ଡ୍ରାଇଭରଙ୍କ ଆନ୍ଦୋଳନ ଲାଗି ବିଷମ ପରିସ୍ଥିତି

Spread the love

() ଡ୍ରାଇଭରଙ୍କ ଆନ୍ଦୋଳନ ଲାଗି ବିଷମ ପରିସ୍ଥିତି ଉପୁଜିଛି। ସରକାର କାହିଁକି କିଛି କରୁନାହାନ୍ତି। ସମାଧାନ ବଦଳରେ ଅନ୍ୟ ଡ୍ରାଇଭର ସଂଘକୁ ଉସୁକାଇ ଆନ୍ଦୋଳନକୁ ଦୁର୍ବଳ କରିବା କେତେଦୂର ସମୀଚିନ। ସବୁ ସେବା ଠପ୍ ହୋଇଗଲାଣି। ବାଚସ୍ପତି ରୁଲିଂ ଦିଅନ୍ତୁ ଦାବିରେ ଶୂନ୍ୟକାଳରେ ବିରୋଧୀ ହଙ୍ଗାମା କରିବା, ବାରମ୍ୱାର ସର୍ବଦଳୀୟ ବୈଠକ ଫେଲ୍ ମାରିବାରୁ ପରିବହନ ମନ୍ତ୍ରୀଙ୍କୁ ଗୃହରେ ବିବୃତ୍ତି ରଖିବାକୁ ବାଚସ୍ପତି ନିର୍ଦେଶ ଦେଇଥିଲେ।

ଡ୍ରାଇଭର ସଂଘ ଧର୍ମଘଟରେ। ସାରା ରାତି ଆନ୍ଦୋଳନରେ ବସିଲେ। ସେମାନଙ୍କ ଦାବି ପୂରଣ ଦିଗରେ ସରକାର ସକରାତ୍ମକ ଆଭିମୁଖ୍ୟ ଆପଣାଇବା ବଦଳରେ ପାଲଟା ଅନ୍ୟ ଗ୍ରୁପକୁ ଉସୁକାଇ ଆନ୍ଦୋଳନକୁ ବିଶୃଙ୍ଖଳିତ ଓ ଭଙ୍ଗ କରିବାକୁ କାହିଁକି ଚକ୍ରାନ୍ତ କରୁଛନ୍ତି। ବିଧାନସଭା ଚାଲିଛି। ସେପଟେ ଡ୍ରାଇଭର ସଂଘର ଆନ୍ଦୋଳନ ଲାଗି ବିଷମ ପରିସ୍ଥିତି ସୃଷ୍ଟି ହେଲାଣି। ସବୁ ସେବା ଠପ୍ ହେବାକୁ ବସିଲାଣି। ମାଲବାହୀ ଗାଡ଼ି ଅଟକିଥିବାରୁ ପନିପରିବା ଓ ବିଭିନ୍ନ ଦ୍ରବ୍ୟର ଦର ବଢ଼ିବ। ପେଟ୍ରୋଲ ପମ୍ପରେ ତେଲ ସରିବାକୁ ବସିଲାଣି। ଯାତ୍ରୀ ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ। ଲୋକସେବା ଭବନକୁ ଆଲୋଚନା ପାଇଁ ସଂଘକୁ ଡାକିଲେ ବି ସେମାନେ କାହାକୁ ଭେଟିବେ, ସେ କଥା ଜାଣିପାରିବେନି। ସେଥିଲାଗି ଆଲୋଚନା ଲାଗି ସେମାନଙ୍କ ପାଖକୁ ଅଫିସର ଯାଆନ୍ତୁ। ବାଚସ୍ପତି ରୁଲିଂ ଦିଅନ୍ତୁ। ସରକାର ଏମିତି ଚୁପ୍ ବସିଲେ ଚଳିବନି। ବିଭାଗୀୟ ମନ୍ତ୍ରୀ ସଂଘ ସହ ଆଲୋଚନା କରି ଗୃହରେ ଉତ୍ତର ରଖନ୍ତୁ। କଂଗ୍ରେସ ଓ ବିଜେପି ସଭ୍ୟଙ୍କ ମିଳିତ ସ୍ୱର ଓ ପ୍ରତିବାଦରେ ଆଜି ଶୂନ୍ୟକାଳରେ କମ୍ପିଥିଲା ପୁରା ଗୃହ। ଗୃହ ବାରମ୍ୱାର ମୁଲତବୀ ହୋଇଥିଲା।

ସ୍ଥିତି ଏମିତି ହେଲା ଯେ, ଗୃହକୁ ସୁରୁଖୁରରେ ପରିଚାଳନା କରିବାକୁ ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ। ଆଉ ଶେଷରେ ଡ୍ରାଇଭର ମହାସଂଘର ଦାବି ପ୍ରତି ସରକାର କି ବିଚାର କରିଛନ୍ତି, ଆନ୍ଦୋଳନ ପ୍ରତ୍ୟାହାର ପାଇଁ କି ପଦକ୍ଷେପ ନେବେ, ସେ ବାବଦରେ ପରିବହନ ମନ୍ତ୍ରୀ ସଂଘ ସହ ଆଲୋଚନା କରି ଶୁକ୍ରବାର ଗୃହରେ ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି ବାଚସ୍ପତି।

ଡ୍ରାଇଭର ମହାସଂଘର ଆନ୍ଦୋଳନ ତୀବ୍ର ହେଲାଣି। ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଲାଗି ତେଲ ଟାଙ୍କିରେ ତେଲ ସରିବାକୁ ବସିଛି। ଗ୍ୟାସ ଡିପୋକୁ ଗ୍ୟାସ୍ ଆସୁନି। ବଜାରରେ ପରିବା ଅଭାବ ଦେଖାଦେଲାଣି। ପରିବା ଦର ଅଚାନକ ଢେର୍ ବଢିଯାଇଛି। ଆନ୍ଦୋଳନ ଲାଗି ଲୋକେ ହନ୍ତସନ୍ତ ବି ହେଲେଣି। ଯାହାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *