ଗୋଟିଏ ରାସ୍ତାକୁ ଏକାଧିକ ବିଲ

Spread the love

ଭଦ୍ରକ: ଗୋଟିଏ ରାସ୍ତାକୁ ନେଇ ଅନେକ ଥର ମଧ୍ୟ ବିଲ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁରରେ। ଗୋଟିଏ ରାସ୍ତାକୁ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେପଟେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସରକାରୀ ରିପୋର୍ଟ ଅନୁଯାୟୀ ୨୦୨୦ – ୨୧ ରେ ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବାଟମଙ୍ଗଳା ମନ୍ଦିରଠାରୁ ରଘୁନାଥପୁର ହରିଜନ ସାହି ଭାୟା ମହେନ୍ଦ୍ର ନାୟକଙ୍କ ଘର ପର୍ଯ୍ୟନ୍ତ ରାସ୍ତା ପ୍ରଥମ ଥର ପାଇଁ କାମ ହୋଇଥିଲା ରୁରାଲ କନେକଟିଭିଟି ନାଁରେ । ୫୧୫ ଜଣ ଏହି ଯୋଜନାରେ କାମ କରିଥିବା ବେଳେ  ୫ ଲକ୍ଷ ୯୧ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କାମ ସରିଯାଇଥିବା ରିପୋର୍ଟ ଥିବା ବେଳେ ପୁଣି ମେ ୧୨ ତାରିଖ ୨୦୨୧ ମସିହାରେ ଫେଜ ୨ ପାଇଁ ୬ ଲକ୍ଷ ଟଙ୍କା ସମାନ ରାସ୍ତା ପାଇଁ ମଞ୍ଜୁର ହୋଇଛି । କିନ୍ତୁ ରାସ୍ତା ଦେଖିଲେ ଲାଗୁଛି ଯେ ଏହି ରାସ୍ତାରେ ଯେମିତି ମୁଠାଏ ମାଟି ମଧ୍ୟ ପଡ଼ିନାହିଁ । ସ୍ଥାନୀୟ ବାସିନ୍ଦା କୁହନ୍ତି ଯେ ଏହି ରାସ୍ତାର କୌଣସି ଆବଶ୍ୟକତା ନ ଥିବା ବେଳେ ଟଙ୍କା ଆତ୍ମସାତ ପାଇଁ ଏମିତି ଉପାୟ କରାଯାଇଛି ।

ଏକାଧିକ ଥର ବିଲ ଉଠିଥିବା ସୂଚନା ପରେ ସ୍ଥାନୀୟ ସମିତି ସଭ୍ୟ ଓ ଗ୍ରାମବାସୀ , ବିଡ଼ିଓଙ୍କ ଠାରୁ ନେଇ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେବେ ଏହି ରାସ୍ତା ଭଳି ଅନେକ ରାସ୍ତା ପଞ୍ଚାୟତରେ ତିଆରି ହୋଇଛି ଓ ମିଛ ବିଲ ହୋଇ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି । ସେପଟେ ଘଟଣା କୁ ନେଇ ଏବେ ତଦନ୍ତ କରିବେ ଓ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ କେବେ ଏହାର ସଠିକ ତଦନ୍ତ ହେଉଛି ତାକୁ ହିଁ ଅପେକ୍ଷା।

ସତ୍ୟବ୍ରତ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *