ଧାମନଗର ଉପନିର୍ବାଚନ ଲାଗି ସରିଲା ଭୋଟିଂ

Spread the love

ଧାମନଗର: ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇସାରିଛି। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିଲା। ଇଭିଏମରେ ତୃଟି, ପ୍ରଚାର ଗାଡ଼ିରେ ବୁଥ୍ ବୁଲା, କିଛି ବୁଥରେ ରିଗିଂ ଅଭିଯୋଗକୁ ଛାଡ଼ିଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ମତଦାନ। ଆଜିର ମତଦାନ ୬୬.୬୩ ରହିଛି। ସେପଟେ ସମସ୍ତ ପ୍ରାର୍ଥୀଙ୍କ ଉଣା ଅଧିକେ ଦମ୍ଭୋକ୍ତି, ଧାମନଗରରେ ଜିତାପଟ୍ଟ ନିଶ୍ଚିତ।

ଧାମନଗର ଉପନିର୍ବାଚନ ଲାଗି ପଡ଼ିଲା ଭୋଟ୍। ଏବେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇସାରିଛି ଇଭିଏମରେ। ୬ରେ କିଏ ଧାମନଗର ବାଜିରେ ବାଜିଗର ସାଜିବ, ସ୍ପଷ୍ଟ ହେବ। ତେବେ ଉପନିର୍ବାଚନରେ ରେକର୍ଡ ସଂଖ୍ୟାରେ ଭୋଟିଂ ହୋଇଛି। ଭୋଟରଙ୍କ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। କାଁପଡ଼ାରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ  ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିଜର ମତ ସାବ୍ୟସ୍ତ କରିଥିଲେ। ତେବେ ପ୍ରଚାର ଗାଡ଼ିରେ ଅବନ୍ତୀ ବୁଥକୁ ଆସିଥିବାରୁ ତାଙ୍କୁ ବିରୋଧ କରାଯାଇଥିଲା। ପରେ ଅବନ୍ତୀ ବୁଥକୁ ଚାଲିଚାଲି ଯାଇ ମତଦାନ କରିଥିଲେ।

ଆଉ ସୁନିଶ୍ଚିତ ତଥା ବଡ଼ ବ୍ୟବଧାନରେ ଜିତିବେ ବୋଲି କହିଛନ୍ତି ଅବନ୍ତୀ। ରାଜେନ୍ଦ୍ର  କହିଛନ୍ତି, ଧାମନଗରବାସୀଙ୍କ ସମ୍ମାନ ଓ ସ୍ୱାଭିମାନର କଥା ଏହି ଉପନିର୍ବାଚନ। ସେଥିଲାଗି ଧାମନଗର ମାଟିର ବିଜୟ ହେବ ବୋଲି କହିଛନ୍ତି ରାଜୁ। ଇଭିଏମ ତୃଟି ଲାଗି ପ୍ରଶାସନକୁ ଦାୟୀ କରିଥିଲେ ରାଜୁ। କାରଣ ତଳ କାଁପଡାରେ ୭ଟାରୁ ଭୋଟର ଭୋଟ ଦେବାକୁ ଛିଡ଼ା ହୋଇଥିଲେ ବି ଇଭିଏମ ତୃଟି ଲାଗି ଦେଢ଼ ଘଣ୍ଟା ବିଳମ୍ୱରେ ଭୋଟ ଦେଇଥିଲେ।

ସେପଟେ କିଛି ବୁଥରେ ରିଗିଂର ଅଭିଯୋଗ ବି ଆସିଥିଲା। ଏହାକୁ ନେଇ ଅନେକ ବୁଥରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ଭୋଟର କାର୍ଡ ବାସୁଦେବପୁର ନିର୍ବାଚନମଣ୍ଡଳୀରେ ଥିବାରୁ ସେ ମତଦାନ କରିନାହାନ୍ତି। କିନ୍ତୁ ସକାଳୁ ସକାଳୁ ବିଭିନ୍ନ ବୁଥ ବୁଲିଥିଲେ। ଧାମନଗରବାସୀଙ୍କ ସମର୍ଥନ ନିଶ୍ଚିତ ତାଙ୍କ ସପକ୍ଷରେ ରହିଛି ବୋଲି ଦମ୍ଭୋକ୍ତି ବାଢ଼ିଥିଲେ ସୂର୍ଯ୍ୟବଂଶୀ। ସେହିଭଳି କଂଗ୍ରେସର ବାବା ହରେକୃଷ୍ଣ ବି ଧାମନଗରରେ ମତଦାନ କରିବା ସହ ଦିନ ତମାମ ବିଭିନ୍ନ ବୁଥ ବୁଲିଥିଲେ। ଧାମନଗରରେ ପରିବର୍ତ୍ତନର ହାଓ୍ୱା ବହିବ ବୋଲି କହିଛନ୍ତି ହରେକୃଷ୍ଣ।

ସରିଲା ଧାମନଗର ଭୋଟ୍। ଏବେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇସାରିଛି ଇଭିଏମରେ। ୬ରେ ବାହାରିବ ରେଜଲ୍ଟ। ଆଉ ସ୍ପଷ୍ଟ ହୋଇଯିବ, ଧାମନଗର କାହାର।

ସତ୍ୟବ୍ରତ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *