() ବିମାନରେ ଗଲେ। କାରରେ ଚଢ଼ିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର ସମେତ ଅନେକ ତୁଙ୍ଗ ନେତା ଆଜି ବିଆରଏସରେ ସାମିଲ୍ ହୋଇଛନ୍ତି। ଓଡ଼ିଶା ବିକାଶ ହିଁ ମୁଖ୍ୟ ମୁଦ୍ଦା ବୋଲି କହିଛନ୍ତି ଓଡ଼ିଶାରୁ ବିଆରଏସରେ ସାମିଲ୍ ନେତାଏ। ଆଉ ବିଜେଡି ସହ ଫାଇଟ୍ ହେବ ବୋଲି କହିଛନ୍ତି। ହାଇଦ୍ରାବାଦରେ ବିଆରଏସ ଅଧ୍ୟକ୍ଷ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏସବୁ ନେତାଙ୍କୁ ଦଳରେ ମିଶାଇବା ସହ ଓଡ଼ିଶା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।
ପୁରା ଗମାଙ୍ଗ ପରିବାର ବିଆରଏସରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ତାଙ୍କ ପୁଅ ଶିଶିର। ସମସ୍ତେ ବିଧିବଦ୍ଧ ଭାବେ ସାମିଲ୍ ହେଲେ ବିଆରଏସରେ। ବିମାନରେ ଗଲେ ଆଉ କାର୍ରେ ଚଢ଼ିଲେ। ବିଆରଏସର ମିଶ୍ରଣ ପର୍ବରେ ସାମିଲ ହୋଇ ଓଡ଼ିଶାରେ ବିଆରଏସର ମଙ୍ଗ ଧରିଛନ୍ତି ଗିରିଧର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ଅଧ୍ୟକ୍ଷ କେସିଆରଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇ ଓଡ଼ିଶା ଦଖଲ ଅଭିଯାନକୁ ସାକାର କରିବାକୁ ପଣ କରିଛନ୍ତି। ବିଜେଡି ସହ ମୁଖ୍ୟତଃ ଫାଇଟ୍ ହେବ ବୋଲି କହିଛନ୍ତି। ଆଦିବାସୀଙ୍କ ବିକାଶକୁ ସମସ୍ତେ ଅଣଦେଖା କରୁଥିବାର ଆରୋପ ଲଦିଛନ୍ତି ଗିରିଧର। ଓଡ଼ିଶାର ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଆରଏସ ପ୍ରାର୍ଥୀ ଦେବ ବୋଲି କହିଛନ୍ତି ଶିଶିର। କଂଗ୍ରେସ ଓ ବିଜେପି ଛାଡ଼ିବା ଅଧ୍ୟାୟକୁ ଅତୀତ କହି ବିଆରଏସରେ ସାମିଲ ପର୍ବକୁ ବର୍ତ୍ତମାନର ରାଜନୈତିକ ଭୌଗଳିକ ସ୍ଥିତିକୁ ଦେଖି ଆଗେଇବାକୁ ହେବ ବୋଲି କହିଛନ୍ତି ଗିରିଧର। ହେମା କହିଛନ୍ତି କି, ମହିଳା ଭୋଟ ବ୍ୟାଙ୍କକୁ ନେଇ ବଡ଼ କଥା କହୁଥିବା ଦଳ ଗୁଡ଼ିକ କେତେ ମହିଳା ସଶକ୍ତିକରଣ କରୁଛନ୍ତି ଆଉ କେଉଁ ଢଙ୍ଗରେ, ସବୁ ବୁଝାପଡ଼ୁଛି।
ତେବେ କେବଳ ଗମାଙ୍ଗ ପରିବାର ନୁହେଁ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବି ବିଆରଏସରେ ସାମିଲ୍ ହୋଇଛନ୍ତି। ସେହିଭଳି ନବନିର୍ମାଣ କୃଷକ ସଂଗଠନର ତୁଙ୍ଗ ନେତା ଶେଷଦେବ ନନ୍ଦ, ପୂର୍ବତନ କଂଗ୍ରେସ ଯୁବନେତା କୈଳାସ ମୁଖୀ ପ୍ରମୁଖ ଗମାଙ୍ଗଙ୍କ ସହ ହାଇଦ୍ରାବାଦ ଗସ୍ତ କରିଥିଲେ। ଓଡ଼ିଶାର ବଡ଼ ପରିବର୍ତ୍ତନ ଆସିବ। ନବୀନଙ୍କ ବିକଳ୍ପ ଭାବେ ଉଭା ହେବ ବିଆରଏସ। ଲୋକଙ୍କ ଦାବି, ବିଚାର ଓ ଆକାଙ୍କ୍ଷାକୁ ନେଇ ବିଆରଏସ କାମ କରିବ। ମୋଦି ଓ ନବୀନଙ୍କ ବିକଳ୍ପ ଭାବେ ଛିଡ଼ା ହେବାକୁ ବିଆରଏସ ସକ୍ଷମ। କାରଣ କେସିଆରଙ୍କ ନେତୃତ୍ୱରେ ନୂଆ ସାମ୍ମୁଖ୍ୟର ନକ୍ସା ବଡ଼ ପରିବର୍ତ୍ତନ ଆଣିବ।
ସେପଟେ ଓଡ଼ିଶାରେ ନବୀନଙ୍କ ଭାବମୂର୍ତ୍ତି ଆଗରେ କୌଣସି ଦଳ କି ବଳ କାମ କରିବନି ବୋଲି କହିଛି ବିଜେଡି। ଓଡିଶାରେ ନୂଆ ଦଳର ଏଣ୍ଟ୍ରି କିଛି ନୂଆ କଥା ନୁହେଁ। କିନ୍ତୁ ବିଜେଡି ଲୋକଙ୍କ ବଳ ସାଜିଛି। ଆଉ କଂଗ୍ରେସ କହିଛି, ଗମାଙ୍ଗ ଗନ୍ ଆଉଟ୍। କଂଗ୍ରେସ ଛାଡ଼ିଲା ଦିନଠୁ କ୍ଷମତାଶୂନ୍ୟ ହୋଇପଡ଼ିଥିଲେ ଗିରିଧର। ଏବେ ଦଳ ଡିଆଁରେ ମାତିଛନ୍ତି ସିନା ଗମାଙ୍ଗ। ହେଲେ ତାଙ୍କର ସେ କ୍ରେଜ୍ ନାହିଁ।
ଗମାଙ୍ଗ ବିଆରଏସର ଓଡ଼ିଶା ମଙ୍ଗ ଧରିଛନ୍ତି ସତ। ହେଲେ ଶିଶିରଙ୍କୁ ୧୯ରେ ହରାଇବା ପଛରେ ମୁଖ୍ୟ କାର୍ପଟଦାର ବୋଲି ଆରୋପ ଲଦିଆସୁଥିବା ଜୟରାମ ପାଙ୍ଗୀ ବି ବିଆରଏସରେ ସାମିଲ୍ ପରେ ଉଭୟ ଗୋଷ୍ଠୀ ଭିତରେ କିଭଳି ସମନ୍ୱୟ ରହିବ, ତାକୁ ନେଇ ଉଠିଛି ସନ୍ଦେହ।
Naxatra News is now on Whatsapp
Join and get latest news update delivered to you via whatsapp
Join Now