ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରୁ ନିର୍ଗତ କେମିକାଲ ପାଣି: ଚାଷ ନଷ୍ଟ

Spread the love

ଜଳେଶ୍ବର: ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରୁ ନିର୍ଗତ କେମିକାଲ ପାଣି ଯୋଗୁଁ ଏକର ଏକର ଚାଷ ଜମି ନଷ୍ଟ ହେଉଥିବା ଅଭିଯୋଗ । ଫଳରେ ଫସଲ ଉତ୍ପାଦନ କରି ନ ପାରି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ତହସିଲ ଅଧୀନସ୍ଥ ମଧୁପୁରା ପଞ୍ଚାୟତ । ଏହି ପଞ୍ଚାୟତରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହେବ ଅର୍ଚିଡ଼ ମେରାଇନ ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ଼ ଫ୍ୟାକ୍ଟ୍ରି ଗଢି ଉଠିଛି । ଏହି ଫ୍ୟାକ୍ଟ୍ରିରେ ଚିଙ୍ଗୁଡ଼ି ମାଛକୁ ପ୍ରୋସେସିଙ୍ଗ କରାଯାଇ ବିଦେଶକୁ ରପ୍ତାନି କରାଯାଏ । ଏଥିରୁ ନିର୍ଗତ କେମିକାଲ ପାଣି ଫ୍ୟାକ୍ଟ୍ରି  ପାଖରେ ଥିବା ଚାଷ ଜମିରେ ମାଡ଼ିଯିବା ଯୋଗୁଁ ୫୦ଏକରରୁ ଊର୍ଦ୍ଧ୍ବ ଚାଷ ଜମି ନଷ୍ଟ ହେବା ସହିତ ଧାନ ଫସଲ ନଷ୍ଟ ହେଉଛି । ସେଥିରୁ ନିର୍ଗତ ଦୁର୍ଗନ୍ଧ ଯୋଗୁଁ ୨ଟି ପଂଚାୟତର ଲୋକେ ଅଣନିଶ୍ଵାସୀ ହେଉଛନ୍ତି । ବାରମ୍ବାର ନିରାକରଣ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ତେବେ ଖୁବ ଶୀଘ୍ର ଏହାର ପ୍ରତିକାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ତା ନହେଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ତେବେ ଏନେଇ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଅଭିଯୋଗ ଆସିଲେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ତେବେ ଦେଖିବାକୁ ବାକି ରହିଲା ଏହି ଫ୍ୟାକ୍ଟ୍ରି ଉପରେ କେବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ପ୍ରଦୀପ କୁମାର ଜେନାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *