ପଶ୍ଚିମ ଓଡିଶାରେ ସଭାଗୃହର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପଶ୍ଚିମ ଓଡିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ । ଏହାଦ୍ୱାରା ପଶ୍ଚିମ ଓଡିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୫ -ଟି ଉପକ୍ରମରେ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ପ୍ରକାଶ କରି ଏହିସବୁ ଭିତିଭୂମି କାମ ଠିକ୍ ସମୟରେ ଶେଷ ହେବ ଓ ଏହାର ଗୁଣାତ୍ମକ ମାନ ମଧ୍ୟ ବହୁତ ଭଲ ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ୩୩.୫୮ କୋଟି ଟଙ୍କା ବିନିଯୋଗରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଥିଲେ ଯେ, ପଶ୍ଚିମ ଓଡିଶାର ବିକାଶ ପାଇଁ ସେ ସବୁବେଳେ ସ୍ୱତନ୍ତ୍ର ଧ୍ୟାନ ଦେଇଆସିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ଦୁଇ ଗୁଣ ହେବା ସହିତ ଏହାର କାର୍ଯ୍ୟକ୍ରମ ମଧ୍ୟ ବୃଦ୍ଧି ପାଇଛି । ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ବିକାଶ ପରିଷଦକୁ ପରାମର୍ଶ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । ପଶ୍ଚିମ ଓଡିଶାର ବିକାଶ କ୍ଷେତ୍ରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିକାଶରେ ପଶ୍ଚିମ ଓଡିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କୃଷି, ଶିଳ୍ପ, ଖଣି, ଶିକ୍ଷା ଏବଂ କଳା ଓ ସଂସ୍କୃତିରେ ସମୃଦ୍ଧ ହେଉଛି ପଶ୍ଚିମ ଓଡିଶା । ପର୍ଯ୍ୟଟନର ବିକାଶ ପାଇଁ ମା ସମଲେଶ୍ୱରୀ, ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ରୂପାନ୍ତର କାମ ଚାଲିଛି । ଏହା ସହିତ ଆହୁରି ଅନେକ ମନ୍ଦିର ଓ ଭିତ୍ତିଭୂମି କାମ ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜରିଆରେ ସବୁ କାମ ତଦାରଖ କରୁଛି । ପଶ୍ଚିମ ଓଡିଶା ଖୁବ ଶୀଘ୍ର ବିକାଶର ସବୁ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ସେ କହିଥିଲେ ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଠାରେ ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବରଗଡ ଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ଦେବଗଡ ଠାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ  ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପ୍ରମୁଖ ଯୋଗ ଦେଇ ପଶ୍ଚିମ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଯୋଜନାବଦ୍ଧ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ୫-ଟି ଉପକ୍ରମରେ ସବୁ କାର୍ଯ୍ୟକ୍ରମ ଠିକ୍ ସମୟରେ ଆରମ୍ଭ ହୋଇ ଶେଷ ହେବା ସହିତ ପଶ୍ଚିମ ଓଡିଶାର ବିକାଶ ତ୍ୱରାନ୍ୱିତ ହୋଇପାରୁଛି ବୋଲି ସେମାନେ ମତ ଦେଇଥିଲେ ।

ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ଏହାର ସିଇଓ ଶ୍ରୀ ଅଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଉଦ୍‌ଘାଟିତ ପ୍ରକଳ୍ପ ମଧ୍ୟରେ ବଲାଙ୍ଗୀର ଗଡିଆଜୋର ସେତୁ, ଟିଟିଲାଗଡ ଟାଉନହଲ୍‌, ବରଗଡ ଇକୋ ଟୁରିଜିମ୍‌, ଭିତ୍ତିଭୂମି, ଦେବଗଡ କଲେଜର ନୂଆ ଅଡିଟୋରିଅମ, କଳାହାଣ୍ଡି ବ୍ରଜମୋହନ ହାଇସ୍କୁଲର ନୂଆ ହଷ୍ଟେଲ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ନୂଆ ଅଡିଟୋରିଅମ ଓ କୁଚିଣ୍ଡା କଲେଜର ଅଡିଟୋରିଅମ ରହିଛି । ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମଧ୍ୟରେ ବରଗଡ ଜନ୍ଦୋଲ ଗାଁର କମ୍ୟୁନିଟି ହଲ୍‌, ବରୋମୁଣ୍ଡା କଳାଗ୍ରାମ, କଟାବାହାଲ ପର୍ଯ୍ୟଟନ କେନ୍ଦ୍ର ଏବଂ କଳାହାଣ୍ଡିର ବିଭିନ୍ନ ଜଳାଶୟର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଏବଂ ସମ୍ବଲପୁର କେସିଆବାହାଲ ଠାରେ ନୂତନ ବହୁମୁଖୀ ହଲ୍ ର ନିର୍ମାଣ କାମ ରହିଛି ।

Leave a Reply

Your email address will not be published. Required fields are marked *