
() ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ। ହେଲେ ଏହି ଅଧିବେଶନରେ କଅଣ ରହିବ ଓଡ଼ିଶାର ଦାବି। ଓଡ଼ିଶା ପରିପ୍ରେକ୍ଷୀରେ କେଉଁ କେଉଁ ପ୍ରସଙ୍ଗ ଉଠାଇବ ବିଜେଡି, ତାକୁ ନେଇ ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ସରିଛି। କେନ୍ଦ୍ରର ବୈମାତୃକ ମନୋଭାବକୁ ନେଇ ମୁଖ୍ୟତଃ ଟାର୍ଗେଟ କରିବାକୁ ବିଜେଡି ସ୍ଥିର କରିଛି। ସେପଟେ ବାସହୀନଙ୍କ ପାଇଁ କାନ୍ଦୁଥିବା ବିଜେଡିକୁ ଟାର୍ଗେଟ କରିଛି ବିଜେପି। ଉତ୍ତରଦାୟିତ୍ୱ ନିଅନ୍ତୁ ବୋଲି ଚେତାଇଦେଇଛି। ଆଉ କଂଗ୍ରେସ କହିଛି, ଓଡ଼ିଶା ସ୍ୱାର୍ଥ ଏହି ଦୁଇ ଦଳ ଲାଗି ମାଏନା ରଖୁନି। କେବଳ ରାଜନୀତି ଗୁରୁତ୍ୱ ରଖୁଛି।
ସଂସଦର ବଜେଟ୍ ଅଧିବେଶନ। ଅଧିବେଶନରେ ବିଜେପିର ଅପପ୍ରଚାରକୁ ତଥ୍ୟ ସହ କାଉଣ୍ଟର କରିବାକୁ ପ୍ରସ୍ତୁତ ହେଲାଣି ବିଜେଡି। ବିଶେଷ କରି ଆବାସ ଓ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡକୁ ନେଇ ସଂସଦରେ କିଭଳି ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରାଯିବ, ସେ ନେଇ ନବୀନ ନିବାସରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ସ୍ଥିର ହୋଇଛି। ଏହା ସହ ମହିଳା ସଂରକ୍ଷଣ ବିଲ୍ ବାବଦରେ ଚାପ ପକାଇବ ଦଳ। ଉଷୁନା ଚାଉଳ, ବିଧାନ ପରିଷଦ, ରେଲଓ୍ୱେ, ଆଦିବାସୀ ମାନ୍ୟତା ବାବଦରେ ବି ସ୍ୱର ଉଠାଇବ ବିଜେଡି।
ସେପଟେ ବିଜେପି କହିଛି, ବାସହୀନଙ୍କୁ ଆବାସ ଦେବାକୁ ମୋଦି ୯ଲକ୍ଷରୁ ବେଶୀ ଘର ପଠାଇଛନ୍ତି। କିନ୍ତୁ ଯୋଗ୍ୟଙ୍କୁ ବାଛିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ବହୁ ବିଳମ୍ୱ ହୋଇଗଲାଣି। ତୁରନ୍ତ ଓ୍ୱାର୍କଅର୍ଡର ଦିଅନ୍ତୁ। ଦଳୀୟଭିତ୍ତିରେ ଅଯୋଗ୍ୟଙ୍କୁ ସାମିଲ୍ କରିଥିବାରୁ ସବୁଠି ଅସନ୍ତୋଷ ତେଜିଲାଣି। ସଂସଦରେ କେଉଁ ତଥ୍ୟ ତାହେଲେ ଉପସ୍ଥାପନ କରିବେ ବୋଲି ପଚାରିଛି ବିଜେପି।
ଆଉ କଂଗ୍ରେସ କହିଛି, ଉଭୟ ଦଳ ଗରିବ ଓ ଓଡ଼ିଶାର ସ୍ୱାର୍ଥ ନାଁରେ କେବଳ ତୁଛା ରାଜନୀତି କରୁଛନ୍ତି। ପରସ୍ପରକୁ ଦୋଷାରୋପ କରିବାର ଫର୍ଦ୍ଦରେ ମାତିଛନ୍ତି। ଆବାସ ଦୁର୍ନୀତି ଜଳଜଳ କରି ଦିଶୁଛି। ଯେତିକି ଘର ଦରକାର, ସେତିକି କେନ୍ଦ୍ର ଦେଉନି। ବିଜୁ ସ୍ୱାସ୍ଥ୍ୟକାର୍ଡ ଓ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଟଣାଓଟରା ଚାଲିଛି।
ପଲ୍ଲୀରୁ ଦିଲ୍ଲୀ ଆବାସ ଓ ସ୍ୱାସ୍ଥ୍ୟବୀମା ଯୋଜନାକୁ ନେଇ କମ୍ପିବ ବିଜେଡି-ବିଜେପି ଭିତରେ ଲଢ଼େଇ। ବଜେଟ୍ ଅଧିବେଶନରେ ତଥ୍ୟକୁ ନେଇ ମୁହାଁମୁହିଁ ହୋଇପାରନ୍ତି ଉଭୟ ସରକାର।
କେନ୍ଦ୍ରାପଡ଼ାରୁ ଦିଲ୍ଲୀପ ମହାନ୍ତି ଓ ଭୁବନେଶ୍ୱରରୁ ସିମ୍ପୁଲ ନାୟକ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ