
ଭୁବନେଶ୍ବର: ନବୀନଙ୍କୁ ବଙ୍ଗୋପସାଗରରେ ଫିଙ୍ଗିଦେବା। ବିଜେଡି ଡରିଲାଣି। ଅତ୍ମପ୍ରଚାରରେ ଓଡ଼ିଶାକୁ ମୋଦି ସବୁ ସୁବିଧା ଦେଲେ। ହେଲେ ଓଡ଼ିଶା ସରକାର ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଫେଲ୍। ଏବେ ପରୀକ୍ଷା ଦେବା। ଫଳ ୨୪ରେ ପାଇବା। ଏମିତି ନାନାଦି ଢଙ୍ଗରେ ନବୀନ ସରକାରଙ୍କୁ ଭର୍ତ୍ସନା କରି ଶକ୍ତିକେନ୍ଦ୍ର ସମ୍ମିଳନୀ ମଞ୍ଚରୁ ଗର୍ଜିଛନ୍ତି ତୁଙ୍ଗ ନେତା। ଜନତା ମୈଦାନରେ ଓଡ଼ିଶା ଲୋକଙ୍କ ସ୍ୱର ହୋଇ ବିଜେପି କିଭଳି ଆଗକୁ ବଢ଼ିବ, ସେନେଇ କର୍ଣ୍ଣମନ୍ତ୍ର ଦେଇଥିଲା ବେଳେ ବିଜେଡି ବି ଏହାକୁ ଭରପୁର କାଉଣ୍ଟର କରିଛି।
ସରକାର ଆଖିରେ ଅନ୍ଧପୁଟୁଳି ବାନ୍ଧିଛନ୍ତି। ଧୃତରାଷ୍ଟ୍ର ପୀଡ଼ିତ ସରକାରକୁ ଜବାବ ଦେବାକୁ ହେବ। ବାହାପିଆ ଶାସନ ଚଳାଇଥିବା ବିଜେଡି ସରକାରକୁ ହଟାଇବାକୁ ହେବ। ଓଡ଼ିଶାର ବିକାଶ ନ ହେଲେ ଭାରତର ବିକାଶ ହେବନି। ସେଥିଲାଗି ବୁଥ୍ ମଝଭୁତ୍ କରିବା। ଆତ୍ମପ୍ରଚାରସର୍ବସ୍ୱ ସରକାରକୁ ଠିକଣା ଜବାବ ଦେବା। ଜନତା ମୈଦାନରେ ଆୟୋଜିତ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଞ୍ଚରୁ ଏଭଳି ବାଗରେ କର୍ମୀଙ୍କୁ ପ୍ରେରଣା ଓ ବିଜେଡିକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଶକ୍ତିକେନ୍ଦ୍ର ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସମ୍ମିଳନୀ ବୋଲି କହିଛନ୍ତି ଧର୍ମେନ୍ଦ୍ର। ସେଥିଲାଗି ଶୋଇଥିବା ଲୋକଙ୍କୁ ଏହି ଶକ୍ତିକେନ୍ଦ୍ର ଉଠାଇବ।
ସେପଟେ ନବୀନଙ୍କୁ ବଙ୍ଗୋପସାଗରରେ ଫିଙ୍ଗିଦେବା ବୋଲି ଗର୍ଜିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସାଧନାର ସାଧକ ଓଡ଼ିଶା ବିକାଶରେ ବାଧକ ସାଜିଛନ୍ତି କହି ମୁଖ୍ୟମନ୍ତ୍ରୀଙ୍କୁ ଇଙ୍ଗିତ କରିଛନ୍ତି ଜୟନାରାୟଣ। ରାତି ହେଲେ ଲୁଚିଯାଆନ୍ତି ନବୀନ। ବିଜେଡି ଡରୁଛି ବୋଲି କହିଛନ୍ତି ଅପରାଜିତା। ସେଥିଲାଗି ତ ସମାନ ଦିନରେ କାର୍ଯ୍ୟକ୍ରମ କରିଛି। ମୋଦି ସରକାରଙ୍କ ବିକାଶମୂଳକ କାମକୁ ଘରେ ଘରେ ପହଞ୍ଚାଇ ବିଜେଡିର ମିଛ ଓ ଆତ୍ମପ୍ରଚାର ଥିଓରୀକୁ କାଉଣ୍ଟର କରିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି।
ସେପଟେ ବିଜେପିକୁ କଡ଼ା କାଉଣ୍ଟର କରିଛି ବିଜେଡି। ବିକାଶ ପାଇଁ ଅହରହ ଚିନ୍ତା କରୁଛନ୍ତି ନବୀନ। କିଛି କରିନଥିବା ଲୋକ ଗୋଡ଼ ଟାଣୁଛନ୍ତି। ଧାର କରି ନେତା ଆଣିବାରେ ବିଜେପି ବ୍ୟସ୍ତ। ବଙ୍ଗୋପସାଗରରେ କାହାକୁ ଜନତା ଫିଙ୍ଗିବେ, ତାହା ଜଳଜଳ କରି ଦିଶୁଛ।
ଜନତା ମୈଦାନରୁ ବିଜେପି ଓ ବରମୁଣ୍ଡା ପଡ଼ିଆରୁ ବିଜେଡିର ପାଓ୍ୱାର ସୋକୁ ନେଇ ଆଜି ରାଜଧାନୀ ମାଟି ଦୁଲୁକିଥିଲା। ମିଶନ ୨୪ ପାଇଁ ପ୍ରସ୍ତୁତି ପୂର୍ବର ବଡ଼ ସମ୍ମିଳନୀକୁ ନେଇ ଯେତିକି ଚର୍ଚ୍ଚା। ସେତିକି ଚର୍ଚ୍ଚା ବି ହେଉଛି, ୨୪ରେ ପରିବର୍ତ୍ତନର ସମ୍ଭାବନା ନା ପୁଣି ନବୀନଙ୍କ କରିସ୍ମା ଜାରି ରହିବ।
ସ୍ୱରୂପା ମହାପାତ୍ର ଓ ସିମ୍ପୁଲ ନାୟକଙ୍କ ରିପୋର୍ଟ