ଓଡ଼ିଶାରାଜନୀତି

ବିଜେପି ପ୍ରଚାର ମଙ୍ଗ ଧରିଲେ କେନ୍ଦ୍ର ମନ୍ତ୍ରୀ

ଧାମନଗର:  ଜମୁଛି ପ୍ରଚାର । ଦଳ ଓ ପ୍ରାର୍ଥୀ, ସମସ୍ତେ ଲାଗିପଡ଼ିଛନ୍ତି । ବିଜେପିରୁ ଧର୍ମେନ୍ଦ୍ର ଆଜି ଭଦ୍ରକରେ ପହଞ୍ଚି କର୍ମି ସମ୍ମିଳନୀ ପରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏପଟେ ବିଜେଡ଼ି ପାଇଁ ପଡୋଶୀ ଜିଲ୍ଲାର ନେତା ମୋର୍ଚ୍ଚା ସମ୍ଭାଳୁଛନ୍ତି । କଂଗ୍ରେସ ବି ପ୍ରଚାର ମୈଦାନରେ ପଛରେ ପଡ଼ିନି।

ପ୍ରଚାର ମୈଦାନରେ ହେବିୱେଟ । ବିଜେପି ପ୍ରଚାର ମଙ୍ଗ ଧରିଲେ ଖୋଦ୍‌ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପଟେ ଖୁବ ଶୀଘ୍ର ପ୍ରଚାରରେ ଯାଇ ପାରନ୍ତି ମୁଖ୍ୟମନ୍ତ୍ରୀ । ଗଳି ଗଳିରେ ଲାଗିଛି ନେତାଙ୍କ ଭିଡ଼ । ଭୋଟରଙ୍କ ମନ ଜିଣିବାକୁ ଚାଲିଛି କସରତ । ଆଉ ଏବେ ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ପ୍ରଥମେ ସେ ଭଦ୍ରକରେ ପହଞ୍ଚି କର୍ମୀ ସମ୍ମିଳନୀରେ ଯୋଗ ଦେଇ କର୍ମୀଙ୍କୁ ଦେଇଥିଲେ ବିଜୟର ମନ୍ତ୍ର । ପରେ ସେ ନିର୍ବାଚନ ପ୍ରଚାରରେ ବାହାରି ବିଭିନ୍ନ ଲୋକଙ୍କୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅଙ୍କ ପାଇଁ କରିଛନ୍ତି ଭୋଟ ଭିକ୍ଷା । ବିଷ୍ଣୁ ସେଠୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ହେଲେ ସୁରଜକୁ ଜିତାଇବାକୁ ଲୋକଙ୍କୁ ଅପିଲ କରିଛନ୍ତି ।

ଏପଟେ ବିଜେଡ଼ି ମଧ୍ୟ ପ୍ରଚାରରେ ଜି ଜାନ ଲଗେଇ ଦେଇଛି । ବିଶେଷ ଭାବରେ ପଡୋଶୀ ଯାଜପୁର,ଭଦ୍ରକ ଓ ବାଲେଶ୍ୱରର ନେତାମାନେ ପ୍ରଚାରର ମଙ୍ଗ ସମ୍ଭାଳୁଛନ୍ତି । ଏହାସହ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇ ପାରନ୍ତି । କାରଣ ବିଜେଡ଼ି ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସ ବର୍ତ୍ତମାନ ବିଜେଡ଼ିର ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି । ଏପଟେ କଂଗ୍ରେସ ପ୍ରଚାର ଧିମା ଥିବା ବେଳେ ଦଳ ବଡ଼ ବ୍ୟବଧାନର ନିର୍ବାଚନ ଜିତିବ ବୋଲି ଦାବି ଦୋହରାଇଛି ।

ନିର୍ବାଚନ ଯେତିକି ପାଖଉଛି ପ୍ରଚାର ମୈଦାନ ସେତିକି ଜମିବାରେ ଲାଗିଛି । ବିଜେଡ଼ି ପାଇଁ ରାଜୁ ଦାସ ମୁଣ୍ଡ ଅଙ୍କ ବିଗାଡ଼ିବା ସମ୍ଭାବନା ରହିଥିବା ବେଳେ ସବୁ ଦଳରେ ଚାଲିଛି ଅଙ୍କ କଷା । ତେବେ ଧାମନଗରରେ କେଉଁ ଦଳ ଧମାକା କରୁଛି ତାରି ଉପରେ ଏବେ ସମସ୍ତଙ୍କ ନଜର ।

ଭୁବନେଶ୍ୱରରୁ ନବ କିଶୋର ସାହୁଙ୍କ ସହ ଧାମନଗରରୁ ସତ୍ୟବ୍ରତ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button