ମୌଳିକ ସୁବିଧାରୁ ବଞ୍ଚିତ ଦଳିତଙ୍କ ବିକ୍ଷୋଭ

ଯାଜପୁର: ଦଳିତ ପରିବାରକୁ ମୌଳିକ ସୁବିଧା ପ୍ରଦାନ ଦାବିରେ ପୌର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ। ରାଜ୍ୟ ଦଳିତ ମୋର୍ଚ୍ଚା ପକ୍ଷରୁ ଯାଜପୁର ବ୍ୟାସନଗର ଅଂଚଳର ଦଳିତ ପରିବାରକୁ ମୌଳିକ ସୁବିଧା ପ୍ରଦାନ ଦାବିରେ ପୌର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l
ସୂଚନା ଅନୁଯାୟୀ, ବ୍ୟାସନଗର ପୌରପରିଷଦରେ ସତ୍ୟସାଇ ମନ୍ଦିର ନିକଟରେ ଥିବା ଜରି ସାହିରେ ଶତାଧିକ ଦଳିତ ପରିବାର ବସବାସ କରୁଛନ୍ତି l ଏମାନେ ଭୋଟ ଦେଉଛନ୍ତି। କିନ୍ତୁ ଏମାନଙ୍କ ନିକଟରେ ନାଁ ଅଛି ଜମିପଟା, ନା ରାସନ କାର୍ଡ l ଗାଁକୁ ନା ଅଛି ରାସ୍ତା ମିଳୁଛି ପାନୀୟ ଜଳ। ବସ୍ତିବାସିନ୍ଦାଙ୍କ ନିକଟରେ ଜମିପଟା ନଥିବାରୁ ଏହି ଗରିବ ଦଳିତ ପରିବାର ସବୁ ନିଜର ମୌଳିକ ଅଧିକାରରୁ ବଞ୍ଚିତ ହେବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରୁ ବାଦ ପଡିଛନ୍ତି। ବାରମ୍ବାର ଦାବି, ଅଭିଯୋଗ, ଅନୁରୋଧ ସତ୍ତ୍ବେ ସେମାନଙ୍କ ପ୍ରତି କାହାର ନିଘା ନାହିଁ। କିନ୍ତୁ ଭୋଟ ସମୟରେ ନେତାମାନେ ମାଳ ମାଳ ପ୍ରତିଶ୍ରୁତିରେ ପୋତି ଦେଉଛନ୍ତି ଏହି ନିରୀହ ଦଳିତମାନଙ୍କୁ।
ତେଣୁ ସରକାରୀ କଳର ଅଣଦେଖାରେ ଅତିଷ୍ଠ ଏହି ଦଳିତ ଗ୍ରାମବାସୀମାନେ ନିଜର ମୌଳିକ ସୁବିଧା ଦାବିରେ ଆଜି ରାଜ୍ୟ ଦଳିତ ମୋର୍ଚ୍ଚୋ ସମ୍ପାଦକ ଶାସ୍ତ୍ରୀବହାଦୂରଙ୍କ ନେତୃତ୍ୱରେ ବ୍ୟାସନଗର ପୌରକାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।