣାନାହିଁ। କିନ୍ତୁ ବିଛଣାରେ ପଡି ରହୁଛନ୍ତି। ସମାଜରେ ଏମାନେ ନେତୃତ୍ୱ ନେଉଥିଲେ। କାହା ଦୁଆରକୁ ଭିକ ମାଗି ଯାଇପାରିବେନି। କାରଣ ସ୍ୱାଭିମାନର କଥା ପଡ଼ିଛି। ଗୁଆ ବନ୍ଧୁରେ ଗଲେ ବେଭାର ତ ଦେବାକୁ ପଡ଼ିବ। କେଉଁ କାର୍ଯ୍ୟକ୍ରମ ବା ପୂଜା ଯାନିଯାତ୍ରାରେ ଗଲେ ମୁଣ୍ଡିଆ ଖାଇଲା ପରେ ଆଗ ବାଦ୍ୟକାରଙ୍କୁ ଭେଟି। ପୂଜକ କେତେ ଜଣ, ସେମାନଙ୍କୁ ଆକଳନ କରି ଭେଟି, କମିଟି ବାଲାଙ୍କୁ ତ ସର୍ବନିମ୍ନ ୧୦ହଜାରରୁ ୫୦ହଜାର ଚାନ୍ଦା, ଗାଡ଼ିରୁ ମେଢ଼କୁ ସ୍ୱାଗତ କରୁଥିବା ବ୍ୟକ୍ତିଙ୍କୁ ନଗଦ, ଆଉ କାହା ଝିଅ ବାହାଘରରେ ଗଲେ ୨ହଜାରରୁ ୧୦ହଜାର ଯାଏଁ ଦେବା ଥୟ। ସେଥିଲାଗି ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ସହ ପୂର୍ବତନ ବିଧାୟକଙ୍କ ପେନସନ ରାଶି ବୃଦ୍ଧି କରାଗଲେ, ଏହା ଏତେ ବଡ଼ ଆର୍ଥିକ ବୋଝ ହେବନି ସରକାରଙ୍କ ଲାଗି। ବାଚସ୍ପତିଙ୍କୁ ଲକ୍ଷ୍ୟ କରି କହିଥିଲେ ଆପଣ ମାଆ। ମାଆ ଲକ୍ଷ୍ମୀ। ଦାନା ଗଣ୍ଡେ ଦେଲେ ସିନା ବଞ୍ଚିବୁ ବୋଲି କହିବା ମାତ୍ରେ ଗୃହରେ ସମସ୍ତେ ତାଳିମାଡ଼ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁହାରି ଶୁଣିଲେ ପୁରା ଗୃହ ତାଙ୍କୁ ଧନ୍ୟବାଦରେ ପୋତିଦେବ ବୋଲି କହିଥିଲେ ମଢ଼େଇ।


Naxatra News is now on Whatsapp
Join and get latest news update delivered to you via whatsapp
Join Now